ଖଲ୍ଲିକୋଟ, ୫/୮ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଘରେ ଶୋଇଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଘରେ ପଶି ଆକ୍ରମଣ କଲେ ୩ ରୁ ୪ ଜଣ ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଟିଆ ସାହି ଛକ ନିକଟରେ ଏହି ଘଟଣା ଘଟିଛି। ୨ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତମାନେ ଫେରାର୍ ହୋଇଛନ୍ତି। ଖଲ୍ଲିକୋଟ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। 

ସୂଚନାନୁଯାୟୀ, ସୋମବାର ରାତିରେ ଫାସୁଳା ଗ୍ରାମର ସିଲୁ ପାହାନ (୩୦ ବର୍ଷ) ଓ ତୁଳସୀପୁର ଗ୍ରାମର ରାଜେଶ ପଲେଇ (୨୮ ବର୍ଷ) ମାଟିଆ ସାହି ଛକରେ ଥିବା ଏକ ଘରେ ଶୋଇଥିଲେ। ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ୩ ରୁ ୪ ଜଣ ଦୁର୍ବୃତ୍ତ ଘରେ ପଶି ଉଭୟଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଖବର ପାଇ ଖଲ୍ଲିକୋଟ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା କରାଯାଇ ସଙ୍ଗେ ସଙ୍ଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସିଲୁ ପାହାନଙ୍କ ତଣ୍ଟିରେ ଛୁରୀ ପଶି ଆଖି ପର୍ଯ୍ୟନ୍ତ ଯାଇଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେହିପରି ରାଜେଶ ପଲେଇଙ୍କ ତଣ୍ଟିକୁ ଛୁରୀରେ କଟା ଯାଇଥିବା ବେଳେ ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ସେପଟେ ଆକ୍ରମଣ କରିଥିବା ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।