ମାଲକାନଗିରି, ୬/୭ (ଆପ୍ର ) ; ଦୁଇ ବନ୍ଧୁଙ୍କ ବାହୁଡା଼ ଯାତ୍ରା ହେଲା ଶେଷ ଯାତ୍ରା । ଟ୍ରାକ୍ଟର - ବାଇକ ମୁହାଁମୁହିଁ ଧକ୍କାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ହେବା ସହ ଜଣେ ସାଙ୍ଗ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛି । ଏମିତି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଦ୍ମଗିରି ପଞ୍ଚାୟତସ୍ଥ ତଙ୍ଗପାଲି ଗ୍ରାମରେ।

ଶନିବାର ଥିଲା ବାହୁଡା଼ ଯାତ୍ରା । ତଙ୍ଗପାଲି ଗ୍ରାମର ତିନିଜଣ ସାଙ୍ଗ ରାଜେଶ ସୋଡି (୨୦), ବସନ୍ତ କବାସୀ (୧୯), ବବୁଲ ମାଢି (୧୮) ଏକ ବାଇକ ଯୋଗେ ନିକଟସ୍ଥ ପଦ୍ମଗିରିକୁ ଯାଇଥିଲେ ବାହୁଡା଼ ଯାତ୍ରା ଦେଖିବାକୁ।  ସେମାନେ ଯାତ୍ରା ଦେଖି ଶନିବାର ରାତିରେ ଘରକୁ ଫେରୁଥିଲେ।  କିଏ ଜାଣି ଥିଲା ମୃତ୍ୟୁ ତାଙ୍କ ଆଗରେ ଆସୁଛି ବୋଲି।  ଆଉ କିଛି ବାଟ ଯାଇଥିଲେ ଗାଁ ରେ ପହଁଚି ଥାନ୍ତେ। ଏମଭି୮୪ ଗ୍ରାମ ଛକ ନିକଟରେ ହଠାତ ଏକ ଟ୍ରାକ୍ଟର ଦ୍ରୁତ ଗତିରେ ଆସି ବାଇକ ସହିତ ଧକ୍କା ଲାଗିଥିଲା ।  ତିନିଜଣ ସାଙ୍ଗ ଦୁରକୁ ଛିଟିକି ପଡିଥିଲେ।  ଘଟଣା ସ୍ଥଳରେ ରାଜେଶ ଓ ବସନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ବବୁଲ ଗୁରୁତର ଆହତ ହୋଇଥିଲେ।  ସଙ୍ଗେ ସଙ୍ଗେ ନିକଟସ୍ଥ ଗ୍ରାମବାସୀ ମାଲକାନଗିରି ହସ୍ପିଟାଲକୁ ନେଇଯାଇ ଥିଲେ । ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ।  ବବୁଲ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

 ଏ ସମ୍ପର୍କରେ ପରିବାର ଲୋକେ ମାଲକାନଗିରି ଥାନାରେ ଜଣାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ମୃତ ଶରୀର ଜବତ କରିଛନ୍ତି।  ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରିଛନ୍ତି।  ଦୁର୍ଘଟଣା ସମ୍ପର୍କ ରେ ଏକ ମାମଲା ୠଜୁକରି ଟ୍ରାକ୍ଟର କୁ ଜବତ କରିବା  ସହିତ  ଡ୍ରାଇଭର କ୍ରିଷ୍ଣା ମଲିକକୁ ଗିରଫ କରି ତଦନ୍ତ ଚଲାଇଛନ୍ତି। ତିନି ସାଙ୍ଗ ଘରେ ପହଞ୍ଚିବା ବଦଳରେ ଦୁଇଜଣଙ୍କ ଶବ ଗଲା ମଶାଣିକୁ।  ଏହି ଘଟଣା ତଙ୍ଗପାଲି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।