ସୋର, ୧୨/୬ : ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ ଡକାୟତଙ୍କ ଆତଙ୍କରାଜ୍। ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ୍। ୨୦ ଦିନ ତଳେ ସୋର ଦୟାନିଧି ପୁର ଗାଁରେ ଲୁଟେରାମାନେ ଗୋଟିଏ ପରିବାରର ୫ ଜଣଙ୍କୁ ହାଣି ୨ ଗ୍ରାମବାସୀଙ୍କୁ ଗୁଳି କରିଥିଲେ। ବୁଧବାର ବିଳମ୍ଵିତ ରାତିରେ ପୁଣି ଏକ ଡକାୟତି ଘଟଣା ସୋରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୋର ପୌରପାଳିକା ଅନ୍ତର୍ଗତ କମରପୁର ଗ୍ରାମର ଅନ୍ନପୂର୍ଣ୍ଣା ରାଇସ୍ ମିଲର ଆୟୁର୍ବେଦିକ ଡାକ୍ତର ତପନ ଦାସଙ୍କ ଘରେ ଡକାୟତି ହୋଇଛି। ଲୁଟେରାଙ୍କ ଆକ୍ରମଣରେ ଡାକ୍ତରଙ୍କ ସମେତ ଦୁଇ ଜଣ ଗୁରୁତର ହୋଇଛନ୍ତି। ଡକାୟତକୁ କାବୁ କରି ଘର ମାଲିକ ପୁଲିସ ଜିମା ଦେଇଛନ୍ତି।
ସୂଚନାନୁଯାୟୀ, ବୁଧବାର ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ନପୂର୍ଣ୍ଣା ରାଇସ୍ ମିଲର ଆୟୁର୍ବେଦିକ ଡାକ୍ତର ତପନ ଦାସ ପରିବାର ସହ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭଦ୍ରକ ଯାଇଥିଲେ। ଘରେ କେହି ନ ଥିବାର ସୁଯୋଗ ନେଇ ୪ ଜଣ ଚୋର ଘର ଚାବି ଭାଙ୍ଗି ଭିତରକୁ ପଶି ଚୋରି କରିଥିଲେ। ରାତି ସାଢେ ୧୨ଟାରେ ତପନ ଓ ତାଙ୍କ ଶଳା ଦିଲୀପ ମହାଳିକ ଘରକୁ ଫେରି ତାଲା ଖୋଲା ଥିବା ଦେଖିଥିଲେ। ପରେ ସ୍ଥାନୀୟ ଲୋକଙ୍କୁ ଡାକିବା ସହିତ ଘର ଭିତରକୁ ପଶିଥିଲେ। ଏହି ସମୟରେ ଚୋରମାନଙ୍କ ଆକ୍ରମଣର ଶିକାର ହୋଇ ତପନ ଏବଂ ଦିଲ୍ଲୀପ ଗୁରୁତର ଆହତ ହୋଇଥିଲେ। ଲୁଟେରାମାନେ ସେମାନଙ୍କୁ ଭୁଜାଲିରେ ଡାକ୍ତର ଦାସଙ୍କ ମୁଣ୍ଡକୁ ହାଣି ଦେଇଥିଲେ। ତିନିଜଣ ଚୋର ଫେରାର ହୋଇଯାଇଥିବା ବେଳେ ଜଣେ ଚୋରକୁ ସେମାନେ କାବୁ କରିଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚୋରକୁ ଜିମା ନେଇଥିଲେ।
ସ୍ଥାନୀୟ ଲୋକେ ଡାକ୍ତର ଦାସ ଓ ତାଙ୍କ ଶଳାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅଟକ ଥିବା ଚୋର ଜଣକ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ହୋଇଥିବା ବେଳେ ପୁଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।