ଭୁବନେଶ୍ୱର,୨୪/୧୧: ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ସରିଛି । ରାଷ୍ଟ୍ରପତି ଗୃହରେ ଉଦ୍ବୋଧନ ଦେବା ବେଳେ ଚାରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା । ରାଷ୍ଟ୍ରପତିଙ୍କ ସୁରକ୍ଷାରେ ୨୫ ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯିବ । କମିଶନରେଟ ପୁଲିସ ପକ୍ଷରୁ ଆସନ୍ତା ୨୭ ତାରିଖରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ । ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଲାଗିଥିବା ପିବିଜି (ପ୍ରେସିଡେନ୍ସ ବଡ଼ିଗାର୍ଡ)ର କମାଣ୍ଡୋ ଓ ଅନ୍ୟ ସୁରକ୍ଷାକର୍ମୀମାନେ ଆଉ ଏକ ସ୍ତରୀୟ ସୁରକ୍ଷା ଦାୟିତ୍ୱ ମୁଣ୍ଡାଇବେ ।
ଆସନ୍ତା ୨୭ ଓ ୨୮ ତାରିଖରେ ଭୁବନେଶ୍ୱର ବିମାନବନ୍ଦର, ରାଜଭବନ ଓ ବିଧାନସଭାକୁ ହାଇଆଲର୍ଟରେ ରଖାଯିବ । ରାଷ୍ଟ୍ରପତିଙ୍କ ଗସ୍ତରେ ସମ୍ପୂର୍ଣ୍ଣ ସୁରକ୍ଷାର ଦାୟିତ୍ୱ ମୁଣ୍ଡାଇବେ ୫ଜଣ ଡିସିପି ପାହ୍ୟା ଅଧିକାରୀ । ସେମାନଙ୍କ ଅଧୀନରେ ଥିବା ୫ଜଣ ଏଡିସିପି, ୨୦ଜଣ ଏସିପି, ୩୦ଜଣ ଇନ୍ସପେକ୍ଟର ସମସ୍ତ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ ।
ରୁଟ୍ ଲାଇନିଂ ପାଇଁ ୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ । ଟ୍ରାଫିକ୍ ପରିଚାଳନାରେ ଆଉ ଗୋଟିଏ ପ୍ଲାଟୁନ୍ ଫୋର୍ସ ଲାଗିବେ । ଡିସିପି (ଟ୍ରାଫିକ) ରୁଟ୍ ଲାଇନିଂ ଓ ଟ୍ରାଫିକ ପରିଚାଳନାର ଦାୟିତ୍ୱ ମୁଣ୍ଡାଇବେ । ଆସନ୍ତା ୨୬ ତାରିଖରେ ରାଷ୍ଟ୍ରପତିଙ୍କ କାରକେଡ୍ ରିହର୍ସାଲ କରାଯିବ । ଆସନ୍ତା ୨୬ ତାରିଖରେ ବମ ସ୍କ୍ୱାଡ୍ ଓ ସନ୍ଧାନୀ କୁକୁର ଜରିଆରେ ସନ୍ଧିଗ୍ଧ ସାମଗ୍ରୀକୁ ଯାଞ୍ଚ କରାଯିବ ।