ନୂଆଦିଲ୍ଲୀ ୨୮/୧୨: ଗୋଟିଏ ପଟେ ରୋମାନ୍ସ । ଅନ୍ୟପଟେ ସ୍ପାଇ-ଆକ୍ସନ୍ । ରୋମାଣ୍ଟିକ୍ ଲଭଷ୍ଟୋରୀ ଦର୍ଶକଙ୍କୁ ହଜାଇଲା.. ଭିଜାଇଲା.. ମତୁଆଲା କଲା । ଦମଦାର ଆକ୍ସନ୍ ଓ ଧୂଆଁଧାର୍ ଡାଇଲଗ୍ ପାଇଁ ବ୍ଲକବଷ୍ଟର୍ ହେଲା ସ୍ପାଇ ଗ୍ୟାଙ୍ଗୱାର୍ । ପଚିଶରେ ରୋମାଣ୍ଟିକ୍ ମ୍ୟୁଜିକାଲ୍ ଡ୍ରାମା ‘ସୈୟାରା’ ଓ ଆକ୍ସନ୍ ୱାର୍ ଫିଲ୍ମ ‘ଧୁରନ୍ଧର୍’ ସବୁ ରେକର୍ଡ ଭାଙ୍ଗିଲେ । ସ୍ପାଇ ଥ୍ରିଲର୍ ସାଙ୍ଗକୁ ଐତିହାସିକ ଫିଲ୍ମ ଦର୍ଶକଙ୍କୁ ହଲକୁ ଟାଣିଲେ । ବଡ଼ ବଜେଟ୍ ଓ ଦମଦାର କାହାଣୀ ଦମ୍ ଦେଖାଇଲା । ଷ୍ଟାର୍ ପାୱାର୍ ଦମରେ ବ୍ୟବସାୟ ରେକର୍ଡ ଭାଙ୍ଗିଲା ।

‘ଧୁରନ୍ଧର୍’ ଝଡ଼ :

ଦେଶରେ ଏବେ ଗୋଟିଏ ଝଡ଼ । ନାଁ ‘ଧୁରନ୍ଧର୍’ । ବର୍ଷର ସବୁ ଫିଲ୍ମର ରେକର୍ଡ ଏ ଝଡ଼ରେ ଧୋଇଯାଇଛି । ‘ଧୁରନ୍ଧର୍’ କରିଛି ନୂଆ ରେକର୍ଡ । ପିଲାଠୁ ବୁଢ଼ା ସମସ୍ତଙ୍କୁ ପାଗଳ କରିଛି ଏହି ସ୍ପାଇ ଆକ୍ସନ୍- ଥ୍ରିଲର୍ । ସୋସିଆଲ ମିଡିଆରେ କେବଳ ‘ଧୁରନ୍ଧର୍’ର ଡାଇଲଗ୍ ଓ ଗୀତ । ମାଳ-ମାଳ ରିଲ୍ । ଭାଇରସ୍ ଭଳି ମାଡ଼ିବାରେ ଲାଗିଛି । ଡିସେମ୍ବର ୫ରୁ ଆରମ୍ଭ ହୋଇଥିବା ଏ ଝଡ଼ ଏ ଯାଏ ଥମିନି । ବକ୍ସ ଅଫିସରେ ଏହା ସୁନାମି ଆଣିଛି । ବିଶ୍ୱସ୍ତରରେ ଫିଲ୍ମର ବ୍ୟବସାୟ ୧୦୦୦ କୋଟି ଟପିଛି । ବର୍ଷର ଅନ୍ୟତମ ବଡ଼ ହିଟ୍ ଥିଲା ‘କାନ୍ତାରା ଭାଗ-୧’ । ବକ୍ସ ଅଫିସରେ ଏହାର ପ୍ରଦର୍ଶନ ଦମ୍ଦାର ଥିଲା । ଋଷଭ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଓ ଅଭିନୀତ ଏହି ଫିଲ୍ମ ୨୦୨୨ର ସୁପରହିଟ୍ ଫିଲ୍ମ ‘କାନ୍ତାରା’ର ପ୍ରିକ୍ୱେଲ୍ । ବିଶ୍ୱରେ ଏହାର ଆୟ ୮୫୦ କୋଟି ଛୁଇଁଥିଲା । ଜୁଲାଇ ୧୮ରେ ପରଦାକୁ ଆସିଥିଲା ବର୍ଷର ସବୁଠୁ ବଡ଼ ରୋମାଣ୍ଟିକ୍ ହିଟ୍ ଫିଲ୍ମ ‘ସୈୟାରା’ । ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ଏହି ମ୍ୟୁଜିକାଲ ରୋମାଣ୍ଟିକ୍ ଡ୍ରାମାରେ ଡେବ୍ୟୁ କଳାକାର ଆହାନ ପାଣ୍ଡେ ଓ ଅନୀତ ପଡ୍ଡା ନଜର ଆସିଥିଲେ । ଫିଲ୍ମର ମନଛୁଆଁ ସଙ୍ଗୀତ ଓ ଭାବପୂର୍ଣ୍ଣ କାହାଣୀ ଯୁବପିଢ଼ିକୁ ଆକର୍ଷିତ କଲା । ବିଶ୍ୱସ୍ତରରେ ଏହା ପ୍ରାୟ ୫୮୦ କୋଟି ବ୍ୟବସାୟ କଲା । ଆନିମେସନ୍ ସିନେମା ଜଗତରେ ଭାରତରେ ପ୍ରଥମ ଥର ବଡ଼ ରେକର୍ଡ ଦେଖିବାକୁ ମିଳିଲା । ପୌରାଣିକ ବିଷୟ ଆଧାରିତ ‘ମହାବତାର ନରସିଂହ’ ୨୦୨୫ର ସର୍ବାଧିକ ବ୍ୟବସାୟ କରିଥିବା ଫିଲ୍ମ ତାଲିକାରେ ସାମିଲ ହେଲା । ଭବ୍ୟ ପ୍ରସ୍ତୁତି ଓ ଧାର୍ମିକ-ଐତିହାସିକ ବିଷୟବସ୍ତୁକୁ ଦର୍ଶକୀୟ ଆଦୃତି ମିଳିଲା । ବକ୍ସ ଅଫିସ୍ରେ ଏହା ୩୨୫ କୋଟିରୁ ଅଧିକ ବ୍ୟବସାୟ କଲା । ଫେବ୍ରୁଆରୀରେ ମୁକ୍ତିପ୍ରାପ୍ତ ଐତିହାସିକ ଫିଲ୍ମ ‘ଛାବା’ ବକ୍ସ ଅଫିସ୍ରେ ଭଲ ପ୍ରଦର୍ଶନ କଲା । ଭିକି କୌଶଲ, ରଶ୍ମିକା ମନ୍ଦାନା ଓ ଅକ୍ଷୟ ଖାନ୍ନାଙ୍କ ଅଭିନୀତ ଏହି ଫିଲ୍ମ ଛତ୍ରପତି ସଂଭାଜୀ ମହାରାଜାଙ୍କ ଜୀବନ ଉପରେ ଆଧାରିତ । ମଜଭୁତ କାହାଣୀ ଓ ଭାବପୂର୍ଣ୍ଣ ପ୍ରସ୍ତୁତି ଦମ୍ରେ ଫିଲ୍ମ ବିଶ୍ୱସ୍ତରରେ ୮୦୮ କୋଟିରୁ ଅଧିକ ଆୟ କଲା । ହିନ୍ଦୀ ସିନେମାର ଶୀର୍ଷ ହିଟ୍ ଫିଲ୍ମ ତାଲିକାରେ ମଧ୍ୟ ସ୍ଥାନ ପାଇଲା । ବ୍ଲକ୍ବଷ୍ଟର୍ ମାଲାୟାଲମ୍ ଫିଲ୍ମ ‘ଲୋକା: ଚାପ୍ଟର-୧’ ଇଣ୍ଡଷ୍ଟ୍ରିର ପ୍ରଥମ ଫିଲ୍ମ, ଯାହା ବିଶ୍ୱସ୍ତରରେ ୩୦୦ କୋଟିରୁ ଅଧିକ ଆୟ କଲା । ମହିଳା-କୈନ୍ଦ୍ରିକ ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମ ଭାବେ ରେକର୍ଡ ତାଲିକାରେ ଏହା ନୂଆ ଅଧ୍ୟାୟ ଯୋଡ଼ିଲା । ମହିଳା ସୁପର୍ହିରୋ ଥିମ୍କୁ ବିଶ୍ୱସ୍ତରରେ ଖୁବ୍ ପସନ୍ଦ କରାଗଲା ।

ବିବାଦ-ଚର୍ଚ୍ଚିତ :

