ନୂଆଦିଲ୍ଲୀ,୭।୨: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଭରମୌରରେ ଭୟଙ୍କର ଅଗ୍ନିକାଣ୍ଡ। ଶୁକ୍ରବାର ଖୁନ୍ଦେଲର ଗିରଡ ଗାଁରେ ଥିବା ୨୦୦ ବର୍ଷ ପୁରୁଣା ଗିରଡ ମାତା ମନ୍ଦିରରେ ହଠାତ ନିଆଁ ଲାଗି ଯାଇଥିଲା।ପ୍ରାୟ ଦୁଇ ଶତାବ୍ଦୀ ପୁରୁଣା ଏହି ମନ୍ଦିର ଜଳି ପୋଡି ପାଉଁଶ ହୋଇଯାଇଛି। ଦେବଦାରୁ କାଠରେ ତିଆରି ଏହି ମନ୍ଦିର ମାତ୍ର କିଛି ଘଣ୍ଟାରେ ସମ୍ପୂର୍ଣ୍ଣ ପୋଡି ଯାଇଥିଲା,ଯାହାଫଳରେ ସ୍ଥାନୀୟ ଲୋକଙ୍କ ଆସ୍ଥା ଓ ଆଞ୍ଚଳିକ ସାଂସ୍କୃତିକ ପରିଚୟକୁ ଗଭୀର ଆଘାତ ଲାଗିଥିଲା।

ହିମାଚଳର ଦୁର୍ଗମ ଅଞ୍ଚଳରେ ଥିବା ଗିରଡ ମାତା ମନ୍ଦିର ମୂଲ୍ୟବାନ ଦେବଦାରୁ କାଠରେ ତିଆରି ହୋଇଥିଲା। ଏହି କାଠରେ ନିଆଁ ଲାଗିବା ମାତ୍ରେ ତାହା ମାତ୍ର କିଛି ଘଣ୍ଟାରେ ପୋଡି ପାଉଁଶ ହୋଇଯାଇଥିଲା। ସ୍ଥାନୀୟ ଲୋକ ଯେତେବେଳେ ଘଟଣାସ୍ଥଳରେ ପହଁଞ୍ଚିଥିଲେ ଓ ଉଦ୍ଧାର କରିବା ଚେଷ୍ଟା ଆରମ୍ଭ କରିଥିଲେ, ସେତେବେଳେ ସବୁ କିଛି ଶେଷ ହୋଇ ସାରିଥିଲା। ଲକ୍ଷାଧିକ ଟଙ୍କାର ଆର୍ଥିକ କ୍ଷତି ଘଟିଥିଲା।

ଅଗ୍ନିକାଣ୍ଡରେ କେବଳ ମନ୍ଦିର ନୁହେଁ ମୂର୍ତ୍ତି ମଧ୍ୟ କ୍ଷତି ହୋଇଛି। ମନ୍ଦିରରେ ଥିବା ପ୍ରାଚୀନ ଓ ଐତିହାସିକ ଗୁରୁତ୍ବକୁ ମଧ୍ୟ ଅପୁରଣନୀୟ କ୍ଷତି ସହିବାକୁ ପଡିଛି। ମାର୍ବଲ ଓ ଦୁର୍ଲଭ ‘ବ୍ଲାକ ଷ୍ଟୋନ୍’ରେ ନିର୍ମିତ ମାତାଙ୍କ ମୂର୍ତ୍ତି ନିଆଁର ପ୍ରକୋପରେ କ୍ଷତିଗ୍ରସ୍ତ ହୋଇଯାଇଛି। ମନ୍ଦିରରେ ଥିବା ପିତ୍ତଳର ପ୍ରାଚୀନ୍ ମୂର୍ତ୍ତି ମଧ୍ୟ ପ୍ରବଳ କ୍ଷୟକ୍ଷତି ହୋଇଛି। ଦେବଦାରୁର କାଠରେ ତିଆରି ଏହି ଦୁର୍ଲଭ ଓ ପ୍ରାଚୀନ କାରୁକାର୍ଯ୍ୟ ଏବେ କେବଳ ସ୍ମୃତିରେ ରହିଯିବ।

ଆହୁରି ପଢନ୍ତୁ : ମାତ୍ର ୪ ବର୍ଷ, ତାପରେ ପୃଥିବୀକୁ ଆସିବ ‘ସ୍ପେସ୍ ଷ୍ଟେସନ୍’ : କେବଳ ଚୀନ୍‌ର ରହିବ ଦବଦବା, ଭାରତର ଏଭଳି ରହିଛି ଯୋଜନା