କଟକ,୨୪/୧୧: ବାଲିଯାତ୍ରାରେ ମାତିଛନ୍ତି ବଞ୍ଜାରା ମହିଳା ଲୁଟେରା । ମୋବାଇଲ ଓ ଚେନ୍‌ ଲୁଟ୍‌ କରୁଥିବା ବେଳେ ୨ଜଣଙ୍କୁ ଧରିଥିଲା ପୋଲିସ । କ୍ୟାଣ୍ଟନମେଣ୍ଟ ଥାନାରେ ଉଭୟଙ୍କୁ ରଖାଯାଇଥିବା ବେଳେ ସେଠାରୁ ଉଭୟ ଚମ୍ପଟ ମାରିଥିଲେ । କଟକ ବାଲିଯାତ୍ରାରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, କଟକରେ ଚାଲିଥିଲା ଐତିହାସିକ ବାଲିଯାତ୍ରା । ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକେ ଏଠାକୁ ବୁଲିବାକୁ ଆସିଥିଲେ । ଏହାରି ଭିତରେ ଅତ୍ୟଧିକ ଜନ ଗହଳିର ଫାଇଦା ଉଠାଇ ୨ ଜଣ ବଞ୍ଜାରା ମହିଳା ଲୁଟେରା ମୋବାଇଲ୍ ଏବଂ ଟେନ୍‌ ଲୁଟ୍‌ କରିଥିଲେ । ଏହି ସମୟରେ କଟକ କ୍ୟାଣ୍ଟନମେଣ୍ଟ ପୋଲିସ ଉଭୟଙ୍କୁ କାବୁ କରିଥିଲା । ପରେ ଉଭୟଙ୍କୁ ନେଇ କ୍ୟାଣ୍ଟନମେଣ୍ଟ ଥାନାରେ ରଖିଥିଲା ପୋଲିସ । ହେଲେ ସେଠାରୁ ଉଭୟ ମହିଳା ଚମ୍ପଟ ମାରିଥିଲେ । ଏହା ଜାଣିବା ପରେ ସେମାନଙ୍କୁ ଧରିବାକୁ ଚେଷ୍ଟା ଚାଲିଛି ବୋଲି ଡିସିପି କହିଛନ୍ତି ।