ଜଗତସିଂହପୁର, ୨୧/୧୧ : ଜଗତସିଂହପୁରରେ ବାଂଲାଦେଶୀଙ୍କୁ ଆଶ୍ରୟ ଦେଇଥିବା ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲମ୍‌ ଓରଫ ସିକୋ ଫେରାର୍ ରହିଛି। ସିକନ୍ଦର ଓ ତାର ସାନ ଭାଇ ଅବଦୁଲ ମୋତାଲିଫ୍ ଖାନ୍ ଓରଫ ଟିକିକୁ ଖୋଜୁଛି ଜଗତସିଂହପୁର ପୁଲିସ । ଦୁଇ ଭାଇଙ୍କ ବିରୋଧରେ ମାନବ ଚାଲାଣ, ଫରେନର ଆଇନ ଧାରା, ଦାଦନ ଖଟାଇବା ଆଦି ଦଫା ଲାଗିଛି । ଏହାକୁ ନେଇ ୨ ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ଦୁଇଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଛାନଭିନ୍ କରୁଛନ୍ତି।​​​​​​​ଫେରାର୍ ସିକନ୍ଦର ଆଲାମର ବେରାହିମପୁରସ୍ଥିତ ବାସଗୃହରେ ପୁଲିସ ଖାନ୍ତଲାସ କରିଛି । ହେଲେ ପୁଲିସ ଘର ଭିତରୁ ଏକ ପୁରୁଣା ଭୋଟର ପରିଚୟପତ୍ର ସହ ଆଉ କିଛି କାଗଜପତ୍ର ପାଇଛି। ସିକନ୍ଦରର ବ୍ୟାଙ୍କ୍ ଜମାଖାତା ନେଣଦେଣ ଜାଣିବା ପାଇଁ ପୁଲିସ ସ୍ଥାନୀୟ କଲେଜ ଛକ ନିକଟ ଏକ ବ୍ୟାଙ୍କ ଚିଠି ଲେଖିଛି । କିନ୍ତୁ ସିକନ୍ଦରର କେତେକ ବ୍ୟାଙ୍କ୍ ଜମାଖାତା କୋଲକାତା, ଚେନ୍ନାଇ ଓ ମୁମ୍ବାଇରେ ଥିବାରୁ ପୁଲିସକୁ ଏ ଦିଗରେ ବିଶେଷ ସଫଳତା ମିଳିପାରି ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଗତକାଲି ପାଖାପାଖି ୨ ଘଣ୍ଟା ଧରି ତରିକୁନ୍ଦର ବେରାହିମପୁରସ୍ଥିତ ସିକନ୍ଦରର ବାସଗୃହରେ ପୁଲିସ କିଛି ମହିଳାଙ୍କୁ ଠାବ କରିଥିଲେ । ତିନି ଜଣ ମହିଳା ସିକନ୍ଦରଙ୍କ ସଂପର୍କୀୟା ହୋଇଥିବା ବେଳେ ଅନ୍ୟ ଜଣେ ତାଙ୍କ ମା’ ଥିଲେ । ତେବେ ସିକନ୍ଦରଙ୍କ ପତ୍ନୀଙ୍କୁ ପୁଲିସ ପାଇନଥିଲା । ବରଂ ସିକନ୍ଦରଙ୍କ ପୁଅକୁ ଦେଖିଥିଲା । ଏହି ତିନି ସଂପର୍କୀୟା ମହିଳାଙ୍କର ସନ୍ତାନ ବି ସିକନ୍ଦର ଘରେ ଥିଲେ । ସିକନ୍ଦରର ଶିକ୍ଷା ନିକଟ ଏକ ବିଦ୍ୟାଳୟରେ ହୋଇଥିଲା । ତରିକୁନ୍ଦର ଏକ କଲେଜରେ ଯୁକ୍ତ ୨ ପଢ଼ୁଥିଲା ହେଲେ ପରୀକ୍ଷାରେ ପାସ୍ କରିପାରିନଥିଲା । ପରୀକ୍ଷା ସମୟରେ ପରୀକ୍ଷା ପରିଚାଳକଙ୍କୁ ମାଡ଼ ମାରିଥିଲା । ଭୟରେ କଲେଜ କର୍ତ୍ତୃପକ୍ଷ ସିକନ୍ଦର ବିରୋଧରେ ଆଇନର ଆଶ୍ରୟ ନେଇନଥିଲେ ।

ଅପରପକ୍ଷେ ପୂର୍ବରୁ ମର୍ଚ୍ଚାଣ୍ଟ ନାଭିରେ ଥିବାରୁ ସିକନ୍ଦର ଜଳପଥରେ ଦେଶ ବାହାରକୁ ପଳାଇ ଯିବାର ଆଶଙ୍କା ପ୍ରକାଶ ପାଇଛି । ସେଥିନେଇ ପୁଲିସ ଲୁକ୍ଆଉଟ୍ ନୋଟିସ୍ ଜାରି କରିବାକୁ ଚିନ୍ତା କରୁଥିବା ଏସ୍ପି ଅଙ୍କିତ କୁମାର ବର୍ମା ଗଣମାଧ୍ୟମକୁ କହିଛନ୍ତି । ପୁଲିସ ରଘୁନାଥପୁରର କୁଆମଙ୍ଗା ଯାଇଥିଲା । ସେଠାରେ କୁଆଡ଼େ ସିକନ୍ଦର ନୂଆ ଘର କରିଛନ୍ତି । କିନ୍ତୁ ପୁଲିସ ସେଠାରେ ପହଞ୍ଚିବା ବେଳକୁ ଉକ୍ତ ଘରେ ତାଲା ପଡ଼ିଥିଲା । ଅଦ୍ୟାବଧି ସିକନ୍ଦର ଓ ଅବଦୁଲ୍ ବିରୋଧରେ ପୁଲିସ ନିଜ ଆଡ଼ୁ ଦୁଇଟି ମାମଲା ରୁଜୁ କରିଛି । ପୁଲିସ ରେକର୍ଡରେ ଦର୍ଶାଯାଇଛି ଯେ, ଦୁଇ ଭାଇ ଗ୍ୟାଙ୍ଗ୍ ଗଢ଼ି ମାନବ ଚାଲାଣ ରାକେଟ୍ ଚଳାଇଥିଲେ । ନକଲି କାଗଜପତ୍ର ବଳରେ ଅନେକ ବାଂଲାଦେଶୀଙ୍କୁ ଆଣୁଥିଲେ । ପରେ ଛୋଟ ମୋଟ କାମରେ ଲଗାଇ ବଟି ଜୁଲମ, ନିର୍ଯାତନା, ଶୋଷଣ ଆଦି କରୁଥିଲେ । ବେଆଇନ ମଦ୍ରାସା ବି ଚଳାଉଥିଲେ। ପୁଲିସକୁ ଆକ୍ରମଣ କରିବା ଅଭିଯୋଗରେ ସିକନ୍ଦରର ଦୁଇ ଭଉଣୀ କେନ୍ଦ୍ରାପଡ଼ା ପାଟକୁରା ଔଜଙ୍ଗାର ସବାନା ଆଜମୀ(୩୯) ଓ କୃଷ୍ଣାନନ୍ଦପୁର ପାଇକାକୁଳର ପରୱିନ୍ ବିବି(୩୪) ଗିରଫ ହୋଇଛନ୍ତି । ଅନ୍ୟମାନେ ଫେରାର ଅଛନ୍ତି । ସିକନ୍ଦରର ବହୁ ବେଆଇନ ଘରକୁ ପ୍ରଶାସନ ଧ୍ୱଂସ କରି ଦେଇଛି । ପିସ୍ତଲ, ମାରଣାସ୍ତ୍ର ସାଙ୍ଗକୁ ଖାଲି କଫ ସିରପ୍ ବୋତଲ, କଣ୍ଡୋମ, ଗର୍ଭ ନିରୋଧକ ବଟିକା ବି ପୁଲିସ ଜବତ କରିଛି ।