ଚବିଶରେ ଏଆଇ, ବିଜ୍ଞାନ ଓ ଟେକ୍ନୋଲୋଜି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଉଦ୍ଭାବନ ହୋଇଥିଲା । ଏଆଇ ଦ୍ୱାରା ପରିଚାଳିତ ବୈଜ୍ଞାନିକ ଆବିଷ୍କାର, ଯୁଗାନ୍ତକାରୀ ପ୍ରତ୍ନତାତ୍ତ୍ୱିକ ଆବିଷ୍କାର ଓ ଚିକିତ୍ସା ବିଜ୍ଞାନରେ ନୂଆ ନୂଆ ଉଦ୍ଭାବନ ବର୍ଷ ତମାମ ଚର୍ଚ୍ଚାର ବିଷୟ ହୋଇଥିଲା । ମହାକାଶ ବିଜ୍ଞାନ ପାଇଁ ଏହା ଉତ୍କର୍ଷର ବର୍ଷ ଥିଲା । ଭାରତ ସମେତ ବିଶ୍ୱର ଅନେକ ମହାକାଶ ଏଜେନ୍ସି ନୂଆ ଉପଲବ୍ଧି ଓ ସଫଳତା ଜରିଆରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଠିଆକଲେ ।
ପ୍ରସ୍ତୁତି: ପ୍ରିୟଦର୍ଶିନୀ କର
ମହାକାଶରେ ମାଇଲଖୁଣ୍ଟ
ଚନ୍ଦ୍ରଯାନ-୩ର ବିକ୍ରମ ସକ୍ରିୟ- ବର୍ଷ ଆରମ୍ଭରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର୍ ବିକ୍ରମକୁ ନେଇ ଖୁସି ଖବର ଆସିଥିଲା । ୨୦୨୩, ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ପରେ ବିକ୍ରମ ପୂର୍ବ ନିର୍ନ୍ଧାରିତ କାର୍ଯ୍ୟ ସମ୍ପାଦନ କରିଥିଲା । ତେବେ, ମିଶନ ଅବଧି ଶେଷ ହେବା ପରେ ଏହା ପୃଥିବୀକୁ ଆଉ ସଙ୍କେତ ଦେଇନଥିଲା । ଏ ବର୍ଷ ଆରମ୍ଭରେ ଇସ୍ରୋ ଖୁସି ଖବର ଦେଇ ସ୍ପଷ୍ଟ କଲା, ବିକ୍ରମ ଏବେ ବି ଅଚଳ ହୋଇନାହିଁ । ଏଥିରେ ସଂଲଗ୍ନ ନାସାର ଏଲ୍ଆର୍ଏ ଦୀର୍ଘ ସମୟ ପର୍ଯ୍ୟନ୍ତ ଜିଓଡେଟିକ୍ ଷ୍ଟେସନ୍ ଓ ଚନ୍ଦ୍ର ପୃଷ୍ଠରେ ସ୍ଥାନ ଚିହ୍ନଟକାରୀ ରୂପେ କାମ କରିବ ।
ଇନ୍ସାଟ୍-୩ ଡିଏସ୍ର ସଫଳ ଉତ୍କ୍ଷେପଣ
ଭାରତର ସବୁଠୁ ଉନ୍ନତ ପାଣିପାଗ ଉପଗ୍ରହ ଇନ୍ସାଟ୍-୩ଡିଏସ୍ ମିଶନ୍ର ସଫଳତାପୂର୍ବକ ଉତ୍କ୍ଷେପଣ କରିଥିଲା ଇସ୍ରୋ । ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟର୍ର ଜିଏସ୍ଏଲ୍ଭିଏଫ୍୧୪ ରକେଟ୍ ଦ୍ୱାରା ଏହି ଉପଗ୍ରହକୁ ନିର୍ଦ୍ଧାରିତ କକ୍ଷକୁ ଛଡ଼ାଯାଇଥିଲା । ଏଇଟି ଉକ୍ତ ସିରିଜ୍ର ୩ୟ ପିଢ଼ିର ସାଟେଲାଇଟ୍ । ୧୦ ବର୍ଷ ପର୍ଯ୍ୟନ୍ତ ଏହା ସଠିକ୍ ପାଣିପାଗ ତଥ୍ୟ ପ୍ରଦାନ କରିବ । ଏହି ସଫଳତା ପରେ ଇସ୍ରୋ ୩ ଉପଲବ୍ଧି ହାସଲ କରିଥିଲା । ପ୍ରଥମତଃ ଏହା ଜିଏସ୍ଏଲ୍ଭିର ୧୬ତମ ଉତ୍କ୍ଷେପଣ । ସ୍ୱଦେଶୀ କ୍ରାୟୋ ଷ୍ଟେଜ୍ର ୧୦ମ ଉଡ଼ାଣ ଏବଂ ସ୍ୱଦେଶୀ କ୍ରାୟୋ ଷ୍ଟେଜ୍ର ୭ମ ଅପରେସନାଲ୍ ଉଡ଼ାଣ ।
ଚନ୍ଦ୍ର ମାଟି ତଳେ ବରଫ ପାଇଲା ଇସ୍ରୋ
ଚନ୍ଦ୍ରରେ ଅନୁମାନଠୁ ଢେର ଅଧିକ ମାତ୍ରାରେ ବରଫ ମହଜୁଦ ଅଛି । ଚଳିତ ବର୍ଷ ଇସ୍ରୋ ଅଧ୍ୟୟନରୁ ଏହା ସ୍ପଷ୍ଟ କରିଥିଲା । ଚନ୍ଦ୍ରର ମେରୁ ଗର୍ତ୍ତରେ ବରଫ ଅବସ୍ଥାରେ ଜଳର ବ୍ୟାପକ ଉପସ୍ଥିତିର ପ୍ରମାଣ ମିଳିଥିବା ଅଧ୍ୟୟନ ଖୁଲାସା କରିଥିଲା । ଇସ୍ରୋର ସ୍ପେସ୍ ଆପ୍ଲିକେସନ୍ସ ସେଣ୍ଟର୍ର ବୈଜ୍ଞାନିକଙ୍କ ସମେତ ଆଇଆଇଟି କାନପୁର, ସଦର୍ନ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ଜେଟ୍ ପ୍ରପଲସନ୍ ଲାବୋରେଟୋରୀ ଓ ଆଇଆଇଟି ଧନବାଦ୍ର ବୈଜ୍ଞାନିକଙ୍କ ଦ୍ୱାରା ପରିଚାଳିତ ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଥିଲା ।
୭୩୬ କିମି ଉପରେ ୨ ମହାକାଶଚାରୀଙ୍କ ସ୍ପେସ୍ୱାକ୍
ଏଲନ ମସ୍କଙ୍କ କମ୍ପାନି ସ୍ପେସ୍ଏକ୍ସର ପୋଲାରିସ୍ ଡନ୍ ମିଶନରେ ସେପ୍ଟେମ୍ବର ୧୨ ତାରିଖରେ ଦୁଇଜଣ ମହାକାଶଚାରୀ ପୃଥିବୀର ପ୍ରାୟ ୭୩୬ କିମି ଉପରେ ସ୍ପେସ୍ୱାକ୍ କରିଥିଲେ । ଏହି ସମୟରେ ମହାକାଶଯାନର ବେଗ ଘଣ୍ଟାପ୍ରତି ୨୫ ହଜାର କିମି ଥିଲା । ଏହା ଘରୋଇ ମହାକାଶଯାନ ଦ୍ୱାରା ପ୍ରଥମ ସ୍ପେସ୍ୱାକ୍ ଥିଲା । ସେପ୍ଟେମ୍ବର ୧୦ ତାରିଖରେ ପୋଲାରିସ୍ ଡନ୍ ମିଶନ ଲଞ୍ଚ୍ ହୋଇଥିଲା ।
