ଭବାନୀପାଟଣା,୧୭।୯: କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାର ବିଚାର କରି ବିଚାରପତି ୪ ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ୫୦ ହଜାର ଟଙ୍କା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭବାନୀପାଟଣା ସ୍ଵତନ୍ତ୍ର ପୋକସୋ କୋର୍ଟ ଜଜ୍ ରାଜୀବ ଲୋଚନ ସାହୁ ଚାରି ଜଣ ଆସାମୀଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ପୀଡ଼ିତାଙ୍କୁ ୫ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ୨୦୨୩ ଏପ୍ରିଲ ୧୬ତାରିଖ ବିଜେପୁର ଥାନା ଅନ୍ତର୍ଗତ ଏକ ଗାଁରେ ନାଟକ ଦେଖି ସକାଳୁ ତିନି ଜଣ ନାବାଳିକା ଘରକୁ ଫେରୁଥିଲେ। ପାଜିବାହାଲି ବ୍ରିଜ ଠାରେ ବସିଥିବା ଜଣେ ନାବାଳକ ସମେତ ଧାନେଷ୍ଟି ନାଏକ(୩୧), ସୁମନ୍ତ ନାଏକ (୨୦), ଅମର ହରିଜନ(୨୬), ରାଜୀବ ମାଝି (୨୬) ନାବାଳିକା ମାନଙ୍କ ରାସ୍ତା ଅଟକାଇ କେଉଁ ଗାଁର ବୋଲି ପଚାରିଥିଲେ। ପରେ ସେମାନଙ୍କ ହାତ ଟାଣି ଥିଲେ। ଜଣେ ନାବାଳିକା ଜୀବନ ବିକଳରେ ସେମାନଙ୍କ ହାତରୁ ଖସି ଯାଇଥିଲେ। ଅନ୍ୟ ଦୁଇ ନାବାଳିକାକୁ ଅଭିଯୁକ୍ତ ମାନେ ଦୁଷ୍କର୍ମ କରିଥିଲେ। ସେହିଦିନ ପୀଡ଼ିତା ମାନେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ଗତ ୨୦୨୩ ଏପ୍ରିଲ ୧୯ ତାରିଖ ପୀଡ଼ିତା ମାନେ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବିଜେପୁର ଥାନାରୁ ମାମଲାର ତଦନ୍ତକାରୀ ଅଧିକାରୀ ଲିଙ୍ଗରାଜ ସେଠୀ ,ଦ୍ଵିତୀୟ ଅଫିସର ରିନା କୁମାରୀ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲେ।
ଏହି ମାମଲାର ବିଚାର କରି ସ୍ବତନ୍ତ୍ର ପୋକସୋ ଜଜ୍ ରାଜୀବ ଲୋଚନ ସାହୁ ୩୭ ଜଣ ସାକ୍ଷୀଙ୍କ ବୟାନ ଓ ୩୧ଟି ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ଚାରି ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ୫୦ ହଜାର ଟଙ୍କା ଅନାଦେୟ ପୁଣି ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ନାବାଳକର ଅନ୍ୟ କୋର୍ଟରେ ମାମଲା ବିଚାରଧୀନ ରହିଛି। ଏହି ମାମଲାକୁ ସରକାରୀ ଓକିଲ ରୋହିତ ମିଶ୍ର ପରିଚାଳନା କରିଥିଲେ।