ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ଏକ ଦୁଃଖଦ ଖବର ଏବେ ସାମ୍ନାକୁ ଆସିଛି। ପୋଷାକ ଇସ୍ତ୍ରୀ କରିବା ସମୟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, ଉଭୟଙ୍କ ମୃତ୍ୟୁ ହେବା ପରେ ସେମାନଙ୍କ ଦୋକାନ ପାଖରେ ଥିବା ଜଣେ ଚା ବିକ୍ରେତା ପୋଲିସକୁ ସୂଚନା ଦେଇଥିଲେ। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ, ମିର୍ଜାପୁର ଜିଲ୍ଲାର ଦୁର୍ଜନପୁର ନଡୌଲି ବଜାରରେ ଥିବା ଏକ ଦୋକାନରେ ସର୍ଟ ସର୍କିଟ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଉଭୟ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି।

ମଙ୍ଗଳବାର ବିଳମ୍ବିତ ରାତିରେ ଡ୍ରାମଣ୍ଡଗଞ୍ଜ କୋଟୱାଲୀ ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ହୃଦୟ ବିଦାରକ ଦୁର୍ଘଟଣା ଘଟିଥିବା ନେଇ ଆଜି (ବୁଧବାର) ଅତିରିକ୍ତ ପୋଲିସ ଅଧୀକ୍ଷକ ଓପି ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି କି,'ଦୁର୍ଜନପୁର ନଡୌଲି ବଜାରରେ ଉଭୟ ବ୍ୟକ୍ତି ଭଡା ନେଇ ଏକ ଦୋକାନ ଚଳାଉଥିଲେ । ଦୁହେଁ ଏହି ଦୋକାନରେ ଟେଲର୍ ଭାବରେ କାମ କରୁଥିଲେ । ବୁଧବାର ସକାଳେ ଯେତେବେଳେ ଦୁହେଁ ଦୋକାନ ଖୋଲି ନଥିଲେ, ପାଖରେ ଚା ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ସନ୍ଦେହ ହୋଇଥିଲା । ଆଉ ଏହାକୁ ନେଇ ସେ ସ୍ଥାନୀୟ ଲୋକ ଏବଂ ପୋଲିସକୁ ସୂଚନା ଦେଇଥିଲେ । ଯେତେବେଳେ ପୋଲିସ ଦୋକାନର କବାଟ ଭାଙ୍ଗି ଭିତରେ ପ୍ରବେଶ କରିଥିଲା, ସେତେବେଳେ ସେ ଉଭୟଙ୍କୁ ଇସ୍ତ୍ରୀ ନିକଟରେ ମୃତ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ।

ଅତିରିକ୍ତ ପୋଲିସ ଅଧୀକ୍ଷକ ସିଂ କହିଛନ୍ତି ଯେ ଉଭୟଙ୍କ ମୃତଦେହ ଆଂଶିକ ଜଳିଯାଇଛି । ସେ କହିଛନ୍ତି, 'ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଦୁହେଁ ସର୍ଟ ସର୍କିଟ ଯୋଗୁଁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । ଏହି ଘଟଣାର ତଦନ୍ତ ଚାଲିଛି।