ଭାରତୀୟ ମହାକାଶ କେନ୍ଦ୍ରର ନୂଆ ଡିଜାଇନ୍
ଭାରତୀୟ ମହାକାଶ କେନ୍ଦ୍ରର ନୂଆ ଡିଜାଇନ୍ ଏ ବର୍ଷ ସାମ୍ନାକୁ ଆସିଥିଲା । ସାଧାରଣତଃ ୩-୪ ଜଣ ମହାକାଶଚାରୀ ଏଥିରେ ରହିବେ । କିନ୍ତୁ ଆବଶ୍ୟକ ପଡ଼ିଲେ ସର୍ବାଧିକ ୬ ମହାକାଶଚାରୀ ରହିପାରିବେ । ଭାରତୀୟ ମହାକାଶ କେନ୍ଦ୍ରରେ କେବଳ ୩ ମହାକାଶଚାରୀ ରହିପାରିଥାନ୍ତେ, ତାହା ପୁଣି ୧୫-୨୦ ଦିନ ପାଇଁ । କିନ୍ତୁ ନୂଆ ଡିଜାଇନ୍ରେ ଏହାକୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରଠୁ ମଧ୍ୟ ଉତ୍କୃଷ୍ଟ ନିର୍ମାଣ କରାଯାଉଛି ।
ବିଶ୍ୱର ପ୍ରଥମ ଏଆଇ ଶିଶୁ
ଚୀନ୍ର ବୈଜ୍ଞାନିକମାନେ ଏକ ମାନବ ଆକୃତିର ଏଆଇ କଣ୍ଢେଇ ନିର୍ମାଣ କରିଥିଲେ । ନାଁ ଟଙ୍ଗ୍ ଟଙ୍ଗ୍ । ବୟସ ୩ ବର୍ଷର ଶିଶୁ ଭଳି । ବେଜିଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଜେନେରାଲ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ବିଆଇଜିଏଆଇ)ରେ ଏହା ବିକଶିତ ହୋଇଥିଲା । ସମାନ ବୟସର ମାନବ ଶିଶୁର ଭାବନାତ୍ମକ ବିକାଶ ଓ ଧୀ ସମ୍ବନ୍ଧୀୟ ଦକ୍ଷତା ଏହା ଧାରଣ କରିଛି । ଗଭାବନାତ୍ମକ ଜ୍ଞାନ ଓ ୬୦୦ରୁ ଅଧିକ ଶବ୍ଦ ଏହାକୁ ପ୍ରଦାନ କରାଯାଇଛି ।
ଏଆଇ ଏୟାର ହୋଷ୍ଟେସ୍
କାତାର ଏୟାରୱେଜ୍ ଏଆଇ ପରିଚାଳିତ ଏକ ଡିଜିଟାଲ ମାନବ ଏୟାର ହୋଷ୍ଟେସ୍ର ଅନାବରଣ କରିଥିଲା । ନାଁ- ସମା ୨.୦ । ଏହା ଏକ ହୋଲୋଗ୍ରାଫିକ୍ ଛବି । ଉତ୍ତମ ଯାତ୍ରାର ଅନୁଭବ ପ୍ରଦାନ ନିମନ୍ତେ ଏହା ଯାତ୍ରୀଙ୍କୁ ସାହାଯ୍ୟ କରିବ । ରିୟଲ୍ ଟାଇମ୍ରେ ଏହା ପ୍ରଶ୍ନଗୁଡ଼ିକର ଉତ୍ତର ଦେଇପାରିବ । କାତାର ଏୟାରୱେଜ୍କୁ ନେଇ ବାରମ୍ବାର ପଚରାଯାଉଥିବା ପ୍ରଶ୍ନର ଉତ୍ତର ସହିତ ଲକ୍ଷ୍ୟସ୍ଥଳ ଓ ଅନେକ ଟିପ୍ସ ଦେବ ।
ଚିକିତ୍ସାରେ ନୂଆ ଆଶା
ଡିଏନ୍ଏ ଟେଷ୍ଟ୍ରୁ ୧୮ ପ୍ରକାର କର୍କଟ ଚିହ୍ନଟ
ଆମେରିକୀୟ ଗବେଷକମାନେ ବର୍ଷ ଆରମ୍ଭରେ ଏକ ଯୁଗାନ୍ତକାରୀ ଡିଏନ୍ଏ ଟେଷ୍ଟ୍ର ବିକାଶ କରିଥିଲେ, ଯାହା ୧୮ ଭିନ୍ନ ଭିନ୍ନ କର୍କଟକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରିବ । ଶରୀରର ସମସ୍ତ ପ୍ରମୁଖ ଅଙ୍ଗରେ ଏହା କର୍କଟ ଚିହ୍ନଟ କରିବାରେ ସକ୍ଷମ । କର୍କଟ ଭଳି ପ୍ରାଣଘାତକ ରୋଗର ଚିହ୍ନଟ କ୍ଷେତ୍ରରେ ଏହା ଯୁଗାନ୍ତକାରୀ ପଦକ୍ଷେପ ହେବ । ଏହି ପରୀକ୍ଷଣ ବିଶେଷତଃ କର୍କଟରେ ଲିଙ୍ଗବିଶିଷ୍ଟ ପାର୍ଥକ୍ୟ ଚିହ୍ନଟ କରିବାର କ୍ଷମତା ପାଇଁ ଫଳପ୍ରଦ ।
ବ୍ୟାୟାମର ବିକଳ୍ପ ବଟିକା ‘ଲେକ୍’
ଡେନ୍ମାର୍କର ଗବେଷକମାନେ ଏକ ନୂଆ ‘ବ୍ୟାୟାମ ବଟିକା’ ପ୍ରସ୍ତୁତ କଲେ । ବିନା ପରିଶ୍ରମରେ ଏହା ବ୍ୟକ୍ତି ଉପରେ କଠିନ ବ୍ୟାୟାମର ସୁଫଳ ଓ ପ୍ରଭାବ ପକାଇବ । ବଟିକାର ନାଁ ‘ଲେକ୍’ । ବୈଜ୍ଞାନିକଙ୍କ ଅନୁସାରେ, ଏହି ବଟିକା ଲମ୍ବା ଦୂରତା ଦୌଡ଼ିବାର ସମାନ ସ୍ୱାସ୍ଥ୍ୟ ସୁଫଳ ପ୍ରଦାନ କରେ । ପ୍ରୟୋଗଶାଳାରେ ମୂଷାଙ୍କଠାରେ ଏହାର ପରୀକ୍ଷଣ କରାଯାଇଥିଲା । ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାର କରି ଏହା ହୃତ୍ପିଣ୍ଡକୁ ଶକ୍ତିଶାଳୀ କରିଥିବା ଲକ୍ଷ୍ୟ କରାଯାଇଥିଲା । ସେମାନେ ଏକ ଅଣୁ ବିକଶିତ କଲେ, ଯାହା କଠିନ ବ୍ୟାୟାମ ଓ ଉପବାସ ପ୍ରତି ଶରୀରର ପ୍ରାକୃତିକ ମେଟାବଲିକ୍ ପ୍ରତିକ୍ରିୟାର ନକଲ କରିବାରେ ସକ୍ଷମ । ଅଭ୍ୟାସରେ ଏହି ଅଣୁ ଶରୀରକୁ ଏକ ମେଟାବଲିକ୍ ଅବସ୍ଥାକୁ ଆଣେ, ଯାହା ଖାଲି ପେଟରେ ଦ୍ରୁତ ବେଗରେ ୧୦ କିମି ଦୌଡ଼ିବା ସହ ସମାନ ।
ମସ୍ତିଷ୍କରେ ଲାଗିଲା ବ୍ରେନ୍ ଚିପ୍
ଟେକ୍ ବିଲିଅନେୟର ଏଲନ୍ ମସ୍କଙ୍କ କମ୍ପାନି ନ୍ୟୁରାଲିଙ୍କ୍ ସଫଳତାପୂର୍ବକ ନିଜର ପ୍ରଥମ ୱେୟାରଲେସ୍ ବ୍ରେନ୍ ଚିପ୍ ମଣିଷଠାରେ ପ୍ରତିରୋପଣ କଲା । ଚିପ୍ ଲଗାଇବା ପରେ ରୋଗୀ ସୁସ୍ଥ ହେଉଥିବା କଥା ମସ୍କ ନିଜେ କହିଥିଲେ । ଜଟିଳ ସ୍ନାୟବିକ ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ମାନବ ମସ୍ତିଷ୍କକୁ କମ୍ପ୍ୟୁଟର ସହ ସଂଯୋଗ କରି କମ୍ପାନି ଏହି ଉପଲବ୍ଧି ହାସଲ କରିଥିଲା । ନ୍ୟୁରାଲିଙ୍କ୍ର ଟେକ୍ନୋଲୋଜି ମୁଖ୍ୟତଃ ‘ଲିଙ୍କ୍’ ନାମକ ପ୍ରତିରୋପଣ ଉପକରଣ ଜରିଆରେ କାମ କରେ ।
ସବୁଠୁ ଶକ୍ତିଶାଳୀ ଏମ୍ଆରଆଇ ମେସିନ୍
ବିଶ୍ୱର ସବୁଠୁ ଶକ୍ତିଶାଳୀ ଏମ୍ଆର୍ଆଇ ସ୍କାନର୍ ମାନବ ମସ୍ତିଷ୍କର ପ୍ରଥମ ଚିତ୍ର ଉତ୍ତୋଳନ କଲା । ରହସ୍ୟମୟ ମାନବ ମସ୍ତିଷ୍କ ଓ ଏ ସମ୍ପର୍କିତ ରୋଗ ବିଷୟରେ ଅଧିକ ସଠିକ ତଥ୍ୟ ପ୍ରଦାନ କରିବା ମାମଲାରେ ଏହା ନୂଆ ଯୁଗ ଆରମ୍ଭ କଲା । ଫ୍ରାନ୍ସର ଆଟମିକ୍ ଏନର୍ଜି କମିଶନ୍ର ଅନୁସନ୍ଧାନକାରୀମାନେ ୨୦୨୧ ମସିହାରେ ପ୍ରଥମେ ଏହି ଏମ୍ଆରଆଇ ମେସିନ୍ ପ୍ରୟୋଗ କରି ଏକ କଖାରୁକୁ ସ୍କାନ୍ କରିଥିଲେ । ମାନବ ମସ୍ତିଷ୍କର ସ୍କାନ୍ ପାଇଁ ସ୍ୱାସ୍ଥ୍ୟ ଅଧିକାରୀମାନେ ନିକଟରେ ସେମାନଙ୍କୁ ସବୁଜ ସଙ୍କେତ ଦେଇଛନ୍ତି ।
କର୍କଟ ରୋକିବ ଭାରତୀୟ ବୈଜ୍ଞାନିକଙ୍କ ବଟିକା
କର୍କଟ ଅନୁସନ୍ଧାନ ଓ ଚିକିତ୍ସା ପ୍ରତିଷ୍ଠାନ ଟାଟା ଇନ୍ଷ୍ଟିଚ୍ୟୁଟ୍ ଏକ ଚିକିତ୍ସା ପଦ୍ଧତି ବିକଶିତ କଲା, ଯାହା ୨ୟ ଥର କର୍କଟ ରୋଗର ପୁନରାବୃତ୍ତି ଆଶଙ୍କାକୁ ରୋକିବାରେ ସକ୍ଷମ । ସେତିକି ନୁହେଁ, ବିକିରଣ ଓ କେମୋଥେରାପି ଭଳି ଚିକିତ୍ସାର ପାଶ୍ୱର୍ ପ୍ରତିକ୍ରିୟାକୁ ମଧ୍ୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବ ବୋଲି ସେମାନେ ଦାବି କରିଛନ୍ତି ।