ବାସୁଦେବପୁର, ୨୫/୯ : ବିଷାକ୍ତ ମାଛ ତରକାରୀ ଖାଇ ଚାଲିଗଲା ୨ ବର୍ଷର ଶିଶୁର ଜ, ୩ ଗୁରୁତର। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ବରଣ୍ଡୁଆ ପଞ୍ଚାୟତରେ ଏଭଳି ଘଟଣା ଘଟିଛି। ଗୁରୁତରଙ୍କୁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଚିକିତ୍ସା ଚାଲିଛି।
ସୂଚନାନୁଯାୟୀ, ବାସୁଦେବପୁର ବ୍ଲକ୍ ବରଣ୍ଡୁଆ ପଞ୍ଚାୟତର ସୁରେନ୍ଦ୍ର ବନ୍ଧଙ୍କ ପରିବାର ବୁଧବାର ସକାଳେ ସାମୁଦ୍ରିକ ମାଛ ରୋଷେଇ କରି ଖାଇଥିଲେ। ରାତିରେ ସୁରେନ୍ଦ୍ରଙ୍କ ବ୍ୟତୀତ ସ୍ତ୍ରୀ କନକଲତା, ବଡ଼ ଝିଅ ଲକ୍ଷ୍ମୀପ୍ରିୟା ସହିତ ଦୁଇ ବର୍ଷର ଯାଆଁଳା ପୁଅ ସୁଜିତ ଓ ଅଜିତ ଖାଇଥିଲେ। ରାତିରେ ପରିବାରର ସମସ୍ତଙ୍କୁ ବାନ୍ତି ହେବା ସହିତ ଆଜି ସକାଳେ ପୁଅ ସୁଜିତ ସଜ୍ଞାହୀନ ହୋଇଯାଇଥିଲା। ତୁରନ୍ତ ପରିବାର ଲୋକେ ସମସ୍ତଙ୍କୁ ବାସୁଦେବପୁର ଡାକ୍ତରଖାନା ନେଇ ଆସିଥିଲେ। ହେଲେ ଏଠାରେ ସୁଜିତକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଆଉ ଏକ ପୁଅ ଅଜିତ ଓ ଝିଅ ଲକ୍ଷ୍ମୀ ଗୁରୁତର ହୋଇପଡ଼ିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କୌଣସି କାରଣରୁ ଖାଦ୍ୟ ବିଷାକ୍ତ ହୋଇଥିବାରୁ ଏପରି ଅଘଟଣ ହୋଇଥିବା ଡାକ୍ତର କହିଛନ୍ତି।