ନୂଆଦିଲ୍ଲୀ, ୨୫।୭: ଏଣିକି ଫ୍ଲିପ୍କାର୍ଡରେ ଅର୍ଡର କରିହେବ ଖାଦ୍ୟ । ଆପଣଙ୍କ ଘର ପର୍ଯ୍ୟନ୍ତ ସ୍ମାର୍ଟଫୋନ୍, ପୋଷାକ ଏବଂ ଗ୍ରୋସରୀ ସାମଗ୍ରୀ ପହଞ୍ଚାଉଥିବା ଇ-କମର୍ସ ଜାଏଣ୍ଟ ଫ୍ଲିପକାର୍ଟ ଏବେ ଆପଣଙ୍କୁ ଗରମା-ଗରମ ଖାଦ୍ୟ ପହଞ୍ଚାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଖୁବଶୀଘ୍ର ଫ୍ଲିପକାର୍ଟ ନିଜର ଫୁଡ୍ ଡେଲିଭରି ସର୍ଭିସ୍ ବଜାରକୁ ଆଣିବାକୁ ଯାଉଛି । ବଜାରରେ ଯେତେବେଳେ ୧୦ ମିନିଟ୍ ଡେଲିଭରିକୁ ନେଇ ପ୍ରତିଯୋଗିତା ଜୋରଦାର ହେବାରେ ଲାଗିଛି, ଠିକ୍ ସେହି ସମୟରେ ଫ୍ଲିପକାର୍ଟର ଏହି ପଦକ୍ଷେପ ଜୋମାଟୋ ଏବଂ ସ୍ୱିଗିକୁ କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି ।

CEO କଲ୍ୟାଣ କୃଷ୍ଣମୂର୍ତ୍ତି କଲେ ସ୍ପଷ୍ଟ:

ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଫ୍ଲିପକାର୍ଟ ଗ୍ରୁପ୍ ସିଇଓ କଲ୍ୟାଣ କୃଷ୍ଣମୂର୍ତ୍ତି କହିଛନ୍ତି, କମ୍ପାନୀ ଆସନ୍ତା କିଛି ସପ୍ତାହ ଭିତରେ ନିଜର ଫୁଡ୍ ଡେଲିଭରି ସର୍ଭିସ୍ ଲଞ୍ଚ କରିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ କିଛି୍ ନିର୍ଦ୍ଦିଷ୍ଟ ସ୍ଥାନରେ ଟେଷ୍ଟିଂ ବା ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯିବ । ଗ୍ରାହକମାନଙ୍କଠାରୁ ମିଳିବାକୁ ଥିବା ଫିଡବ୍ୟାକ୍ ଆଧାରରେ ଏଥିରେ ସୁଧାର ଅଣାଯିବ ଏବଂ ପରେ ଏହାକୁ ବଡ଼ ସ୍ତରରେ ଅନ୍ୟ ସହରଗୁଡ଼ିକରେ ପ୍ରସାରିତ କରାଯିବ ।

ଏହା ବି ପଢ଼ନ୍ତୁ... Window Solar Panel: ଛାତ ନୁହେଁ, ଏବେ ଘରର ଝରକା କାଚରୁ ତିଆରି ହେବ ବିଜୁଳି; ଲାଗିବ 'ପେରୋଭସ୍କାଇଟ୍' ସୋଲାର !

କିପରି ଏହି ସର୍ଭିସ୍ ବ୍ୟବହାର କରିପାରିବେ ?

ଗ୍ରାହକମାନେ ଏହି ସୁବିଧାକୁ ଫ୍ଲିପକାର୍ଟର ମେନ୍ ଆପ୍ ସହିତ ଏକ ନୂତନ ସ୍ୱତନ୍ତ୍ର ଆପ୍ ଜରିଆରେ ମଧ୍ୟ ବ୍ୟବହାର କରିପାରିବେ । ମିଡିଆ ରିପୋର୍ଟ ମୁତାବକ, ଫ୍ଲିପକାର୍ଟର ଏହି ସର୍ଭିସ୍ ସରକାରଙ୍କ ONDC (Open Network for Digital Commerce) ନେଟୱାର୍କ ସହିତ ଜଡ଼ିତ ରହିବ । ଏହାଦ୍ୱାରା କମ୍ପାନୀକୁ ଏକାଥରକେ ବହୁସଂଖ୍ୟକ ରେଷ୍ଟୁରାଣ୍ଟ ଏବଂ ଡେଲିଭରି ପାର୍ଟନରଙ୍କ ନେଟୱାର୍କର ସୁବିଧା ତୁରନ୍ତ ମଳିଯିବ । ଫ୍ଲିପକାର୍ଟର ଏହି ନିଷ୍ପତ୍ତି ଏହାର କୁଇକ୍-କମର୍ସ ସର୍ଭିସ୍ 'Flipkart Minutes' ର ସଫଳତା ପରେ ଆସିଛି । କମ୍ପାନୀ ନିକଟରେ ପ୍ରକାଶ କରିଥିଲା ଯେ ଏହା ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ୧୩୦ଟି ସହରରେ ୧,୦୦୦ରୁ ଅଧିକ ମାଇକ୍ରୋ-ଫୁଲଫିଲମେଣ୍ଟ ସେଣ୍ଟର ଖୋଲିସାରିଛି ।

ଫୁଡ୍ ଡେଲିଭରି ବଜାରରେ ଏବେ ପ୍ରତିଯୋଗିତା ଅତ୍ୟନ୍ତ ତୀବ୍ର ହୋଇଥିବାର ନଜର ଆସୁଛି । ନିକଟରେ ରାଇଡ୍-ହେଲିଭ୍ ଆପ୍ ରାପିଡୋ ନିଜର ଓନଲି ନାମକ ଫୁଡ୍ ଡେଲିଭରି ସର୍ଭିସ୍ ଆରମ୍ଭ କରିଛି, ଯାହା ରେଷ୍ଟୁରାଣ୍ଟଗୁଡ଼ିକଠାରୁ ଜିରୋ କମିଶନ ନେବାକୁ ଦାବି କରୁଛି । ସ୍ୱିଗି ମଧ୍ୟ ବଜେଟ୍-ଫ୍ରେଣ୍ଡ୍ଲି ଗ୍ରାହକମାନଙ୍କ ପାଇଁ ଟୋନିଙ୍ଗ ନାମକ ଏକ ନୂଆ ଫିଚର୍ ଆଣିଛି । ଅନ୍ୟପକ୍ଷରେ, ଜୋମାଟୋର ପ୍ୟାବେଣ୍ଟ କମ୍ପାନୀ ଇଟର୍ନାଲର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲଙ୍କ ମତରେ, କେବଳ ଡିସ୍କାଉଣ୍ଟ ବଳରେ ନୂଆ ପ୍ରତିଯୋଗୀମାନେ ଅଧିକ ଦିନ ତିଷ୍ଠି ରହିପାରିବେ ନାହିଁ, ବରଂ ରେଷ୍ଟୁରାଣ୍ଟ ସପ୍ଲାଇ ଚେନ୍କୁ ସୁଧାରିବା ଦ୍ୱାରା ହିଁ ପ୍ରକୃତ ଅଭିବୃଦ୍ଧି ସମ୍ଭବ । ତେବେ ଫ୍ଲିପକାର୍ଟ ସିଇଓ କଲ୍ୟାଣ କୃଷ୍ଣମୂର୍ତ୍ତି ସ୍ପଷ୍ଟ କରିଛନ୍ତି ଯେ, ଫ୍ଲିପକାର୍ଟ କେବଳ ସେହି କ୍ଷେତ୍ରରେ ପ୍ରବେଶ କରେ, ଯେଉଁଠାରେ ସେ ଗ୍ରାହକଙ୍କୁ କିଛି ନୂଆ ଏବଂ ଏକ ଉତ୍ତମ ଅନୁଭୂତି ଦେଇପାରିବ ।