ଭୁବନେଶ୍ୱର, ୨୦/୦୮ : ସ୍ମାର୍ଟ ଟିକେଟିଂର ବଢୁଛି ଚାହିଦା । ଯାତ୍ରୀଙ୍କୁ ନା ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ୁଛି ନା ସମୟ ନଷ୍ଟ ହେଉଛି । ପାରମ୍ପରିକ ଟିକଟିଂ ବ୍ୟବସ୍ଥା ତୁଳନାରେ ସ୍ୱୟଂଚାଳିତ ଟିକଟ୍‌ ଭେଣ୍ଡିଂ ମେସିନ୍‌ (ଏଟିଭିଏମ୍‌)କୁ ଅଧିକ ପସନ୍ଦ କରୁଛନ୍ତି ଯାତ୍ରୀ । ଏଣୁ ଏକ ଡିଜିଟାଲ୍‌ ଏବଂ କଣ୍ଟାକ୍ଟଲେସ୍‌ ଟିକଟିଂକୁ ପ୍ରୋତ୍ସାହିତ କରୁଛି ପୂର୍ବତଟ ରେଲୱେ । ଖୁବଶୀଘ୍ର ଭୁବନେଶ୍ୱରରେ ଅତିରିକ୍ତ ତିନୋଟି ଏବଂ ଖୋର୍ଦ୍ଧା ରୋଡ୍‌ରେ ଆଉ ଦୁଇଟି ଏଟିଭିଏମ୍‌ ସ୍ଥାପନ କରାଯିବ । ଏହାବ୍ୟତୀତ, ଭୁବନେଶ୍ୱର ନୂଆ, ସାକ୍ଷୀଗୋପାଳ, ଧାନମଣ୍ଡଳ ଏବଂ ହରିଚନ୍ଦନପୁର ରେଳ ଷ୍ଟେସନରେ ଦୁଇଟି ଲେଖାଏଁ ଏଟିଭିଏମ୍‌ ସୁବିଧା ଯୋଗାଇ ଦିଆଯିବ । ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ଅନ୍ତର୍ଗତ ଭୁବନେଶ୍ୱର ରେଳ ଷ୍ଟେସନରେ ସର୍ବାଧିକ ୧୨ଟି ଏଟିଭିଏମ୍‌ କାଉଣ୍ଟର ରହିଛି । ସେହିପରି ପୁରୀ ଷ୍ଟେସନରେ ୧୦, କଟକରେ ୬, ବ୍ରହ୍ମପୁରରେ ୫ଟି ଏବଂ ଖୋର୍ଦ୍ଧା ରୋଡ୍‌ ଷ୍ଟେସନରେ ୪ଟି ଏଟିଭିଏମ୍‌ କାର୍ଯ୍ୟକ୍ଷମ ରହିଛି । ଏହାକୁ ମିଶାଇ ୨୨ଟି ଷ୍ଟେସନରେ ମୋଟ ୭୨ଟି ଏଟିଭିଏମ୍‌ ସୁବିଧା ଯୋଗାଇ ଦିଆଯାଉଛି । 

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୨୪-୨୫ ଆର୍ଥିକ ବର୍ଷରେ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ପରିସୀମା ମଧ୍ୟରେ ୧୯ ଷ୍ଟେସନରେ ୫୭ ଏଟିଭିଏମ୍‌ ବ୍ୟବସ୍ଥା ଥିଲା । ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଏଟିଭିଏମ୍‌ ଭିତ୍ତିଭୂମିକୁ ସମ୍ପ୍ରସାରଣ କରାଯାଉଛି । ଏହାବ୍ୟତୀତ ଏଟିଭିଏମ୍‌ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବତଟ ରେଲୱେ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ କ୍ଷେତ୍ରାଧିକାରରେ ମୋଟ ୭୩ ଜଣ ସୁବିଧାକାରୀଙ୍କୁ ନିୟୋଜିତ କରିଛି । ଏମାନଙ୍କ ମଧ୍ୟରୁ ୩୮ ଜଣ ଅବସରପ୍ରାପ୍ତ ରେଳ କର୍ମଚାରୀ ଏବଂ ରେଲୱେ ବାହାରୁ ୩୫ ଜଣ କର୍ମଚାରୀ ଅଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନରେ ୧୦ ଜଣ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ସମେତ ୧୮ ଜଣ ସୁବିଧାକାରୀ ଉପଲବ୍ଧ ଥିବାବେଳେ, ପୁରୀରେ ୫ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ସମେତ ୧୧ ଜଣ ସୁବିଧାକାରୀଙ୍କୁ ନିୟୋଜିତ କରାଯାଇଛି । 

ସେହିପରି, ବ୍ରହ୍ମପୁରରେ ଆଠ ଜଣ ଏବଂ ପଲାସାରେ ନଅ ଜଣ ସୁବିଧାକାରୀଙ୍କୁ ନିୟୋଜିତ କରାଯାଇଛି । ସେମାନେ ଏଟିଭିଏମ୍‌ ବ୍ୟବହାର ସମୟରେ ଯାତ୍ରୀଙ୍କ ସମସ୍ୟାର ସମାଧାନ, ଉପଯୁକ୍ତ ମାର୍ଗଦର୍ଶନ ଏବଂ ସଚେତନ କରୁଛନ୍ତି । ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ଏଟିଭିଏମ୍‌ ବ୍ୟବହାରରେ ରେକର୍ଡ ସଂଖ୍ୟକ ଅଭିବୃଦ୍ଧି ହାସଲ କରିଛି । ଏହା ୨୦୨୪-୨୫ ଆର୍ଥିକ ବର୍ଷରେ ଏଟିଭିଏମ୍‌ ଜରିଆରେ ୨୭,୨୪,୨୯୮ ଟିକଟ୍‌ ବିକ୍ରି କରି ୪୧,୨୮,୮୬୬ ଯାତ୍ରୀଙ୍କୁ ସେବା ଯୋଗାଇଥିଲା । ଏଥିରୁ ୩୦.୬୯ କୋଟି ରାଜସ୍ୱ ମିଳିଥିଲା । ୨୦୨୫-୨୬ ଆର୍ଥିକ ବର୍ଷରେ ଏପ୍ରିଲରୁ ଜୁନ୍‌ ଭିତରେ ଏଟିଭିଏମ୍‌ ମାଧ୍ୟମରେ ୫,୪୦,୪୪୭ ଟିକଟ୍‌ ବିକ୍ରି ହୋଇଛି । ଏ ବାବଦରେ ୯.୮୨ କୋଟି ଆୟ ହୋଇଛି । ସୂଚନାଯୋଗ୍ୟ, ଏଟିଭିଏମ୍‌ଗୁଡ଼ିକ ଟଚ୍‌ ସ୍କ୍ରିନ୍‌-ଆଧାରିତ କିଓସ୍କ । ଏହା ଯାତ୍ରୀଙ୍କୁ ଅଣସଂରକ୍ଷିତ ଏବଂ ପ୍ଲାଟଫର୍ମ ଟିକଟ୍‌ କିଣିବାକୁ ସହାୟକ ହେବା ସହ ମାସିକ ଏବଂ ତ୍ରୈମାସିକ ସିଜନ୍‌ ଟିକେଟ୍‌ ନବୀକରଣ ସୁବିଧା ଯୋଗାଉଛି । ଏଥିରେ ସ୍ମାର୍ଟ କାର୍ଡ ଏବଂ କ୍ୟୁଆର୍‌ କୋଡ୍‌-ଆଧାରିତ ୟୁପିଆଇ ପେମେଣ୍ଟ୍‌ ସମେତ ବହୁବିଧ ପେମେଣ୍ଟ୍‌ ବିକଳ୍ପ ରହିଛି । ଏହାବ୍ୟତୀତ ହିନ୍ଦୀ, ଇଂରାଜୀ ଏବଂ ଆଞ୍ଚଳିକ ଭାଷା ବିକଳ୍ପ ମଧ୍ୟ ରହିଛି । ଟିକଟଗୁଡ଼ିକ ଥର୍ମାଲ୍‌ ପେପରରେ ମୁଦ୍ରିତ ହୋଇଥାଏ ଯାହା ଏକ ଦ୍ରୁତ ଏବଂ ପରିବେଶ ଅନୁକୂଳ ସମାଧାନ ।