ମୋହନା, ୨୭/୫(ଆପ୍ର): ଗଜପତି ଜ଼ିଲ୍ଲା ମୋହନା ଏବଂ ଅଡବା ଥାନା ଅଞ୍ଚଳରେ ପୃଥକ ପୃଥକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୧ ଜଣ ଆହତ ହୋଇଛନ୍ତି l ମୃତକ ମାନେ ହେଲେ ଗୁବେଲ ଗାଁର ଶ୍ୟାମ ମାଝୀ (୨୨), ପୋଡାମାରି ଗାଁର ଗଣେଶ ମହାନ୍ତି (୨୨) ଓ ବଦlକୁଆ ଗାଁର ବିନୋଦ ଗମାଙ୍ଗ (୧୭) l ଆହତ ୩୧ ଜଣଙ୍କ ମଧ୍ୟରୁ ପ୍ରାଥମିକ ଚିକିତ୍ସା ପରେ ୧୦ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l
ଖବର ମୁତାବକ, ଅଡବା ଥାନା ମାଣ୍ଡିମେରା ଡେଙ୍ଗିଲି ଗ୍ରାମ ରେ ଆୟୋଜିତ ବିବାହ ଭୋଜି ଖାଇ ୩୦ରୁ ଉର୍ଦ୍ଧ ଲୋକ ଏକ ପିକଅପ୍ ଭ୍ୟାନରେ ଫେରୁଥିବା ବେଳେ ଲେଖାରିଗାଁ ଘାଟିରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା l ଏହି ଘଟଣାରେ ଗୁବେଲ ଗାଁର ଶ୍ୟାମ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ରୁ ଉର୍ଦ୍ଧ ଲୋକ ଆହତ ହୋଇଛନ୍ତି l ଆହତମାନଙ୍କୁ ବିରିକୋଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି l
ସେହିଭଳି ଗଞ୍ଜାମ ଜ଼ିଲ୍ଲା ପୋଡାମାରିରୁ ଏକ ରାସନ ବୋଝେଇ ମିନିଟ୍ରକ ମୋହନା ଅଭିମୁଖେ ଆସୁଥିବା ବେଳେ ଲୁହାଗୁଡ଼ି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା l ଦୁର୍ଘଟଣାରେ ଡ୍ରାଇଭର ଗାଡି ତଳେ ଚାପିହୋଇ ରହିଯାଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି l ମୋହନା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗାଡି ତଳୁ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ l ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ ଡ୍ରାଇଭର ଜଣକ ପାଟପୁର ଥାନା ପୋଡାମାରି ଗ୍ରାମର ଗଣେଶ ମହାନ୍ତି l ସେହିପରି ଅନ୍ତରବା ଡେଙ୍ଗମା ଛକରେ ଏକ ବାଇକକୁ ପିକଅପ୍ ଭ୍ୟାନ ଧକ୍କା ଦେଇଛି l ଫଳରେ ବାଇକ ଆରୋହୀ ବଦlକୁଆ ଗାଁର ବିନୋଦ ଗମାଙ୍ଗଙ୍କ ମୃତ୍ୟୁ ଘଟିଛି l ଏହି ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି l ଏନେଇ ଅଡବା ଏବଂ ମୋହନା ଥାନାରେ ପୃଥକ ପୃଥକ ୩ ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ ଚାଲିଥିବା ମୋହନା ଥାନା ଅଧିକାରୀ ବସନ୍ତ ସେଠି ଓ ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l