ଫୁଲବାଣୀ,୨୫/୨ : ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣୀ କରି ଫୁଲବାଣୀ ସ୍ବତନ୍ତ୍ର ପୋକସୋ କୋର୍ଟ ବିଚାରପତି ରାଜେଶ ଦାଶ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ ଜେଲଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଅଭିଯୁକ୍ତକୁ ୫୭ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୧୧ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଟିକାବାଲି ଥାନା ଅଞ୍ଚଳର ବାଦଲ ଦିଗାଲ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ସହିତ ପୀଡିତା ନାବାଳିକାଙ୍କ ଏକ ଭୋଜିରେ ସାକ୍ଷାତ ହୋଇଥିଲା। ପରେ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ଭଲ ପାଇ ବସିଥିଲେ। ୨୦୨୦ ଜୁନ ୧୩ ତାରିଖ ରାତିରେ ଅଭିଯୁକ୍ତ ନାବାଳିକାଙ୍କ ଘରେ ପହଞ୍ଚି ବିବାହ ଓ ଅନ୍ୟାନ୍ୟ ପ୍ରଲୋଭନ ଦେଇ ତାଙ୍କୁ ସାଙ୍ଗରେ ନେଇ ବୌଦ୍ଧ ଜିଲ୍ଲାର ଲଣ୍ଡ୍ରେଜୁ ଗ୍ରାମରେ ଥିବା ନିଜ ମାମୁଁ ଘରକୁ ଚାଲି ଯାଇଥିଲେ। ଝିଅ ଘରେ ନ ଥିବା ଜାଣି ପରିବାର ଲୋକେ ଖୋଜାଖୋଜି କରିବା ପରେ ସେ ଲଣ୍ଡ୍ରେଜୁରେ ଥିବା ଜାଣିବାକୁ ପାଇଥିଲେ। ୧୮ ତାରିଖ ଦିନ କିଛି ସମ୍ପର୍କୀୟଙ୍କ ସହିତ ସେମାନେ ସେଠାରେ ପହଞ୍ଚି ଥିଲେ। କିନ୍ତୁ ଅଭିଯୁକ୍ତ ଝିଅକୁ ଛାଡିବା ପରିବର୍ତ୍ତେ ସେମାନଙ୍କୁ ଧମକ ଚମକ ଦେଇ ସେଠାରୁ ଘଉଡାଇ ଦେଇଥିଲେ। ଫଳରେ ୨୦ ତାରିଖରେ ପରିବାର ଲୋକେ ଟିକାବାଲି ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ପୀଡିତାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଗିରଫ କରିଥିଲା। ମାମୁଁ ଘରେ ରହିବା ସମୟରେ ଅଭିଯୁକ୍ତ ପିଡିତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ପୁଲିସ ତଦନ୍ତ ବେଳେ ଜାଣି ପାରିଥିଲା। ଆଜି ଏହି ମାମଲାର ଶୁଣାଣୀ କରି ଅଦାଲତ ୧୦ ଜଣ ସାକ୍ଷୀ ଓ ପୀଡିତାଙ୍କ ବୟାନ ଏବଂ ଡାକ୍ତରୀ ରିପୋର୍ଟ ଆଧାରରେ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ପୀଡିତାଙ୍କୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରିଥିଲେ।