ଭୁବନେଶ୍ୱର,୦୩/୦୮: ରାଜଧାନୀକୁ ବସ୍ତି ମୁକ୍ତ କରାଯିବ । ଏନେଇ ଅଣ୍ଟା ଭିଡ଼ିଛି ନଗର ଉନ୍ନୟନ ବିଭାଗ । ରାଜଧାନୀରେ ଆଉ ୨୫ ହଜାର ଆବାସ ନିର୍ମାଣ କରିବାକୁ ଯୋଜନା ହୋଇଛି । ଏନେଇ ମିଳିତ ଭାବେ ବିଡିଏ ଏବଂ ବିଏମ୍ସି ୯୦ ଦିନ ଭିତରେ ଜାଗା ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ, ବିଡିଏ ଅଧ୍ୟକ୍ଷ ଏନ୍ ଥିରୁମାଲା ନାଏକ ଉପସ୍ଥିତ ଥିଲେ । ବୈଠକରେ ୨୦୩୦ରେ ସହରକୁ ସ୍ଲମ ଫ୍ରି ସିଟି କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଭୁବନେଶ୍ୱର ଏନେଇ ଏକ ସର୍ଭେ କରାଯିବ । ସର୍ଭେରେ ଭୁବନେଶ୍ୱର ବସ୍ତିର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କେତେ ବସ୍ତି ରହିଛି । କେତେ ବସ୍ତିରେ ଉନ୍ନତୀକରଣ ହୋଇଛି । ସ୍ଥାନାନ୍ତରଣ ପକ୍ରିୟା କେତେ ବାଟ ଗଲା । ଏହା ଉପରେ ଆଲୋଚନା ହୋଇଥିଲା । ୬୦ ଦିନ ଭିତରେ ବିସ୍ତୃତ ରିପୋର୍ଟ ଦେବାକୁ ବିଏମ୍ସି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ବୈଠକରେ ନିକୋ ପାର୍କର ନବକଳେବର ସମ୍ପର୍କରେ ଆଲୋଚନା ହୋଇଥିଲା । ନିକୋ ପାର୍କ ପାଇଁ ଜମି ଅଧିଗ୍ରହଣ କରିବାକୁ କୁହାଯାଇଛି । ଏହି ଅଞ୍ଚଳରେ ଆସୁଥିବା ସମସ୍ତ ବସ୍ତିକୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଡ୍ରେନ୍-୧୦ର ବିକାଶ ପାଇଁ ମଧ୍ୟ ଜମି ଅଧିଗ୍ରହଣ ହେବ । ବାମ ପଟ ସମାନ୍ତରଳ ରାସ୍ତା ପାଇଁ ସାଲିଆ ସାହି ଉଚ୍ଛେଦ ହେବ । ଏଥିପାଇଁ ବସ୍ତିର ୫୬୦ ହିତାଧିକାରୀ ଚିହ୍ନଟ କରାଯାଇଛି । ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ୭ଟି ବସ୍ତିକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ନଗର ଉନ୍ନୟନ ବିଭାଗ ଏବଂ ଶିଳ୍ପ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଇଡ୍କୋ, ବିଏମ୍ସି, ବିଡିଏର ମିଳିତ ସହଯୋଗରେ ବସ୍ତି ଉଚ୍ଛେଦ କରାଯିବାକୁ ନିଷ୍ପତ୍ତି ହୋଇଛି ।
ବିଡିଏ ପକ୍ଷରୁ ସୁବୁଦ୍ଧିପୁର, ମଇଁଷାଖାଲ, ଗାଡକଣ, ଶାନ୍ତିପଲ୍ଲୀ, ବୁଦ୍ଧବିହାର, ନୀଳମାଧବ, ମଣ୍ଡପ ବସ୍ତି ଭଳି ଅଞ୍ଚଳରେ ବଡ଼ ଆବାସ ପ୍ରକଳ୍ପ ନିର୍ମାଣ ହୋଇଛି । ହେଲେ ଏବେ ବି ୨୪୦୦ରୁ ଅଧିକ ଘର ଫାଙ୍କା ପଡ଼ିଛି । ଘର ଆବଣ୍ଟନ ହୋଇ ପାରିଲାନାହିଁ । ଏବେ ପୁଣି ଘର ନିର୍ମାଣ ହେବ । ହେଲେ ଏହାକୁ ସଠିକ ଭାବରେ ଆବଣ୍ଟନ କରିବା ଉପରେ ପ୍ରଶ୍ନ ଉଠିଛି।
ବୈଠକରେ ପ୍ରୋଜେକ୍ଟ ମ୍ୟାନେଜ୍ମେଣ୍ଟ ୟୁନିଟ୍(ପିଏମୟୁ) ଆହୁରି ସକ୍ରିୟ କରାଯିବ । ଅଭିଜ୍ଞ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ନଗର ଉନ୍ନୟନ ବିଭାଗକୁ ୬୦ ଦିନ ଭିତରେ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।