ଭୁବନେଶ୍ୱର,୦୧/୦୧: ୨୦୨୬ରେ ପ୍ରଥମ ଲଢ଼େଇ ହେବ ରାଜ୍ୟସଭା ପାଇଁ । ୪ ଆସନକୁ ନେଇ ଟଣାଓଟରା ଚାଲିବ । ସଂଖ୍ୟା ଗଣିତରେ ୨ଟି ବିଜେପିକୁ, ଗୋଟିଏ ବିଜେଡିକୁ ଯିବାକୁ ଥୟ । ଚତୁର୍ଥ ଆସନକୁ ନେଇ ଜମିବ ଲଢ଼େଇ । କିଏ ମାରିବ ବାଜି? କିଏ କରିବ ଖେଳ? ୨୦୨୬ର ଏହି ଲଢ଼େଇକୁ ନେଇ ଏବେଠାରୁ ରାଜନୈତିକ ପଣ୍ଡିତଙ୍କ ଅଙ୍କ ଗୋଳମାଳିଆ ହେଲାଣି ।

ଏ ବର୍ଷ ପ୍ରଥମାର୍ଦ୍ଧରେ ଓଡ଼ିଶାର ୪ ରାଜ୍ୟସଭା ଆସନ ଖାଲି ହେଉଛି । ଏପ୍ରିଲରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ମମତା ମହାନ୍ତ, ନିରଞ୍ଜନ ବିଶି, ମୁନ୍ନା ଖାଁଙ୍କ କାର୍ଯ୍ୟକାଳ ସରୁଛି । ଆରମ୍ଭବେଳେ ଏହି ୪ଟି ଯାକ ଆସନ ବିଜେଡିର ଥିଲା । ମାତ୍ର ରାଜ୍ୟରେ ବିଜେଡି କ୍ଷମତାଚ୍ୟୁତ ହେବା ପରେ  ଅଙ୍କ ବଦଳିଥିଲା । ସୁଜିତ କୁମାର ଓ ମମତା ମହାନ୍ତ ବିଜେଡି ଛାଡ଼ି ପୁନର୍ବାର ବିଜେପିରୁ ରାଜ୍ୟସଭା ଯାଇଥିଲେ । ଏବେ ୪ ଆସନରୁ ୨ଟି ବିଜେଡିର, ୨ଟି ବିଜେପିର । ଅଙ୍କ କହୁଛି, ବିଜେପିକୁ ୨ ଓ ବିଜେଡି ଖାତାକୁ ଗୋଟିଏ ଆସନ ଯିବାରେ କିଛି ଅସୁବିଧା ହେବନି । ମାତ୍ର ଲଢ଼େଇ ହେବ ଚତୁର୍ଥ ଆସନ ପାଇଁ ।

ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ ହେଲା । ଏହି ବିଜେପି କେତେ ପ୍ରାର୍ଥୀ ଦେବ? ୩ ନା ୪? ବିଜେଡି ଜଣଙ୍କୁ ପ୍ରାର୍ଥୀ କରିବ ନା ଦୁଇଜଣଙ୍କୁ? ସେହିପରି ବିଜେଡି ଓ କଂଗ୍ରେସ ମିଶି ମିଳିତ ପ୍ରାର୍ଥୀ ଦେବେ ନା ନାହିଁ?

ବର୍ତ୍ତମାନ ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା ୭୯ । ୩ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ମିଶାଇଲେ ବିଜେପିର ସଂଖ୍ୟା ୮୨ । ବିଜେଡି ବିଧାୟକଙ୍କ ସଂଖ୍ୟା ୫୦ । କଂଗ୍ରେସ ୧୪, ସିପିଆଇଏମ ୧ । ହିସାବ କହୁଛି, ଯେଉଁ ରାଜ୍ୟସଭା ପ୍ରାର୍ଥୀ ୩୧ଟି ଭୋଟ ପାଇବେ, ସେ ନିର୍ବାଚିତ ହେବେ । ବିଜେପି ପାଖରେ ଯେତିକି ବିଧାୟକ ଅଛନ୍ତି, ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ଆରାମରେ ଜିତିବେ । ଏହାବାଦ୍ ବିଜେପି ପାଖରେ ଆହୁରି ୨୦ଜଣ ବିଧାୟକ ଅଛନ୍ତି । ଆଉ ଗୋଟିଏ ଆସନ ଜିତିବା ପାଇଁ ବିଜେପିକୁ ଦରକାର ୧୧ ବିଧାୟକ ।

ସେହିପରି ବିଜେଡିର ନିଜର ପ୍ରଥମ ପ୍ରାର୍ଥୀଙ୍କୁ ଜିତାଇବା ପରେ ଆହୁରି ୧୯ ବିଧାୟକ ରହୁଛନ୍ତି । ଯଦି ବିଜେଡି ଦ୍ୱିତୀୟ ପ୍ରାର୍ଥୀ ଦିଏ ଆଉ ୧୨ଜଣ ବିଧାୟକଙ୍କ ଭୋଟ ଦରକାର ପଡ଼ିବ । ସିପିଆଇଏମ ବିଧାୟକଙ୍କ ସମର୍ଥନ ମିଳିବା ପରେ ବି ଆଉ ୧୦ ବିଧାୟକ ଦରକାର ପଡ଼ିବେ । ଯଦି କଂଗ୍ରେସ ସମର୍ଥନ ଦିଏ କିମ୍ବା ବିରୋଧୀ ଦଳ କୌଣସି ମିଳିତ ପ୍ରାର୍ଥୀ ଦିଅନ୍ତି, ତେବେ ବିଜେଡି ସମର୍ଥିତ ପ୍ରାର୍ଥୀ ଜିତିପାରିବେ ।

ଏବେ ପ୍ରଶ୍ନ ହେଲା, ବିରୋଧୀ ଦଳ ଭିତରେ ବୁଝାମଣା ଓ ସମନ୍ୱୟ ରହିବ କି? କଂଗ୍ରେସ ଓ ବିଜେଡି ଏକାଠି ହେବେ କି? ବିଜେପିର ନିର୍ବାଚନ ରଣନୀତି ଆଗରେ ବିରୋଧୀ ଦଳ ଏକାଠି ରହିବା କେତେ ଦୂର ସମ୍ଭବ, ତାହା ସମୟ କହିବ । ରାଜ୍ୟସଭା ନିର୍ବାଚନରେ ବଡ଼ ଧରଣର କ୍ରସ ଭୋଟିଂକୁ ଏଡ଼ାଇ ଦିଆଯାଇନପାରେ । ବିଜେଡି ଓ କଂଗ୍ରେସ ଦଳ ଭିତରେ ଯେଉଁଭଳି ବିବାଦ ଲାଗିଛି, ଏହାର ପ୍ରତିଫଳନ ରାଜ୍ୟସଭା ନିର୍ବାଚନରେ ବି ପଡ଼ିପାରେ ।