ନବରଙ୍ଗପୁର,୧୯/୬(ଆପ୍ର): ସଵ୍ ପୋଷ୍ଟ ଅଫିସରେ ଟଙ୍କା ଆତ୍ମସାତ ମାମଲାର ବିଚାର କରି ନବରଙ୍ଗପୁର ସିଜେଏମ୍ ତତ୍କାଳୀନ ସବ୍ ପୋଷ୍ଟମାଷ୍ଟରଙ୍କୁ ୨ ବର୍ଷ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହ ୧୦ ହଜାର ଟଙ୍କା ଜରିମାନା ପାଇଁ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ୪ ମାସ ଜେଲ୍ ଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି। ସବ୍ ପୋଷ୍ଟମାଷ୍ଟର ଜଣକ ହେଉଛନ୍ତି ହରେନ୍ଦ୍ର ନାୟକ । ତାଙ୍କ ଗାଁ ମାଲକାନଗିରି ଜିଲ୍ଲା ପଦମକେଶପୁରରେ ।
ଏହି ମାମଲାର ପରିଚାଳନା କରୁଥିବା ଅତିରିକ୍ତ ସରକାରୀ ଓକିଲ ମୀନକେତନ ପୂଜାରୀଙ୍କ ସୂଚନା ଅନୁଯାୟୀ, ୨୦୦୮ ଡିସେମ୍ବର ୯ରେ ନବରଙ୍ଗପୁର ପୋଷ୍ଟ ଅଫିସ ନୀରିକ୍ଷକ ଭବାନୀ ପ୍ରସାଦ ପାଢ଼ୀ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ। ଏତଲାରେ ଉଲ୍ଲେଖ କରିଥିଲେ ଯେ, ଡଙ୍ଗରଭେଜା ସଵ୍ ପୋଷ୍ଟ ଅଫିସ କାଗଜପତ୍ର ଯାଞ୍ଚ ବେଳେ ସଵ୍ ପୋଷ୍ଟମାଷ୍ଟର ହରେନ୍ଦ୍ର ନାୟକ ୨୦ ହଜାର ୭୩୪ଟଙ୍କା ୫୫ ପଇସା ଆତ୍ମସାତ କରିଥିବା ଜଣାପଡ଼ିଥିଲା ।ଏତଲାକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିଥିଲା। । ଏହି ମାମଲାର ବିଚାର କରି ନବରଙ୍ଗପୁର ସିଜେଏମ୍ ୧୪ ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଉପରୋକ୍ତ ରାୟ ଦେଇଛନ୍ତି।