ଭୁବନେଶ୍ୱର, ଜାନୁଆରୀ ୩୧।୧: ମହିଳା ରହିବେ ଡ୍ରାଇଭର, କଣ୍ଡକ୍ଟର ଏବଂ ହେଲପର୍ । ଶନିବାର ଟ୍ରେନିଂ ପାଇଁ ପୁଣେ ଯିବେ ୨୦ ମହିଳା ଡ୍ରାଇଭର । ସହରାଞ୍ଚଳ ପରିବହନରେ ମହିଳାମାନଙ୍କ ସହଭାଗୀତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ପ୍ରମୁଖ ଏବଂ ସବୁଠାରୁ ନିର୍ଭରଯୋଗ୍ୟ ଜନ ପରିବହନ ବ୍ୟବସ୍ଥା-କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ଏହାର ‘ଆମ ବସ୍’ ସେବା ପାଇଁ ମହିଳା ଡ୍ରାଇଭରମାନଙ୍କୁ ସାମିଲ କରିବା ଆରମ୍ଭ କରିଛି । ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପ୍ରଥମ ପର୍ଯ୍ୟାୟରେ, ପୁଣେରେ ଉଚ୍ଚ ମାନର ପ୍ରଶିକ୍ଷଣ ନେବା ପାଇଁ ଭାରୀ ମୋଟର ଯାନ (HMV) ଲାଇସେନ୍ସ ଥିବା ୨୦ ଜଣ ମହିଳା ଡ୍ରାଇଭରଙ୍କୁ ଚୟନ କରାଯାଇଛି । ଏହି ପ୍ରଶିକ୍ଷାର୍ଥୀମାନେ ଆଧୁନିକ ଇଲେକ୍ଟ୍ରିକ୍ ବସ୍ ପରିଚାଳନାରେ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ତାଲିମ ନେବା ପାଇଁ ଆଜି ବିମାନ ଯୋଗେ ପୁଣେ ଅଭିମୁଖେ ଯାତ୍ରା କରିଛନ୍ତି ।
ପୁଣେ ଯିବା ପୂର୍ବରୁ ମହିଳା ଡ୍ରାଇଭରମାନଙ୍କୁ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ ସମ୍ମାନିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ତାଲିମ କାର୍ଯ୍ୟକ୍ରମକୁ ସଫଳତାର ସହ ଶେଷ କରିବା ଏବଂ ଜନ ପରିବହନ ସେବାରେ ଉଦାହରଣ ସୃଷ୍ଟି କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ । ୨ରୁ ୧୫ ଫେବ୍ରୁଆରୀ ୨୦୨୬ ପର୍ଯ୍ୟନ୍ତ ସ୍ଥିର ହୋଇଥିବା ୧୪ ଦିନିଆ ଉଚ୍ଚ ମାନର ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଜିଆଇଜେଡ (Deutsche Gesellschaft für Internationale Zusammenarbeit) ର ବୈଷୟିକ ସହାୟତାରେ ପୁଣେର ମୂଳ ଉପକରଣ ନିର୍ମାତା ‘ଏକ୍କା ମୋବିଲିଟି’ ପ୍ଲାଣ୍ଟରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଇଲେକ୍ଟ୍ରିକ୍ ବସ୍ ପରିଚାଳନା, ଉନ୍ନତ ଡ୍ରାଇଭିଂ, ସୁରକ୍ଷା ପ୍ରୋଟୋକଲ୍ ଏବଂ ପରିଚାଳନାଗତ ଉତ୍କର୍ଷତା ଉପରେ ଧ୍ୟାନ ଦିଆଯିବ । ପ୍ରଶିକ୍ଷାର୍ଥୀମାନେ ୧୭ ଫେବୃଆରୀ ୨୦୨୬ରେ ଫେରିବାର କାର୍ଯ୍ୟକ୍ରମ ରହିଛି ।
ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ ବିଶ୍ୱାଳ, ମହାପ୍ରବନ୍ଧକ ଶ୍ରୀ ସହଦେବ ସମାଧିଆ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସେମାନେ ପ୍ରଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଦକ୍ଷତା ବିକାଶ, ମହିଳା ସଶକ୍ତିକରଣ ଏବଂ ସହରାଞ୍ଚଳ ଜନ ପରିବହନ ସେବାକୁ ସୁଦୃଢ଼ କରିବା ପାଇଁ କ୍ରୁଟର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ସହରାଞ୍ଚଳ ପରିବହନ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ସ୍ଥାୟୀ ଜୀବିକା ସୁଯୋଗ ଏବଂ ନେତୃତ୍ୱ କୌଶଳର ବିକାଶ କରିବା ସହିତ ଏକ ସୁରକ୍ଷିତ, ସମାନତା ଆଧାରିତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଜନ ପରିବହନ ବ୍ୟବସ୍ଥା ଗଠନକୁ ଓଡ଼ିଶା ସରକାର ପ୍ରାଧାନ୍ୟ ଦେଉଛନ୍ତି ।
ଆହୁରି ପଢ଼ନ୍ତୁ...ରାଜ୍ୟ ସରକାରଙ୍କୁ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ: ଅପମାନଜନକ 'ଡାହାଣୀ' ଶଦ୍ଦକୁ ନିଷିଦ୍ଧ କର, ଆଇନରେ ଆଣ ସଂଶୋଧନ