ଜାନୁଆରୀରେ ମୁକ୍ତିଲାଭ କରିଥିଲା କଙ୍ଗନା ରଣାୱତଙ୍କ ଫିଲ୍ମ ‘ଏମର୍ଜେନ୍ସି’ । ଫିଲ୍ମରେ ଐତିହାସିକ ତଥ୍ୟକୁ ବୁଲାଇ ବଙ୍କାଇ ବର୍ଣ୍ଣନା କରାଯାଇଥିବା ଅଭିଯୋଗ ହେଲା । ଶିଖ ସମୁଦାୟ ଏହା ଉପରେ ଭୀଷଣ ଆପତ୍ତି ଉଠାଇଲା । ଜାନୁଆରୀରେ ରିଲିଜ୍ ପୂର୍ବରୁ ଫିଲ୍ମର ରିଲିଜ୍ ତାରିଖ ଅନେକ ଥର ଘୁଞ୍ଚିଥିଲା । ଫେବ୍ରୁଆରୀ ୧୪ରେ ମୁକ୍ତିପ୍ରାପ୍ତ ଭିକି କୌଶଲଙ୍କ ଅଭିନୀତ ‘ଛାବା’ର ଟ୍ରେଲର୍ ରିଲିଜ୍ ବେଳେ କିଛି ସିନର ବିରୋଧରେ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ହେଲା । ଖାସକରି ସଂଭାଜୀ ମହାରାଜଙ୍କ ନୃତ୍ୟ ସିନ୍ ଦର୍ଶକଙ୍କୁ ପସନ୍ଦ ଆସିଲାନି, ଯାହାକୁ ନିର୍ମାତାଙ୍କୁ ବଦଳାଇବାକୁ ପଡ଼ିଲା । ଏପ୍ରିଲରେ ମୁକ୍ତିପ୍ରାପ୍ତ ସନି ଦେୱଲ ଓ ରଣଦୀପ ହୁଡ୍ଡାଙ୍କ ‘ଜାଟ୍’ର ଏକ ଚର୍ଚ୍ଚ ସିନକୁ ନେଇ ଖ୍ରୀଷ୍ଟ ସମୁଦାୟ ବିରୋଧ ପ୍ରଦର୍ଶନ କଲା । ଫିଲ୍ମ ବିରୋଧରେ ଧାର୍ମିକ ଭାବନାକୁ ଆହତ କରିବାର ଅଭିଯୋଗ ହେଲା । ଜ୍ୟୋତିରାଓ ଓ ସାବିତ୍ରୀବାଈ ଫୁଲେଙ୍କ ଜୀବନୀ ଉପରେ ପର୍ଯ୍ୟବସିତ ଫିଲ୍ମ ‘ଫୁଲେ’ ଏପ୍ରିଲରେ ରିଲିଜ୍ ହୋଇଥିଲା । ଏଥିରେ ବ୍ରାହ୍ମଣ ସମୁଦାୟକୁ ଭୁଲ ତରିକାରେ ଉପସ୍ଥାପନ କରାଯାଇଥିବା ଅଭିଯୋଗ ହେଲା । ଅନେକ ବ୍ରାହ୍ମଣ ସଂଗଠନ ବିରୋଧ କଲେ । ଅଗଷ୍ଟରେ ମୁକ୍ତିପ୍ରାପ୍ତ କହ୍ନେୟାଲାଲ ହତ୍ୟାକାଣ୍ଡ ଉପରେ ଆଧାରିତ ଫିଲ୍ମ ‘ଉଦୟପୁର ଫାଇଲ୍ସ’ ବିରୋଧରେ ଘୃଣାର ପ୍ରସାର ଓ ବିଶେଷ ସମୁଦାୟକୁ ଭୁଲ ଦର୍ଶାଇବାର ଅଭିଯୋଗ ହେଲା । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ‘ଦ ବଙ୍ଗାଲ ଫାଇଲ୍ସ’ର ଟ୍ରେଲର୍ ରିଲିଜ୍ ସମୟରେ ଖୁବ୍ ହଙ୍ଗାମା ହୋଇଥିଲା । ଫୱାଦ ଖାନ୍ ଓ ବାନି କପୁରଙ୍କ ଅଭିନୀତ ‘ଅବୀର ଗୁଲାଲ’କୁ ନେଇ ଖୁବ୍ ବିରୋଧ ପ୍ରଦର୍ଶନ ହୋଇଥିଲା । ପାକ୍ କଳାକାର ଫିଲ୍ମରେ ଥିବାରୁ ଏହା ଭାରତରେ ରିଲିଜ୍ ହୋଇପାରିଲାନି । ପରେଶ ରାୱଲଙ୍କ ‘ଦ ତାଜ୍ ଷ୍ଟୋରୀ’ ଅକ୍ଟୋବରରେ ରିଲିଜ୍ ପୂର୍ବରୁ ବିରୋଧର ସମ୍ମୁଖୀନ ହେଲା । ଫିଲ୍ମ ବିରୋଧରେ କୋର୍ଟରେ ଅନେକ ଆବେଦନ ଦାଖଲ ହୋଇଥିଲା । ସିନେ ଜଗତର କିଛି ସେଲିବ୍ରିଟି ବ୍ୟକ୍ତିଗତ ବିବାଦକୁ ନେଇ ବର୍ଷସାରା ଖୁବ୍ ଚର୍ଚ୍ଚାରେ ରହିଲେ । ଜାନୁଆରୀ ୧୬ ତାରିଖ ଅଧ ରାତିରେ ସୁପରଷ୍ଟାର ସୈଫ୍ ଅଲି ଖାନ୍ଙ୍କ ଘରେ ପଶି ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଛୁରିରେ ଆକ୍ରମଣ କଲା । ସୈଫ୍ ଗମ୍ଭୀର ଭାବେ ଆହତ ହେଲେ । ପ୍ରାୟ ୬ ଦିନ ସେ ହସ୍ପିଟାଲରେ ରହିଲେ । ବେଶ କିଛି ଦିନ ଧରି ଏ ମାମଲା ଚର୍ଚ୍ଚାରେ ରହିଲା । ଭାରତୀୟ କ୍ରିକେଟର୍ ବିରାଟ କୋହଲି ଅଭିନେତ୍ରୀ ଅବନୀତ କୌରଙ୍କର ଏକ ଫଟୋ ଲାଇକ୍ କରିବା ପରେ ବିବାଦ ଘେରକୁ ଆସିଥିଲେ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପଞ୍ଜାବୀ ଅଭିନେତା ଦିଲଜିତ ଦୋସାଂଝ ପାକ୍ ଅଭିନେତ୍ରୀ ହାନିୟା ଆମିରଙ୍କ ସହ ‘ସରଦାର୍ ଜୀ-୩’ ଫିଲ୍ମରେ କାମ କରିବା ଖୁବ୍ ଚର୍ଚ୍ଚାରେ ରହିଲା । ୮ ଘଣ୍ଟା କାମ କରିବାର ଦାବି ପାଇଁ ଦୀପିକା ପାଦୁକୋନ୍ ଚର୍ଚ୍ଚାରେ ରହିଲେ । ଏଥିପାଇଁ ତାଙ୍କୁ ଦୁଇଟି ସାଉଥ୍ ଫିଲ୍ମ ‘କଲ୍କୀ-୨’ ଓ ‘ସ୍ପିରିଟ୍’ରୁ ବାହାର କରାଗଲା । ଅଭିନେତା ପରେଶ ରାୱଲ ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ ‘ହେରା ଫେରୀ’ର ୩ୟ ଭାଗରୁ ଓହରିବା ନେଇ ସ୍ପଷ୍ଟ କଲେ, କିନ୍ତୁ ପରେ ପଲଟିଗଲେ । ରଣବୀର ସିଂହ ସାଉଥ୍ ସୁପର୍ଷ୍ଟାର ଋଷଭ ଶେଟ୍ଟୀଙ୍କ ‘କାନ୍ତାରା’ ଫିଲ୍ମର ଦେବୀ ସିନ୍ର ନକଲ କରି ଖୁବ୍ ଟ୍ରୋଲ୍ ହେଲେ । ଶେଷରେ ତାଙ୍କୁ ସୋସିଆଲ ମିଡିଆରେ କ୍ଷମା ମାଗିବାକୁ ପଡ଼ିଲା ।

ଷ୍ଟାର୍ କିଡ୍ ଡେବ୍ୟୁ :

