​​​​​​ପାତ୍ରପୁର, ୦୯/୧୦: ଅଗ୍ନିକାଣ୍ଡରେ ପୋଡି ହୋଇ ଚିକିତ୍ସିତ ହେଉଥିବା ଦୁଇ ମହିଳାଙ୍କ ମୃତ୍ଯୁ । ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ । ଗତ ବୁଧବାର ଗଞ୍ଜାମ ଜିଲ୍ଲା​​​​​​​ଚିକିଟି ବ୍ଲକ୍ ଚନ୍ଦନବାଡ଼ ଗାଁରେ ନିଆଁରେ ପୋଡି ହୋଇ ଗୁରୁତର ହୋଇଥିଲେ ୨ଜଣ ମହିଳା । ସେମାନଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ବୁଧବାର ହେମଲତା ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ଅର୍ଥାତ୍ ଆଜି ଏସ.ରେବତୀ ରେଡ୍ଡୀ ପ୍ରାଣ ହରାଇଛନ୍ତି ।

ସୂଚନା ଅନୁସାରେ, ଚନ୍ଦନବାଡ଼ ଗାଁର ହେମଲତା ବେହେରା କୌଣସି କାମରେ ରେବତୀ ଘରକୁ ଯାଇଥିଲେ l ରୋଷେଇ ଘରେ ବସି ରେବତୀ ଏବଂ ହେମଲତା କଥା ହେଉଥିବା ବେଳେ ଗ୍ୟାସ୍‌ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟିଥିଲା। ହଠାତ୍ ପିନ୍ଧିଥିବା ଲୁଗାରେ ନିଆଁ ଲାଗିଯାଇଥିଲା । ଉଭୟ ପୋଡ଼ି ହୋଇ ଚିତ୍କାର କରିଥିଲେ। ପାଟି ଶୁଣି ପରିବାର ଓ ପଡ଼ୋଶୀ ଲୋକ ଆସି ଉଭୟଙ୍କୁ ଉଦ୍ଧାର କରିଥିଲେ। ଉଭୟ ଗୁରୁତରଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଯାଇଛି । ଘଟଣା ନେଇ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଗଭୀର ଶୋକ ପ୍ରକାଶ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।