ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଠେଲାପେଲା ଭିତରେ ୨ ମହିଳା ଗୁରୁତର

Published By : Harapriya Sethi | February 26, 2025 9:02 AM

ଭୁବନେଶ୍ୱର,୨୬/୦୨: ଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିିଳିଛି । ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ଦେଇ ଧାଡ଼ିରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବାବା ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଲମ୍ବା ଲାଇନ୍‌ ଲାଗିଥିବା ବେଳେ ଏହାରି ଭିତରେ ଠେଲାପେଲା ହେଉଛନ୍ତି ଲୋକ । ଠେଲାପେଲା ସ୍ଥିତି ଉପୁଜିବାରୁ ୨ ଜଣ ମହିଳା ଭକ୍ତ ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି। 

ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ଏକାମ୍ର ଅଧୀଶ୍ୱର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି । ନିର୍ଜଳ ଉପବାସ ବ୍ରତ ପାଳନ କରି ଦୀପ ଜାଳି ମହାଦୀପ ଦର୍ଶନକୁ ଅପେକ୍ଷା କରି ରହିଛନ୍ତି । ସନ୍ଧ୍ୟା ପରଠୁ ସମସ୍ତେ ଚାତକ ପରି ଅନାଇ ବସିବେ ମନ୍ଦିର ଶିଖରକୁ । ଧାର୍ଯ୍ୟ ସମୟରେ ମହାଦୀପ ଉଠିବାର ସେଇ ଆନନ୍ଦର ମୁହୂର୍ତ୍ତକୁ ଅନୁଭବ କରିବେ । ସମଗ୍ର ପରିବେଶ ଶିବ ପଞ୍ଚାକ୍ଷରୀ ମନ୍ତ୍ରରେ ଗୁଞ୍ଜରିତ ହୋଇଉଠିବ । ପବିତ୍ର ମହାଦୀପ ଦର୍ଶନ ପରେ ଶ୍ରଦ୍ଧାଳୁ ବ୍ରତ ଭଙ୍ଗ କରି ଆଶୀର୍ବାଦ ଲାଭ କରିବେ । ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଫୁଲରେ ସୁଶୋଭିତ ହୋଇ ଉଠିଛି ଶ୍ରୀଲିଙ୍ଗରାଜ ମନ୍ଦିର । 

ଶ୍ରୀଜିଉଙ୍କ ଏହି ମହାନ ପର୍ବ ପାଳନ ନିମନ୍ତେ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭୋର ୩ଟାରେ ମଙ୍ଗଳ ଆଳତୀ ପରେ ସାଢ଼େ ୩ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିବେ ଶ୍ରଦ୍ଧାଳୁ । ଏହାପରେ ମହାସ୍ନାନ ନୀତି ସମ୍ପନ୍ନ ହେବ । ଦିନତମାମ ଶ୍ରଦ୍ଧାଳୁ ମାନେ ଆଡ଼ କାଠ ପାଖରୁ ଦର୍ଶନ କରିବେ । ଧାଡିରେ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା ହୋଇଛି । ସ୍ୱେଚ୍ଛାସେବୀ ମାନେ ଶ୍ରଦ୍ଧାଳୁଙ୍କୁ ସବୁ ପ୍ରକାର ସହଯୋଗ କରିବେ । ଅସୁସ୍ଥଙ୍କୁ ଆଶୁ ଚିକିତ୍ସା ପ୍ରଦାନ କରାଯିବ । ଆମ୍ବୁଲାନ୍ସ, ଅଗ୍ନିଶମ କର୍ମଚାରୀ ଜାଗତିଆର ରହିବେ । ପିଇବା ପାଣି, ଶୌଚାଳୟ, ସଫେଇ ଆଦି ବିଏମସି ଏବଂ ୱାଟକୋ ପକ୍ଷରୁ କରାଯିବ । ସବୁ ପାର୍କିଂ ଓ ଜନଗହଳି ସ୍ଥାନ ଗୁଡ଼ିକରେ ଡାକବାଜି ଯନ୍ତ୍ର ଯୋଗେ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଜରୁରିକାଳୀନ ସୂଚନା ପ୍ରଦାନ କରାଯିବ । ଏହା ସହିତ ବିଭାଗ ଦ୍ୱାରା ଆଧ୍ୟାତ୍ମିକବାଣୀ, ଧାରାବିବରଣୀ ପ୍ରସାରଣ କରାଯିବ । 

ସନ୍ଧ୍ୟାରେ ଶ୍ରଦ୍ଧାଳୁ ମାନେ ସିଂହଦ୍ୱାର ସାମନା, ଲିଙ୍ଗରାଜ ହାଟ ଅନ୍ୟ କିଛି ସ୍ଥାନରେ ଜାଗର ଦୀପ ଜାଳିବାକୁ ବ୍ୟବସ୍ଥା କରାଯାଇଛି । ମହାଦୀପ ଠିକ ରାତି ୧୦ଟାରେ ଉଠାଇବା ଲାଗି ସବୁ ନିଯୋଗର ସେବାୟତ ମାନେ ଆଇନମନ୍ତ୍ରୀଙ୍କୁ ସହମତି ଜଣାଇଛନ୍ତି । ମହାଦୀପ ନୀତି ପରେ ଚାରିକର୍ମ ପୂଜା ଓ ହରିହର ଭେଟ ନୀତି ସାରି ଗୁରୁବାର ଭୋର ୫ଟାରେ ପହୁଡ ପଡ଼ିବାର ନିଷ୍ପତ୍ତି ହୋଇଛି । ମହାଖଳା ନିକଟରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଦ୍ୱାରା ଆୟୋଜିତ ହେବାକୁ ଥିବା ଜାତୀୟ ଭଜନ ସମାରୋହରେ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନେତୃତ୍ୱରେ ବଲିଉଡ ଗାୟିକା ଅନୁରାଧା ପଡ଼ୁୱାଲ,ଉଷା ଉଥପ,କୁମାର ସଞ୍ଜୟ, ଅଭିଜିତ ଘୋଷାଲ, ପ୍ରତ୍ୟୁଷ ଶର୍ମା ଓ ମଧୁମିତା ପଲ ପ୍ରମୁଖ ଭଜନ ପରିବେଷଣ କରିବେ । ଏମାନଙ୍କ ବ୍ୟତୀତ ରାଜ୍ୟର ବଛା ବଛା କଳାକାର ମାନେ ମଧ୍ୟ ଭଜନ ଗାଇବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.