୨୦୨୫ ଅନେକ ନୂଆ ଚେହେରା ଓ ଷ୍ଟାର୍ କିଡ୍ଙ୍କ ଡେବ୍ୟୁ ବର୍ଷ ଥିଲା । ଅନେକ ନୂଆ ନୂଆ ମୁହଁ ଫିଲ୍ମ ଓ ୱେବ୍ ସିରିଜ୍ ଜରିଆରେ କ୍ୟାରିଅର୍ ଆରମ୍ଭ କଲେ । ତନ୍ମଧ୍ୟରେ କିଛି ଡେବ୍ୟୁ ଚର୍ଚ୍ଚାର ଶିରୋନାମା ହେଲା । ଶାହରୁଖଙ୍କ ପୁଅ ଆର୍ୟନ ଖାନ୍ ନିର୍ଦ୍ଦେଶନା ଜରିଆରେ ବଲିଉଡରେ ନୂଆ ଯୁଗ ଆରମ୍ଭ କଲେ । ସେପ୍ଟେମ୍ବରରେ ତାଙ୍କର ପ୍ରଥମ ୱେବ୍ ସିରିଜ୍ ‘ଦ ବ୍ୟାଡ୍ସ ଅଫ୍ ବଲିଉଡ୍’ ନେଟଫ୍ଲିକ୍ସରେ ରିଲିଜ୍ ହେଲା । ଆର୍ଯ୍ୟନ ସିରିଜର କାହାଣୀ ଲେଖିବା ସହିତ ପ୍ରଯୋଜନା ଓ ନିର୍ଦ୍ଦେଶନା ଦେଲେ । ଏହା ବର୍ଷର ସବୁଠୁ ଚର୍ଚ୍ଚିତ ଡେବ୍ୟୁ ଥିଲା । ଅନନ୍ୟା ପାଣ୍ଡେଙ୍କ ଦାଦା ପୁଅ ଭାଇ ତଥା ଚଙ୍କି ପାଣ୍ଡେଙ୍କ ପୁତୁରା ଆହାନ ପାଣ୍ଡେଙ୍କ ଡେବ୍ୟୁ ବର୍ଷର ସବୁଠୁ ଚର୍ଚ୍ଚିତ ବିଷୟ ଥିଲା । ମୋହିତ ସୁରୀଙ୍କ ରୋମାଣ୍ଟିକ୍ ଫିଲ୍ମ ‘ସୈୟାରା’ ଜରିଆରେ ସେ ବଲିଉଡରେ ପାଦ ଥାପିଲେ । ଏହା ବର୍ଷର ସର୍ବାଧିକ ବ୍ୟବସାୟ କରିଥିବା ଫିଲ୍ମ କ୍ଲବରେ ସାମିଲ ହେଲା । ଆହାନଙ୍କ ଅଭିନୟକୁ ଖୁବ୍ ପ୍ରଶଂସା ମିଲିଲା । ସେ ରାତାରାତି ଷ୍ଟାର୍ ବନିଗଲେ ତାଙ୍କ ଡେବ୍ୟୁ ବ୍ଲକବଷ୍ଟର୍ ହୋଇଗଲା । ରବୀନା ଟଣ୍ଡନଙ୍କ ଝିଅ ରାଶା ଥଡାନି ଅଭିଷେକ କପୁରଙ୍କ ଐତିହାସିକ ଡ୍ରାମା ‘ଆଜାଦ’ ଜରିଆରେ ଅଭିନୟରେ ପାଦ ଥାପିଲେ । ତାଙ୍କ ଅଭିନୟ ଓ ନୃତ୍ୟକୁ ଦର୍ଶକ ପସନ୍ଦ କଲେ । କିନ୍ତୁ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ହେଲା । ଅଜୟ ଦେବଗନଙ୍କ ପୁତୁରା ଅମନ ଦେବଗନ ମଧ୍ୟ ‘ଆଜାଦ’ ଜରିଆରେ ଡେବ୍ୟୁ କଲେ । ତାଙ୍କ ଅଭିନୟକୁ ଖାସ୍ ପ୍ରଶଂସା ମିଳିଲା ନାହିଁ । ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର ବିକ୍ରାନ୍ତ ମେସିଙ୍କ ସହ ‘ଆଖୋଁ କି ଗୁସତାଖିୟାଁ’ ଜରିଆରେ ଡେବ୍ୟୁ କଲେ । ୧୧ ଜୁଲାଇରେ ମୁକ୍ତିପ୍ରାପ୍ତ ଏହି ଫିଲ୍ମରେ ଶନାୟାଙ୍କ ଅଭିନୟ ହାରାହାରି ଥିଲା । ଫିଲ୍ମ ବି ବକ୍ସ ଅଫିସରେ ଫ୍ଲପ୍ ହେଲା । ସୈଫ୍ ଅଲି ଖାନ୍ ଓ ଅମୃତା ସିଂହଙ୍କ ପୁଅ ଇବ୍ରାହିମ ଅଲି ଖାନ୍ ଖୁସି କପୁରଙ୍କ ସହ ‘ନାଦାନିୟାଁ’ ଜରିଆରେ ଡେବ୍ୟୁ କଲେ । ଏହି ରୋମାଣ୍ଟିକ୍ କମେଡି ନେଟଫ୍ଲିକ୍ସରେ ମୁକ୍ତିଲାଭ କଲା । ଇବ୍ରାହିମଙ୍କ ଅଭିନୟ ଭଲ ଥିଲେ ହେଁ, ଫିଲ୍ମ ଫ୍ଲପ୍ ହେଲା । ଶିଶୁ କଳାକାର ଭାବେ ପୂର୍ବରୁ ଚର୍ଚ୍ଚିତ ସାରା ଅର୍ଜୁନ ଫିଲ୍ମ ‘ଧୁରନ୍ଧର୍’ରେ ଲିଡ୍ ଲେଡି ଭାବେ ଡେବ୍ୟୁ କଲେ । ଫିଲ୍ମ ବ୍ଲକ୍ବଷ୍ଟର ହୋଇଛି ଏବଂ ସାରାଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି ।

ଅଲବିଦା :

ପଚିଶରେ ଭାରତୀୟ ସିନେମା ଅନେକ କିମ୍ବଦନ୍ତୀ ତାରକାଙ୍କୁ ହରାଇଛି । ନଭେମ୍ବର ୨୪ରେ ବଲିଉଡର ହି-ମ୍ୟାନ୍ ନାମରେ ପ୍ରସିଦ୍ଧ ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ପରଲୋକ ହୋଇଛି । ଫିଲ୍ମ ଓ ଟିଭି ଜଗତର ପ୍ରସିଦ୍ଧ କଳାକାର ସତୀଶ ଶାହଙ୍କର ଅକ୍ଟୋବର ୨୫ ତାରିଖରେ ୭୪ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ଅକ୍ଟୋବର ୨୦ରେ ବଲିଉଡର ଲୋକପ୍ରିୟ କମେଡିଆନ୍ ଅସରାନିଙ୍କର ଦେହାନ୍ତ ହୋଇଥିଲା । ଅକ୍ଟୋବର ୪ରେ ସନ୍ଧ୍ୟା ଶାନ୍ତାରାମଙ୍କର ୯୪ ବର୍ଷ ବୟସରେ ନିଧନ ହୋଇଥିଲା । ‘ମହାଭାରତ’ର କର୍ଣ୍ଣ ପଙ୍କଜ ଧୀରଙ୍କର ଅକ୍ଟୋବର ୧୫ ତାରିଖରେ ପରଲୋକ ହୋଇଥିଲା । ଦୀର୍ଘ ସମୟ ଧରି ସେ କର୍କଟ ସହ ଲଢ଼େଇ କରୁଥିଲେ । ଜୁନ୍ ୨୭ରେ ‘କାଣ୍ଟା ଲଗା’ ଗର୍ଲ ନାମରେ ପ୍ରସିଦ୍ଧ ଶେଫାଲୀ ଜରିୱାଲାଙ୍କର କାର୍ଡିଆକ୍ ଆରେଷ୍ଟ୍ ଯୋଗୁ ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ମେ ୨୪ରେ ଟିଭି ଓ ଫିଲ୍ମ ଜଗତର ଲୋକପ୍ରିୟ କଳାକାର ମୁକୁଲ ଦେବଙ୍କର ନିଧନ ହୋଇଥିଲା । ଏପ୍ରିଲ ୪ରେ ପ୍ରଖ୍ୟାତ ଅଭିନେତା ମନୋଜ କୁମାରଙ୍କର ୮୭ ବର୍ଷ ବୟସରେ ନିଧନ ହୋଇଥିଲା । ‘ଭାରତ କୁମାର’ ନାମରେ ସେ ପ୍ରସିଦ୍ଧ ଥିଲେ ।

