ଉଦଳା, ୭।୩ : ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିଲେ, ଆଉ ସାଙ୍ଗ ହୋଇ ଚାଲିଗଲେ। ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ସଲିଳ ସମାଧି। କପ୍ତିପଦା ଥାନା ବଡ଼ଖଲାଡି ନଛିପୁର ଗ୍ରାମରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା।
ଦାଣ୍ଡଘାଟ ଦେହୁରୀ ସାହି ବିଦ୍ୟାଳୟରେ ପାଠ ପଢ଼ୁଥିବା ଦୁଇ ସାଙ୍ଗ ୭ ବର୍ଷ ର ଶୁଭସନ୍ଧ୍ୟା ନାୟକ ଏବଂ ୮ ବର୍ଷ ର ରାଜଲକ୍ଷ୍ମୀ ଶଙ୍ଖୁଆଳ ବିଦ୍ୟାଳୟ ରୁ ଫେରି ଗାଧୋଇବା ନିମନ୍ତେ ଘର ନିକଟ ପୋଖରୀକୁ ଯାଇଥିଲେ। ପରିବାର ଲୋକେ ନଳକୂପରେ ଗାଧୋଇବାକୁ କହିଥିଲେ ସୁଦ୍ଧା ଦୁଇ ସାଙ୍ଗ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିଛି ସମୟ ପରେ ଅଚାନକ ପରିବାର ଲୋକେ ଦୁଇ ନାବାଳିକା ଝିଅ ପାଣିରେ ବୁଡି ଯାଇଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ପରିବାର ସଦସ୍ୟ ପୋଖରୀରେ ପଶି ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ନାବାଳିକା ସାଙ୍ଗ ଏକ ସାଙ୍ଗେ ପୋଖରୀରେ ବୁଡି ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।