ମୁମ୍ବାଇ, ୨୩/୧୦: ଅଷ୍ଟ୍ରେଲିଆ-ଇଣ୍ଡିଆ ଦ୍ୱିତୀୟ ଦିନିକିଆ । ଆଡିଲେଡରେ ଟିମ୍ ଇଣ୍ଡିଆର ସମ୍ମାନ ଜନକ ସ୍କୋର । ଘରୋଇ ଟିମ୍‌କୁ ୨୬୫ ରନ୍‌ର ଟାର୍ଗେଟ୍ ଦେଲା ଭାରତୀୟ ଦଳ । ଦ୍ବିତୀୟ ଇନିଂସରେ ସ୍ଲୋ-ପିଚ୍‌ରେ ସଂଘର୍ଷ କରିବ ମିଚେଲ ମାର୍ଶ ସେନା । ଟସ୍ ହାରି ଅଷ୍ଟ୍ରେଲିଆର ନିମନ୍ତ୍ରଣ କ୍ରମେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ପ୍ରାରମ୍ଭିକ ଝଟକା ସତ୍ତ୍ବେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ୍ ହରାଇ ୨୬୪ ରନରେ ସଂଗ୍ରହ କରିଛି । ଏହି ମ୍ୟାଚ୍ ଜିତିବାକୁ ହେଲେ ଘରୋଇ ଅଷ୍ଟ୍ରେଲିଆକୁ ୨୬୫ରନ କରିବାକୁ ପଡ଼ିବ । ଦ୍ବିତୀୟ ମ୍ୟାଚରେ ରୋହିତ୍ ଶର୍ମା ଏବଂ ଶ୍ରେୟସ ଆୟର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି ।

​​​​​​​ଆଡିଲେଡରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ । ରୋହିତ୍ ଶର୍ମାଙ୍କ ସହିତ କ୍ୟାପଟେନ୍ ଶୁବମନ ଗିଲ୍ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇ ଥିଲେ । ମାତ୍ର ଅଷ୍ଟ୍ରେଲିଆର ଘାତକ ବୋଲିଂ ସାମ୍ନାରେ ବାରମ୍ବାର ବିଟ୍ ହୋଇଥିଲେ । ଫଳରେ ୬ତମ ଓଭର ପ୍ରଥମ ବଲ୍‌ରେ ଶୁବମନ ଗିଲ ଆଉଟ୍ ହୋଇଥିଲେ । ସେ ବାର୍ଟଲେଟ୍‌ଙ୍କ ଶିକାର ହୋଇ ମାତ୍ର ୯ରନ କରି ପାଭେଲିୟନ ଫେରିଛନ୍ତି । ଏହା ପରେ ବିରାଟ୍ କୋହଲି ରୋହିତଙ୍କ ସାଥ୍ ଦେବାକୁ ପଡ଼ିଆକୁ ଓହ୍ଲାଇ ଥିଲେ । ସେ ମଧ୍ୟ ବାର୍ଟଲେଟ୍‌ଙ୍କ ସୁଇଙ୍ଗର ଶିକାର ହୋଇଥିଲେ । ସେହି ଓଭରର ପଞ୍ଚମ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇ ଫେରିଥିଲେ । ଏହାପରେ ହ୍ୟାଟ୍‌ମ୍ୟାନ୍ ସହ ଭାଗିଦାରୀ କରିବାକୁ ପଡ଼ିଆକୁ ଆସିଥିଲେ ଉପ-ଅଧିନାୟକ ଶ୍ରେୟସ ଆୟର । ଆଡ଼ିଲେଡ ପିଚକୁ ବୁଝିବାକୁ ପ୍ରଥମରୁ ଛନ୍ଦି ହୋଇଥିଲେ ମଧ୍ୟରେ ରୋହିତଙ୍କ ସହ ମିଶି ଶତକୀୟ ପାର୍ଟନରସିପ୍ ଖେଳିଥିଲେ । ପ୍ରାୟ ୬ମାସ ପରେ ଉଭୟଙ୍କ ବ୍ୟାଟରୁ ଅର୍ଦ୍ଧଶତକୀୟ ଇନିଂସ ବାହାରିଥିଲା । ଚାମ୍ପିଅନ୍ସ ଟ୍ରଫି ପରେ ଆଷ୍ଟ୍ରେଲିଆରେ ଆଜି ପ୍ରଥମ ଅର୍ଦ୍ଧଶତକ ମାରିଥିଲେ ରୋହିତ ଶର୍ମା । ସେ ୯୭ଟି ବଲ୍ ଖେଳି ୭୪ ରନ ସଂଗ୍ରହ କରିଥିଲେ । ଏଥିରେ ଦୁଇଟି ଛକା ଏବଂ ୭ଟି ଚୌକା ରହିଛି । ସେହିପରି ଶ୍ରେୟସ ଆୟର ୭ଟି ଚୌକା ସାହାଯ୍ୟରେ ୬୧ ରନର ଇନିଂସ ଖେଳିଥିଲେ । ଏହା ପରେ ଅଲରାଉଣ୍ଡର ଅକ୍ଷର ପଟେଲ୍ କିଛି ସମୟ ପାଇଁ ମ୍ୟାଚକୁ ସମ୍ଭାଳି ନେଇଥିଲେ । ସେ ୪୪ ରନର ଏକ ମଜବୁତ୍ ଇନିଂସ ଖେଳିଛନ୍ତି । ମାତ୍ର ଅକ୍ଷରଙ୍କ ପରେ କୌଣସି ବ୍ୟାଟର କଙ୍ଗାରୁ ବୋଲରଙ୍କୁ ସାମ୍ନା କରିପାରିନଥିଲେ । ରାହୁଲ ୧୧ ରନ୍ ଏବଂ ସୁନ୍ଦର ୧୨ରନ୍ କରି ଆଉଟ୍ ହୋଇଥିଲେ । ହେଲେ ହର୍ଷିତ ରାଣା ଫାଇନାଲ ଟଚ୍ ଦେଇ ଟିମ୍ ଇଣ୍ଡିଆର ସ୍କୋରକୁ ୨୬୪ ରନରେ ପହଞ୍ଚାଇ ଦେଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୪ ୱିକେଟ୍, ଜାଭିୟର ବାର୍ଟଲେଟ୍ ୩ ଏବଂ ମିଚେଲ ଷ୍ଟାର୍କ ଦୁଇଟି ୱିକେଟ୍ ନେଇଥିଲେ। ଅଷ୍ଟ୍ରେଲିଆକୁ ଏହି ମ୍ୟାଚ୍ ଖେଳିବାକୁ ହେଲେ ୨୬୫ ରନ କରିବାକୁ ପଡ଼ିବ ।