ବଡବିଲ, ୨୩।୩ : କୋଇଲା ବୋଝେଇ ମାଲବାହୀ ଟ୍ରେନ ଲାଇନ ଚ୍ୟୁତ। ଅଟକିଲା ବନ୍ଦେ ଭାରତଏକ୍ସପ୍ରେସ ସମେତ ୩ ଟି ପାସେଞ୍ଜର ଟ୍ରେନ୍ । ୪ ଘଣ୍ଟା ଧରି ବାଟରେ ଅଟକି ରହିଛି ଏସବୁ ଟ୍ରେନ୍ । ମଧ୍ୟାହ୍ନ ପ୍ରାୟ ୧୨ ଟା ୨୦ରୁ ବାଂଶପାଣି ଷ୍ଟେସନରେ ବ୍ରହ୍ମପୁର - ଟାଟା ନଗର ବନ୍ଦେ ଭାରତ ଏକ୍ସପ୍ରେସ ଅଟକି ରହିଥିବା ବେଳେ, ଦେଓଝର ଷ୍ଟେସନରେ ଛିଡ଼ାହୋଇ ରହିଛି ବଡ଼ବିଲ - ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ । ଅପର ପଟେ ପର୍ଯ୍ୟନପୁର ରେ ଅଟକିଛି ପୁରୀ ବଡ଼ବିଲ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ । ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରେନ୍ ଗୁଡ଼ିକ ଅଟକିବା କାରଣରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ସୂଚନା ଅନୁସାରେ ମୂର୍ଗା ମହାଦେବ ଷ୍ଟେସନ ନିକଟରେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନର ଦୁଇଟି ୱାଗନ ଲାଇନ ଚ୍ୟୁତ ହୋଇଥିବା ଯୋଗୁଁ ଏହି ସମସ୍ୟା ଉପୁଜିଛି । ସେପଟେ ୱାଗନ ଗୁଡ଼ିକୁ ଉଠାଇ ମରାମତି ପାଇଁ ରେଳବାଇ ଉଦ୍ୟମ ଚଳାଇଛି । ରେଲୱେ ପକ୍ଷରୁ ବନ୍ଦେ ଭାରତଏକ୍ସପ୍ରେସର ପ୍ୟାସେଞ୍ଜରଙ୍କୁ ଟାଟା ନଗର ପଠାଇବା ପାଇଁ ସ୍ବତନ୍ତ୍ର ବସ୍ ବ୍ୟବସ୍ଥା କରିଛି । । ସେପଟେ ବାଂଶପାଣି ଷ୍ଟେସନ ମ୍ୟାନେଜର କିଛି ଜାଣିନାହିଁ କହିଛନ୍ତି, ବନ୍ଦେ ଭାରତକୁ ଅଟକାଇବା ପାଇଁ ଉପରୁ ନିର୍ଦ୍ଦେଶ ଆସିଥିବା କହିଛନ୍ତି ।