ନାୟିକାଙ୍କ ଦବ୍‌ଦବା :

ରୋମାନ୍ସ, କମେଡି, ଐତିହାସିକ କିମ୍ବା ଡ୍ରାମା... ଅଭିନେତ୍ରୀମାନେ ଏ ବର୍ଷ ବିଭିନ୍ନ ଧରଣର ଫିଲ୍ମ ଜରିଆରେ ବହୁମୁଖୀ ପ୍ରତିଭାର ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି । ଜାହ୍ନବୀ କପୁର ଏ ବର୍ଷ ଅଭିନୟ ଜରିଆରେ ଦର୍ଶକଙ୍କ ମନ କିଣିଛନ୍ତି । ‘ସନି ସଂସ୍କାରୀ କି ତୁଲସୀ କୁମାରୀ’ରେ ତାଙ୍କ ଏନର୍ଜି ଓ କମିକ୍ ଟାଇମିଂ ପରଦାକୁ ଜୀବନ୍ତ କରିଥିଲା । ‘ପରମ ସୁନ୍ଦରୀ’ ଓ ‘ହୋମ୍ବାଉଣ୍ଡ୍’ରେ ସେ ବହୁମୁଖୀ ପ୍ରତିଭାର ପରିଚୟ ଦେଲେ । ଫିଲ୍ମଟି ଅସ୍କାର୍ ନୋମିନେସନ୍ ପାଇଁ ଶର୍ଟଲିଷ୍ଟ୍ ହୋଇଛି । ଫିଲ୍ମ ‘ହକ୍’ରେ ଆଶାଠୁ ଢେର ଭଲ ପ୍ରଦର୍ଶନ କଲେ ୟାମି ଗୌତମ । ତାଙ୍କ ଚରିତ୍ର ଦୃଢ଼, ସଚ୍ଚୋଟ ଓ ସମ୍ବେଦନଶୀଳ ଥିଲା । ‘ହକ୍’ ତାଙ୍କୁ ହିନ୍ଦୀ ସିନେମାର ସବୁଠୁ ପ୍ରଭାବଶାଳୀ ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ କଲା । ତୃପ୍ତି ଡିମରୀ ‘ଧଡ଼କ୍-୨’ ଜରିଆରେ ନିଜ ବହୁମୁଖୀ ପ୍ରତିଭାର ପ୍ରମାଣ ଦେଲେ । ଫିଲ୍ମରେ ତାଙ୍କ ସଚ୍ଚୋଟତା ଓ ସମ୍ବେଦନଶୀଳତାକୁ ଦର୍ଶକ ଅନୁଭବ କଲେ, ଯାହା ତାଙ୍କ କ୍ୟାରିଅରର ଗୁରୁତ୍ୱପୂର୍ଣ୍ଣ ମୋଡ଼ ପ୍ରମାଣିତ ହେଲା । ଅନୀତ ପଡ୍ଡା ‘ସୈୟାରା’ ଜରିଆରେ ଦର୍ଶକଙ୍କ ହୃଦୟରେ ଖାସ୍ ସ୍ଥାନ ହାସଲ କଲେ । ତାଙ୍କ ରଚିତ୍ର ଅତ୍ୟନ୍ତ ଭାବପୂର୍ଣ୍ଣ ଥିଲା, ଯାହାକୁ ସେ ସୁନ୍ଦର ଭାବେ ପରଦାରେ ନିର୍ବାହ କଲେ । ଏହି ଫିଲ୍ମ ଜରିଆରେ ସେ ପ୍ରମାଣ କଲେ ଯେ ଆଗାମି ଦିନରେ ଭାରତୀୟ ସିନେମାର ଏକ ବଡ଼ ଶକ୍ତି ଭାବେ ସେ ଉଭା ହେବାକୁ ଯାଉଛନ୍ତି । ରଶ୍ମିକା ମନ୍ଦାନା ଦୁଇଟି ଭିନ୍ନ ଧରଣର ଫିଲ୍ମ ଜରିଆରେ ପରଦାକୁ ଆସିଲେ । ‘ଛାବା’ରେ ସେ ଐତିହାସିକ ପୃଷ୍ଠଭୂମିରେ ଗରିମା, ଦୃଢ଼ତା ଓ ସମ୍ବେଦନଶୀଳତାର ସହ ଅଭିନୟ କଲେ । ‘ଥାମା’ରେ ରୋମାନ୍ସ, କମେଡି ଏବଂ ହରର୍ ଓ ଡ୍ରାମାକୁ ସହଜରେ ନିର୍ବାହ କଲେ । ଏହା ଜରିଆରେ ସେ ପ୍ରମାଣ କଲେ, ଯେକୌଣସି ପ୍ରକାର ଫିଲ୍ମରେ ଚାଲେଞ୍ଜିଂ ଭୂମିକାକୁ ବେଶ ସହଜ ଓ ଆତ୍ମବିଶ୍ୱାସର ସହ ନିର୍ବାହ କରିପାରନ୍ତି ।

ଓଟିଟିରେ ଫୁଲ୍ ଏଣ୍ଟରଟେନମେଣ୍ଟ :

ଏ ବର୍ଷ ଓଟିଟିରେ ମନୋରଞ୍ଜନର ଫୁଲ୍ ଡୋଜ୍ ଦେଖିବାକୁ ମିଳିଲା । ଆର୍ଯ୍ୟନ ଖାନ୍ ନିଜର ପ୍ରଥମ ପ୍ରୋଜେକ୍ଟ ‘ଦ ବ୍ୟାଡସ ଅଫ୍ ବଲିଉଡ୍’ ଜରିଆରେ ଇଣ୍ଡଷ୍ଟ୍ରିରେ ଛାଇଗଲେ । ସିରିଜ୍କୁ ଦର୍ଶକ ଖୁବ୍ ପସନ୍ଦ କଲେ । ଆର୍ଯ୍ୟନଙ୍କୁ କେବଳ ପ୍ରଶଂସା ନୁହେଁ, ସମ୍ମାନ ବି ମିଳିଲା । ଏହା ଓଟିଟିରେ ବର୍ଷର ସର୍ବଶ୍ରେଷ୍ଠ ସିରିଜ୍ ଥିଲା । ହିଟ୍ ସିରିଜ୍ ‘ପଞ୍ଚାୟତ’ର ସିଜନ୍-୪ ଏଥର ଓଟିଟିରେ ମୁକ୍ତିଲାଭ କରିଥିଲା । ଏହାର ସମସ୍ତ କଳାକାର ଖୁବ୍ ଲୋକପ୍ରିୟତା ହାସଲ କଲେ । ସିରିଜ୍ ବି ବର୍ଷର ଅନ୍ୟତମ ଚର୍ଚ୍ଚିତ ସିରିଜ୍ ତାଲିକାରେ ରହିଲା । ପ୍ରାଇମ୍ ଭିଡିଓରେ ରିଲିଜ୍ ହୋଇଥିବା ‘ପାତାଲ ଲୋକ’ ସିଜନ୍-୨କୁ ଦର୍ଶକ ଖୁବ୍ ପସନ୍ଦ କଲେ । ମନୋଜ ବାଜପେୟୀଙ୍କ ‘ଦ ଫ୍ୟାମିଲି ମ୍ୟାନ୍-୩’ ହିଟ୍ ହେଲା । ଶ୍ରୀକାନ୍ତ ଭୂମିକାରେ ସେ ଦର୍ଶକଙ୍କର ଭରପୂର ମନୋରଞ୍ଜନ କଲେ । ଏଥର କାହାଣୀରେ ନୂଆ ଟ୍ୱିଷ୍ଟ୍ ଓ ନୂଆ କଳାକାରଙ୍କୁ ଦେଖିବାକୁ ମିଳିଲା । ୮ ଏପିସୋଡର ରୋମାଣ୍ଟିକ୍ ଡ୍ରାମା ସିରିଜ୍ ‘ଦ ରୟାଲ୍ସ’କୁ ଦର୍ଶକ ଖୁବ୍ ପସନ୍ଦ କଲେ । ଏହି ସିରିଜ୍ ଜରିଆରେ ଭୂମି ପେଡନେକର ନେଟଫ୍ଲିକ୍ସରେ ଡେବ୍ୟୁ କଲେ । ଓଟିଟି ପ୍ଲାଟଫର୍ମରେ ଏହା ଟ୍ରେଣ୍ଡିଂ ଲିଷ୍ଟରେ ଥିଲା ।