ଚମ୍ପୁଆ,୨୮/ ୦୫: ଜଙ୍ଗଲରେ ଛତୁ ଗୋଟାଇବା ବେଳେ ଦନ୍ତା ଆକ୍ରମଣର ଶିକାର । ଏଥିରେ ୨ଜଣ ମହିଳା ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ପତଳା ଜଙ୍ଗଲକୁ ୨ଜଣ ମହିଳା ଛତୁ ତୋଳିବାକୁ ଯାଇଥିଲେ । ଏହି ସମୟରେ ଉଭୟଙ୍କୁ ହାତୀ ଆକ୍ରମଣ କରିଥିଲା । ଏଥିରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି । ସାଙ୍ଗରେ ଥିବା ଅନ୍ୟ ଜଣେ ମହିଳା ଦୌଡ଼ି ପଳାଉଥିବା ସମୟରେ ଗଛରେ ପିଟି ହୋଇ ଆହତ ହୋଇଛନ୍ତି । ଉଭୟଙ୍କୁ ଉଦ୍ଧାର କରାଯାଇ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଚମ୍ପୁଆ ବ୍ଲକ୍ ରଜିଆ ପଞ୍ଚାୟତ ଅନ୍ତର୍ଗତ ପତଳା ଗାଁର ସ୍ୱର୍ଗତ ଶୁଦ୍ର ନାଏକଙ୍କ ସ୍ତ୍ରୀ ଗୀତାରାଣୀ ନାଏକ (୬୦) ଓ ଦୁଷ୍ମନ୍ତ ନାଏକଙ୍କ ସ୍ତ୍ରୀ ପଦ୍ମିନୀ ନାଏକ (୪୫) ସାଙ୍ଗ ହୋଇ ନିକଟସ୍ଥ ଜଙ୍ଗଲକୁ ଛତୁ ଗୋଟାଇବାକୁ ଯାଇଥିଲେ । ଏତିକି ବେଳେ ଏକ ଗୋଠଛଡ଼ା ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀଟି ଗୀତାରାଣୀଙ୍କୁ ଶୁଣ୍ଢରେ ଉଠାଇ ଫିଙ୍ଗି ଦେଇଥିଲା । ସେ ତଳେ ପଡ଼ିଯିବାରୁ ତାଙ୍କର ଗୋଡ଼ ଭାଙ୍ଗିଯାଇଥିଲା । ଏହା ଦେଖି ସାଙ୍ଗରେ ଥିବା ପଦ୍ମିନୀ ଭୟରେ ଦୌଡ଼ି ପଳାଉଥିବା ବେଳେ ଗଛରେ ପିଟି ହୋଇ ଆହତ ହୋଇଥିଲେ । ଖବର ପାଇ ବନବିଭାଗ ଓ ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଗୀତାରାଣୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । କହିରଖୁ କି, ଗୀତାରାଣୀଙ୍କ ସ୍ୱାମୀ ଶୁଦ୍ର ନାଏକ ମଧ୍ୟ ୨୦୧୨ ମସିହାରେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ ।