ନୂଆଦିଲ୍ଲୀ : ଛଟେଇର ଏହି ମହାସଙ୍କଟ ସମୟରେ ଯେଉଁଠି ଲୋକଙ୍କ ଚାକିରି ଯାଉଛି, ସେଠାରେ କିଛି ଲୋକ ନିଜର ସୁରକ୍ଷିତ ଚାକିରି ମଧ୍ୟ ଛାଡୁଛନ୍ତି। ଏହା ପଛରେ ଦରମା ଏବଂ ମାନସିକ ଶାନ୍ତି ଭଳି ଅନେକ କାରଣ ରହିଛି। ଆଜିକାଲି ଲୋକମାନେ ଚାକିରି ଛାଡି ନିଜସ୍ୱ କାମ ଉପରେ ଅଧିକ ଫୋକସ୍ କରୁଥିବା ଦେଖା ଯାଉଛି। ଏମିତି ଏକ ମାମଲା ଏବେ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି, ଯେଉଁଠାରେ ଜଣେ ୨୨ ବର୍ଷର ଯୁବକ ନିଜ ଚାକିରି ଛାଡି ଡେଲିଭରୀ କାମ ଆରମ୍ଭ କରି ଦେଇଛନ୍ତି। ତାଙ୍କ କହିବା କଥା ହେଉଛି, ସେ ଚାକିରି ଅପେକ୍ଷା ଡେଲିଭରୀ କାମରୁ ଅଧିକ ରୋଜଗାର କରି ପାରିବେ।

ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଭାଇରାଲ ହେଉଥିବା ଏହି ପୋଷ୍ଟରେ କୁହାଯାଇଛି ଯେ, ସେହି ଯୁବକ ଜଣକ କୌଣସି ସାଧାରଣ କର୍ମଚାରୀ ନଥିଲେ। କମ୍ପାନୀ ପକ୍ଷରୁ ତାଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉ ଥିଲା, ଶିଖିବା ପାଇଁ ଆବଶ୍ୟକ ସମ୍ବଳ ଓ ବହି ଯୋଗାଇ ଦିଆଯାଇ ଥିଲା, ଏପରିକି AI ସମ୍ବନ୍ଧୀୟ ତାଲିମ ମଧ୍ୟ ଦିଆଯାଉ ଥିଲା। ତାଙ୍କ ନିଯୁକ୍ତିଦାତାଙ୍କୁ ଲାଗୁଥିଲା ଯେ ସେ ଅଳ୍ପ ସମୟ ମଧ୍ୟରେ କମ୍ପାନୀରେ ଏକ ନେତୃତ୍ୱର ଭୂମିକା ତୁଲାଇ ପାରିବେ।

ବଦଳିଗଲା ଘଟଣାର ମୋଡ଼

କିନ୍ତୁ ସ୍ଥିତି ସେତେବେଳେ ବଦଳିଗଲା, ଯେତେବେଳେ ସେ ଅଧିକ ରୋଜଗାର ପାଇଁ ସପ୍ତାହାନ୍ତରେ ଡେଲିଭରୀ କାମ ଆରମ୍ଭ କଲେ। ଧିରେ ଧିରେ ସେ ଅନୁଭବ କଲେ ଯେ, କେବଳ ଡେଲିଭରୀ କରି ସେ ମାସକୁ ପ୍ରାୟ ୩୫,୦୦୦ ରୁ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରୁଛନ୍ତି। ଏହି କାରଣରୁ ସେ ନିଜର କର୍ପୋରେଟ୍ ଚାକିରି ଛାଡିବାକୁ ନିଷ୍ପତ୍ତି ନେଲେ।

ଏହି ପୋଷ୍ଟରେ ନିଯୁକ୍ତିଦାତା ଜଣକ ଚିନ୍ତା ପ୍ରକଟ କରି କହିଛନ୍ତି ଯେ, ଏଭଳି କାମ ଦୀର୍ଘ ସମୟ ଧରି କଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ ଏବଂ କର୍ପୋରେଟ୍ ଦକ୍ଷତା ତଥା କ୍ୟାରିୟର ଅଭିବୃଦ୍ଧି ମଧ୍ୟ ଅଟକି ଯାଇପାରେ। ସେ ଏପରିକି କହିଛନ୍ତି ଯେ, ୫ ବର୍ଷ ପରେ ଯେତେବେଳେ ଶରୀର ସହାୟ ହେବ ନାହିଁ, ସେତେବେଳେ ସେ କ’ଣ କରିବେ ? ତଥାପି, କର୍ମଚାରୀ ଜଣକ ଭବିଷ୍ୟତର ଉନ୍ନତି ଅପେକ୍ଷା ତତ୍କାଳ ରୋଜଗାରକୁ ପ୍ରାଥମିକତା ଦେଇଛନ୍ତି।

ବଦଳୁଛି ରୋଜଗାରର ଶୈଳୀ:

ଆଜିର ଚାକିରି ବଜାରରେ ରୋଜଗାରର ସନ୍ତୁଳନ ସମ୍ପୂର୍ଣ୍ଣ ବଦଳିବାରେ ଲାଗିଛି। ଏବେ ୧୦-୧୨ ହଜାର ଟଙ୍କାର ଚାକିରି ମିଳିବା କଷ୍ଟକର ହୋଇ ପଡିଛି। ଏପରିକି ଶାରୀରିକ ପରିଶ୍ରମ କରୁଥିବା ପ୍ରାରମ୍ଭିକ ସ୍ତରର ଚାକିରିରେ ମଧ୍ୟ ଲୋକେ ଏବେ ୧୮,୦୦୦ ଟଙ୍କାରୁ ଅଧିକ ଆଶା ରଖୁଛନ୍ତି। ଏହି କାରଣରୁ ଯୁବପିଢ଼ି ଚାକିରି ଏବଂ ରୋଜଗାରର ତୁଳନା ଭିନ୍ନ ଢଙ୍ଗରେ କରୁଛନ୍ତି, କାରଣ 'ଗିଗ୍ ଇକୋନୋମି' ବା ଡେଲିଭରୀ ଭଳି କାମ ତତ୍କାଳ ଅଧିକ ଟଙ୍କା ଦେଉଛି।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଯଦି କମ୍ପାନୀଗୁଡ଼ିକ ଦରମା ଏବଂ ଗ୍ରୋଥ୍ ଭଲ କରିବେ ନାହିଁ, ତେବେ କ’ଣ ସେମାନେ ଯୁବ ପ୍ରତିଭାଙ୍କୁ ଧରି ରଖି ପାରିବେ? ନା ଯୁବପିଢ଼ି ଏମିତି ହିଁ ଅନ୍ୟ ବିକଳ୍ପ ବାଛିନେବେ?

ଆହୁରି ମଧ୍ୟ ପଢନ୍ତୁ : AI ଆସିଲେ ବି ଚାକିରି ଯିବ ନାହିଁ : ଚୀନ୍ କୋର୍ଟଙ୍କ ଐତିହାସିକ ନିଷ୍ପତ୍ତି, କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି