ଭୁବନେଶ୍ଵର, ୨୧/ ୦୫ : ଭୁଶୁଡ଼ୁଛି ଲାଲଗଡ଼। ଶେଷ ନିଃଶ୍ଵାସ ଗଣୁଛି ନକ୍ସଲବାଦ। ଲୁଚିବାକୁ ଆଉ ସୁରକ୍ଷିତ ନାହିଁ ଘଞ୍ଚ ଜଙ୍ଗଲ। ଚାରିପଟୁ ଘେରିଗଲେଣି ସୁରକ୍ଷାବାହିନୀ। ଆତ୍ମସମର୍ପଣ ନହେଲେ ଗୁଳି ନକ୍ସଲଙ୍କ ପାଖରେ ଶେଷ ବିକଳ୍ପ। ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ବଡ଼ ମାଓ ଦମନ ଅପରେସନ୍। ସୁରକ୍ଷାବାହିନୀକୁ ବଡ଼ ସଫଳତା। ଯବାନଙ୍କ ଗୁଳିରେ ଟଳିଲା ୧ କୋଟି ଟଙ୍କାର ମୁଣ୍ଡ। ୩୦ରୁ ଉର୍ଦ୍ଧ୍ଵ ନକ୍ସଲ ନିହତ। ଦୁର୍ଦ୍ଦାନ୍ତ ମାଓ ନେତା ବାସବରାଜ୍ ନିପାତ ହୋଇଥିବା ସୂଚନା। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଏବେବି ଗୁଳି ବିନିମୟ ଜାରି।
ଆସନ୍ତା ବର୍ଷ ସୁଦ୍ଧା ଦେଶରୁ ନକ୍ସଲବାଦ ମୂଳପୋଛ ପାଇଁ ସରକାରଙ୍କ ଟାର୍ଗେଟ୍କୁ ପୂରା କରିବାକୁ ସୁରକ୍ଷାବାହିନୀ ଜୋରଶୋରରେ ମାଓଦମନ ଅପରେସନ ଚଳାଇଛି। ଯାହାର ନାଁ ରହିଛି ଅପରେସନ 'କାଗାର' । ଛତିଶଗଡ଼-ଓଡ଼ିଶା-ତେଲେଙ୍ଗାନା ଆଦି ରାଜ୍ୟମାନଙ୍କରେ ଲୁଚି ରହିଥିବା ନକ୍ସଲଙ୍କୁ ଦମନ ପାଇଁ ଏହି ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏହି ଅପରେସନରେ ୧୦ ହଜାରରୁ ଅଧିକ ଯବାନ ସାମିଲ ଅଛନ୍ତି । ତେବେ ଏହି କ୍ରମରେ ଛତିଶଗଡ଼ ନାରାୟଣପୁର ଅବୁଝମାଡ଼ ଜଙ୍ଗଲରେ ନକ୍ସଲ ଲୁଚି ରହିଥିବାର ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ସୁରକ୍ଷାବାହିନୀ ଅପରେସନକୁ ଜୋରଦାର୍ କରିଥିଲା। ତେବେ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ଦେଖି ନକ୍ସଲମାନେ ଗୁଳିଚାଳନା କରିଥିଲେ। ଯାହାର ସୁରକ୍ଷାକର୍ମୀ ଦୃଢ ଜବାବ ଦେଇଥିଲେ। ଏହି ଏନକାଉଣ୍ଟରରେ ୩୦ରୁ ଉର୍ଦ୍ଧ୍ଵ ନକ୍ସଲ ନିପାତ ହୋଇଛନ୍ତି। ଯବାନଙ୍କ ଗୁଳିରେ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା ହୋଇଥିବା ଦୁର୍ଦ୍ଦାନ୍ତ ମାଓ ନେତା ବାସବରାଜ୍ ନିପାତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏନକାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି।
ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ୫୦ ଘଣ୍ଟାର ଅପରେସନରେ ୩୦ରୁ ଉର୍ଦ୍ଧ୍ଵ ନକ୍ସଲ ନିପାତ ହୋଇଛନ୍ତି। ଯବାନଙ୍କୁ ବଡ଼ ସଫଳତା ମିଳିଛି। ନାରାୟଣପୁର, ବିଜାପୁର ଏବଂ ଦାନ୍ତେୱାଡା ଜିଲ୍ଲାରେ ଡିଆରଜି ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଏବେବି ଜାରି ରହିଛି। ମାଡ଼ ଅଞ୍ଚଳରେ ବୁଧବାର ସକାଳୁ ଫାୟାରିଂ ହେଉଛି। ଡିଆରଜି ଯବାନମାନେ ରୂପେଶ ଏବଂ ବିକଳ୍ପ ସମେତ ବହୁ ନକ୍ସଲ ଲିଡରଙ୍କୁ ଘେରି ରହିଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।