କେନ୍ଦୁଝର ସଦର,୧୦/୨(ଆପ୍ର) : କେନ୍ଦୁଝର ଜିଲ୍ଲାର ବାୟାପଣ୍ଡାଦର ଲୁଟ ଘଟଣାରେ ୩ଜଣଙ୍କୁ ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ଝାଡଖଣ୍ଡ ରାଜ୍ୟର ଧାନବାଦ ଜିଲ୍ଲାର ରିଜୱାନ୍ ଅନସାରୀ (୩୨), ମହମ୍ମଦ ଅସଗାର ଆନସାରୀ(୪୬), ମାଣିକ ରାବିଦାସ (୩୦) ବୋଲି ସଦର ଥାନା ଇନ୍ସପେକ୍ଟର ଅମିତ କୁମାର ଭୂୟାଁ ସୂଚନା ଦେଇଛନ୍ତି।
ଏହି ୩ଜଣ ଚଳିତ ମାସ ୧ତାରିଖ ବିଳମ୍ବିତ ରାତିରେ ୪୯ ନମ୍ବର ଜାତୀୟ ରାଜପଥର ବାୟାପଣ୍ଡାଦାରର ସଂଗ୍ରାମ କେଶରୀ ନାୟକ ଓରଫ ଜଗନଙ୍କ ଘରୁ ସଶସ୍ତ୍ର ଡ଼କାୟତି କରିଥିଲେ । ଏହାର ଦିନକ ପୂର୍ବରୁ ଖିରେଇଟାଙ୍ଗିରିରେ ମଧ୍ୟ ଡକାୟତି ହୋଇଥିଲା। ଉଭୟ ଘଟଣାରେ ଗୋଟିଏ ଡ଼କାୟତ ଦଳ ସମ୍ପୃକ୍ତ ଥିବା କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର କହିଛନ୍ତି।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲା ସଦର ଥାନା ଶୁଆକାଟି ଫାଣ୍ଡି ଅନ୍ତର୍ଗତ ବାୟାପଣ୍ଡାଦର ଗାଁରେ ସଂଗ୍ରାମ କେଶରୀ ନାଏକଙ୍କ ଘରେ ପଶିଥିଲେ ୮ଜଣ ମୁଖାପିନ୍ଧା ବନ୍ଧୁକଧାରୀ ଡ଼କାୟତ । ପ୍ରଥମେ ଫାଙ୍କା ଗୁଳି ଚାଳନା କରି ଘରର ସମସ୍ତ ସଦସ୍ୟଙ୍କୁ ଗୋଟିଏ ଘରେ ପୁରାଇ ୬ଲକ୍ଷରୁ ଉର୍ଦ୍ଧ୍ଵ ନଗଦ ଟଙ୍କା ଓ ୧୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନାଗହଣା ଲୁଟି ନେଇଥିଲେ । ଫେବୃଆରୀ ୧ତାରିଖ ରବିବାର ରାତି ସାଢ଼େ ୧୦ଟା ବେଳେ, ଦୁର୍ଘଟଣା ଘଟିଥିବା ଲୋକଙ୍କ ପାଇଁ ପାଣି ମାଗିବାର ବାହାନା କରି ଘରେ ପସିଥିଲେ ଦୁର୍ବୃତ୍ତ । ପରେ ଫାଙ୍କା ଗୁଳି ଚାଲନା କରି ଭୟ ସୃଷ୍ଟି କରି ଘରର ସଦସ୍ୟଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟିନେଇଥିଲେ । ଯିବା ସମୟରେ ସିସିଟିଭି କ୍ୟାମେରାର ହାର୍ଡ ଡିସ୍କ ଖୋଲି ଫେରାର୍ ହୋଇଯାଇଥିଲେ । ୮ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶିଥିବା ବେଳେ, ୪୯ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଧଳା ସ୍କୋର୍ପିଓ ନିକଟର ଅନ୍ୟ ସହଯୋଗୀ ରହିଥିବା ଲୋକେ କହିଥିଲେ । ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ସ ହାୟତାରେ ପୁଲିସ ତଦନ୍ତ ଆଗକୁ ବଢ଼ାଇଥିଲା । ଘଟଣାସ୍ଥଳରେ ଏସପି ପହଞ୍ଚି ତଦନ୍ତର ଦିଗ ଅନୁଧ୍ୟାନ କରିଥିଲେ । ପୋଲିସ ଏହି ୩ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି