ଭୁବନେଶ୍ବର,୨୬।୩ :    ୧୯୭୫ ମସିହା  ଜୁନ୨୫ ରୁ ୧୯୭୭  ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଜାତୀୟ  ଜରୁରୀକାଳୀନ ପରିସ୍ଥିତି ସମୟରେ MISA, DIR ଏବଂ DISIR ପ୍ରଭୃତି ଆଇନ ବଳରେ ଲୋକମାନେ  ଗିରଫ ହୋଇଥିଲେ। ଏହି  ବନ୍ଦୀମାନଙ୍କୁ ସରକାରଙ୍କ ଦ୍ୱାରା ମାସିକ ପେନସନ ଦେବାପାଇଁ   ଗତ ସ୍ୱାଧୀନତା ଦିବସରେ ଘୋଷଣା କରାଯାଇଥିଲା l ସେହି ଘୋଷଣା ମୁତାବକ  ସରକାରଙ୍କ ଦ୍ୱାରା ଏକ ସଂକଳ୍ପ ପତ୍ର ଜାନୁୟାରୀ ୧୩ ତାରିଖରେ ଜାରି କରାଯାଇଥିଲା l

 ସେହି ସଂକଳ୍ପ ପତ୍ରରେ ଜରୁରୀକାଳୀନ ପରିସ୍ଥିତି ସମୟରେ ବନ୍ଦୀ ହୋଇଥିବା ବ୍ୟକ୍ତିମାନଙ୍କୁ ଜିଲ୍ଲାପାଳମାନଙ୍କ ନିକଟରେ ଆବେଦନ କରିବାକୁ ଘୋଷଣା କରାଯାଇଥିଲା l  ସମ୍ପୃକ୍ତ ଜିଲ୍ଲାପାଳମାନେ ବନ୍ଦୀମାନଙ୍କ ଠାରୁ ପ୍ରାପ୍ତ ହୋଇଥିବା ଆବେଦନ ପତ୍ର ଗୁଡିକୁ ଜିଲ୍ଲାସ୍ତରୀୟ କମିଟିରେ   ତର୍ଜମା କରି ରାଜ୍ୟ  ସ୍ତରୀୟ କମିଟିକୁ ପ୍ରେରଣ କରିଥିଲେ।  

ଇତିମଧ୍ୟରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ସ୍ତରୀୟ କମିଟିର ନିଷ୍ପତ୍ତିକୁ ବିଚାରକରି ପ୍ରଥମ ପର୍ଯ୍ୟାୟରେ ୨୧ ଜଣଙ୍କୁ   ଜାନୁୟାରୀ ୧ ତାରିଖଠାରୁ ମାସିକ କୋଡ଼ିଏ ହଜାର ଟଙ୍କା ପେନସନ ଦେବା ପାଇଁ ରାଜ୍ୟସ୍ତରୀୟ କମିଟି ସୁପାରିଶ କରିଛନ୍ତି l ରାଜ୍ୟ ସରକାର ଇତି ମଧ୍ୟରେ ଏହାକୁ ଅନୁମୋଦନ କରିଛନ୍ତି l MISA, DIR ଏବଂ DISIR ବନ୍ଦୀମାନଙ୍କଠାରୁ ଗ୍ରହଣ ହୋଇଥିବା ଅନ୍ୟ ଆବେଦନ ପତ୍ରଗୁଡିକୁ ବିଚାର କରାଯାଇ ପରବର୍ତ୍ତୀ ପର୍ଯ୍ୟାୟରେ ସେହିମାନଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ l