ଭୁବନେଶ୍ୱର,୦୩/୦୮: ରାଜଧାନୀକୁ ବସ୍ତି ମୁକ୍ତ କରାଯିବ । ଏନେଇ ଅଣ୍ଟା ଭିଡ଼ିଛି  ନଗର ଉନ୍ନୟନ ବିଭାଗ । ରାଜଧାନୀରେ  ଆଉ ୨୫ ହଜାର ଆବାସ ନିର୍ମାଣ  କରିବାକୁ ଯୋଜନା ହୋଇଛି । ଏନେଇ  ମିଳିତ ଭାବେ ବିଡିଏ ଏବଂ ବିଏମ୍‌ସି  ୯୦ ଦିନ ଭିତରେ ଜାଗା ଚିହ୍ନଟ କରିବାକୁ  ନିର୍ଦ୍ଦେଶ ଦିଆଯାଇଛି । 

ଲୋକସେବା ଭବନ ସମ୍ମିଳନୀ  କକ୍ଷରେ ମୁଖ୍ୟଶାସନ ସଚିବ ମନୋଜ  ଆହୁଜାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ।  ଏଥିରେ ନଗର ଉନ୍ନୟନ ବିଭାଗ ପ୍ରମୁଖ  ସଚିବ ଉଷା ପାଢ଼ୀ, ବିଡିଏ ଅଧ୍ୟକ୍ଷ  ଏନ୍‌ ଥିରୁମାଲା ନାଏକ ଉପସ୍ଥିତ ଥିଲେ ।  ବୈଠକରେ ୨୦୩୦ରେ ସହରକୁ ସ୍ଲମ ଫ୍ରି  ସିଟି କରିବାକୁ ଲକ୍ଷ୍ୟ ରଖାଯାଇଛି । 

ଭୁବନେଶ୍ୱର ଏନେଇ ଏକ ସର୍ଭେ  କରାଯିବ । ସର୍ଭେରେ ଭୁବନେଶ୍ୱର  ବସ୍ତିର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ  ନିର୍ଦ୍ଦେଶ ଦିଆଯାଇଛି । କେତେ ବସ୍ତି  ରହିଛି । କେତେ ବସ୍ତିରେ ଉନ୍ନତୀକରଣ  ହୋଇଛି । ସ୍ଥାନାନ୍ତରଣ ପକ୍ରିୟା କେତେ  ବାଟ ଗଲା । ଏହା ଉପରେ ଆଲୋଚନା ହୋଇଥିଲା । ୬୦ ଦିନ ଭିତରେ ବିସ୍ତୃତ  ରିପୋର୍ଟ ଦେବାକୁ ବିଏମ୍‌ସି କମିଶନରଙ୍କୁ  ନିର୍ଦ୍ଦେଶ ଦିଆଯାଇଛି ।  

ବୈଠକରେ ନିକୋ ପାର୍କର  ନବକଳେବର ସମ୍ପର୍କରେ ଆଲୋଚନା  ହୋଇଥିଲା । ନିକୋ ପାର୍କ ପାଇଁ ଜମି  ଅଧିଗ୍ରହଣ କରିବାକୁ କୁହାଯାଇଛି । ଏହି  ଅଞ୍ଚଳରେ ଆସୁଥିବା ସମସ୍ତ ବସ୍ତିକୁ  ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଏହା ସହ ଡ୍ରେନ୍‌-୧୦ର ବିକାଶ ପାଇଁ ମଧ୍ୟ ଜମି ଅଧିଗ୍ରହଣ ହେବ । ବାମ  ପଟ ସମାନ୍ତରଳ ରାସ୍ତା ପାଇଁ ସାଲିଆ  ସାହି ଉଚ୍ଛେଦ ହେବ । ଏଥିପାଇଁ ବସ୍ତିର  ୫୬୦ ହିତାଧିକାରୀ ଚିହ୍ନଟ କରାଯାଇଛି ।  ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ୭ଟି ବସ୍ତିକୁ  ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ଲକ୍ଷ୍ୟ  ରଖାଯାଇଛି । ଏନେଇ ନଗର ଉନ୍ନୟନ  ବିଭାଗ ଏବଂ ଶିଳ୍ପ ବିଭାଗ ପକ୍ଷରୁ ଏକ  ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଇଡ୍‌କୋ,  ବିଏମ୍‌ସି, ବିଡିଏର ମିଳିତ ସହଯୋଗରେ ବସ୍ତି ଉଚ୍ଛେଦ କରାଯିବାକୁ ନିଷ୍ପତ୍ତି ହୋଇଛି ।  

ବିଡିଏ ପକ୍ଷରୁ ସୁବୁଦ୍ଧିପୁର,  ମଇଁଷାଖାଲ, ଗାଡକଣ, ଶାନ୍ତିପଲ୍ଲୀ,  ବୁଦ୍ଧବିହାର, ନୀଳମାଧବ, ମଣ୍ଡପ ବସ୍ତି  ଭଳି ଅଞ୍ଚଳରେ ବଡ଼ ଆବାସ ପ୍ରକଳ୍ପ ନିର୍ମାଣ  ହୋଇଛି । ହେଲେ ଏବେ ବି ୨୪୦୦ରୁ ଅଧିକ  ଘର ଫାଙ୍କା ପଡ଼ିଛି । ଘର ଆବଣ୍ଟନ ହୋଇ  ପାରିଲାନାହିଁ । ଏବେ ପୁଣି ଘର ନିର୍ମାଣ ହେବ ।  ହେଲେ ଏହାକୁ ସଠିକ ଭାବରେ ଆବଣ୍ଟନ  କରିବା ଉପରେ ପ୍ରଶ୍ନ ଉଠିଛି। 

ବୈଠକରେ ପ୍ରୋଜେକ୍ଟ  ମ୍ୟାନେଜ୍‌ମେଣ୍ଟ ୟୁନିଟ୍‌(ପିଏମୟୁ) ଆହୁରି  ସକ୍ରିୟ କରାଯିବ । ଅଭିଜ୍ଞ ପ୍ରୋଜେକ୍ଟ  ମ୍ୟାନେଜମେଣ୍ଟ ଅଧିକାରୀଙ୍କୁ ନିଯୁକ୍ତି  ଦିଆଯିବ । ଏଥିପାଇଁ ୧୦୦ କୋଟି ଟଙ୍କା  ଖର୍ଚ୍ଚ କରାଯିବ । ନଗର ଉନ୍ନୟନ ବିଭାଗକୁ  ୬୦ ଦିନ ଭିତରେ ଏହାକୁ କାର୍ଯ୍ୟକାରୀ  କରିବାକୁ କୁହାଯାଇଛି ।