ଖଲ୍ଲିକୋଟ, ୨୧/୯ : ଖଲ୍ଲିକୋଟ ଓ ବେଗୁନିଆପଡ଼ା ଥାନା ଅଞ୍ଚଳରେ ବଜ୍ରପାତ ଘଟି ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭରସା ନୂଆଁପଲ୍ଲୀ ଗ୍ରାମର ୨ ଜଣ ମହିଳା ଚନ୍ଦ୍ରମା ଗୌଡ଼ ଓ ଉର୍ମିଳା ଗୌଡ଼ ବ୍ରଜରାଜପୁର ଗ୍ରାମ ନିକଟରେ ଥିବା ବିଲରେ କାମ କରିବାକୁ ଯାଇଥିଲେ। ମଧ୍ୟାହ୍ନରେ କାମ କରୁଥିବା ସମୟରେ ହଠାତ ବଜ୍ରାଘାତ ହୋଇଥିଲା। ଫଳରେ ଚନ୍ଦ୍ରମା ଗୌଡ଼ ଓ ଉର୍ମିଳା ଗୌଡ଼ ଗୁରୁତର ହୋଇପଡ଼ିଥିଲେ ।

ତୁରନ୍ତ ଦୁହିଁଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ଏଠାରେ ଚନ୍ଦ୍ରମା ଗୌଡ଼ଙ୍କୁ ମୃତ ଘୋଷଣା କରାଯାଇଥିଲା । ମୃତ୍ୟୁ ଖବର ଶୁଣି ମେଡ଼ିକାଲ ପରିସରରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଉର୍ମିଳା ଗୌଡ଼ଙ୍କ ମେଡ଼ିକାଲରେ ଚିକିତ୍ସା ଚାଲିଥିବା ଦେଖିବାକୁ ମିଳିଛି। ସେହିପରି ଶନିବାର ଅପରାହ୍ନରେ ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ଶଙ୍ଖଭୂମି ଗ୍ରାମର ଜଣେ ବୃଦ୍ଧ ସୁବାସ ଦାସ ଗାଈ ଗୋଠକୁ ନେଇ ନିକଟସ୍ଥ ବିଲରେ ଚରାଉ ଥିବାବେଳେ ହଠାତ୍ ବଜ୍ରପାତ ହୋଇଥିଲା। ଗୁରୁତର ଅବସ୍ଥ ରେ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। କିନ୍ତୁ ଡାକ୍ତର ଏଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବେଗୁନିଆପଡା ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ଲାଗି ପଠେଇଛି ।