ଭୁବନେଶ୍ବର,୨୬।୧୦ : ବାତ୍ୟା ’ଦାନା’ ଦ୍ୱାରା କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା । ଏହିସବୁ ଜିଲ୍ଲା ଗୁଡିକରେ    ଗଛ ପଡି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ଘଟିଥିଲା   । ତେବେ  ଯୁଦ୍ଧକାଳୀନ ଭିତ୍ତିରେ ଗମନାଗମନ ଓ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା  କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। 

କେନ୍ଦ୍ରାପଡା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ବାତ୍ୟା ଦ୍ୱାରା ପ୍ରଭାବିତ ୯୫ ପ୍ରତିଶତ ଉପଭୋକ୍ତା ମାନଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଅଛି । ପ୍ରାୟ ୧୫ ହଜାର ଉପଭୋକ୍ତା ବିଦ୍ୟୁତ୍ ସଂଯୋଗ ଅପେକ୍ଷାରେ ଅଛନ୍ତି । ସେମାନଙ୍କୁ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ବର୍ତ୍ତମାନ ମଧ୍ୟ କାମ ଚାଲୁରହିଅଛି ।

ସେହିପରି ଭଦ୍ରକରେ ଜଳବନ୍ଦୀ ସମସ୍ୟା ଯୋଗୁଁ  ବିଦ୍ୟୁତ ସଂଯୋଗ କାମ ବିଳମ୍ବ ହେଉଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୭   ପ୍ରତିଶତ  ବିଦ୍ୟୁତ ସଂଯୋଗ ହୋଇଛି । ପ୍ରାୟ ୭୦ ହଜାର ଉପଭୋକ୍ତା ବିଦ୍ୟୁତ୍ ସଂଯୋଗ ଅପେକ୍ଷାରେ ଅଛନ୍ତି । ବର୍ତ୍ତମାନ ମଧ୍ୟ କାମ ଚାଲୁ ରହିଅଛି ।   

ବାଲେଶ୍ୱର ଜିଲ୍ଲାରେ  ଶନିବାର ସନ୍ଧ୍ୟା ସୁଦ୍ଧା ବାକିଥିବା ସବୁ ରାସ୍ତା ଅବରୋଧ ହଟାଯାଇଛି । ପ୍ରାୟ ୮୧ ପ୍ରତିଶତ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଅଛି । ବିଦ୍ୟୁତ ସଂଯୋଗ କାମ ଚାଲୁରଚିଛି।

ଶିମିଳିପାଳରେ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବୁଢାବଳଙ୍ଗ ନଦୀର ଜଳସ୍ତରରେ ବୃଦ୍ଧି ଘଟୁଛି । ବାଲେଶ୍ୱର ଜିଲ୍ଲାରେ ୬ ଟି ଗ୍ରାମ ପଞ୍ଚାୟତର ୨୦ ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଅଛି । ରେମୁଣା ବ୍ଲକର ୨୫୦୦ ଓ ବାଲେଶ୍ୱର ସଦର ବ୍ଲକର ୮ ହଜାର ଲୋକଙ୍କୁ ପ୍ରଶାସନ ଏପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନକୁ ଆଣିଛି । ଏହା ବିପଦସଂକେତ ଉପରେ ପ୍ରବାହିତ ହେବାର ଆଶଙ୍କା ରହିଛି । ପ୍ରଶାସନ, ଓଡ୍ରାଫ ଓ ଦମକଳ ବାହିନୀ ସମ୍ପୂର୍ଣ୍ଣ ରୂପେ ସଜାଗ ରହିଛି ।  ମୟୂରଭଞ୍ଜ ଜିଲ୍ଲାରେ ବିଦ୍ୟୁତ୍ ସଂଯୋଗ ସ୍ୱାଭାବିକ ହୋଇଛି । ବୁଢାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ପ୍ରଶାସନ, ଓଡ୍ରାଫ ଓ ଦମକଳବାହିନୀ ସମ୍ପୂର୍ଣ୍ଣ ରୂପେ ସଜାଗ ରହିଛି । 

ବାତ୍ୟା ଆଶ୍ରୟସ୍ଥଳକୁ ୮ ଲକ୍ଷ ୯ ହଜାର ୫୧୩ ଲୋକମାନଙ୍କୁ ଅଣାଯାଇଥିଲା । ସ୍ଥିତି ସ୍ୱାଭାବିକ ହେବା ପରେ ଲୋକମାନେ ନିଜ ଘରକୁ ଫେରିଛନ୍ତି । ବର୍ତ୍ତମାନ ମାତ୍ର ୧ ଲକ୍ଷ ୧୦ ହଜାର ୪୭୦ ଜଣ ଆଶ୍ରୟସ୍ଥଳୀରେ ଅଛନ୍ତି ।ସେହିପରି ବାତ୍ୟାରେ ପ୍ରାୟ ୨ ଲକ୍ଷ ଏକର ଜମିରେ ଫସଲ ନଷ୍ଟ ହୋଇଛି । ପାଣି ଛାଡିଲା ପରେ ଏହାର ଆକଳନ କରାଯାଇ ଚାଷୀମାନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦିଆଯିବ । 

ବାତ୍ୟାରେ ସମୁଦାୟ ୨୨.୮୪ ଲକ୍ଷ ପରିବାରର ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହୋଇଥିଲା।  ତନ୍ମଧ୍ୟରୁ ଶନିବାର ସନ୍ଧ୍ୟା ସୁଦ୍ଧା ୯୨ ପ୍ରତିଶତରୁ ଅଧିକ ପରିବାରକୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଛି ।  

ବନ୍ୟା ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାକୁ ଅତିରିକ୍ତ ୧୧ ଗୋଟି  ପାଓ୍ବାର ବୋଟ୍   ଏବଂ ବାଲେଶ୍ୱର ଜିଲ୍ଲାକୁ ଅତିରିକ୍ତ ୧୦   ଗୋଟି ପାଓ୍ବାର ବୋଟ୍  ପଠେଇବାକୁ  ମୁଖ୍ୟମନ୍ତ୍ରୀ   ନିର୍ଦ୍ଦେଶ ଦେଇଛିନ୍ତି।  ଗୋବିନ୍ଦପୁର ସେତୁ ଠାରେ ବର୍ତ୍ତମାନ ଜଳସ୍ତର ୭.୮୪ ମିଟର ରେ ପ୍ରବାହିତ ହେଉଅଛି,   ଯାହାକି ବିପଦ ସଂକେତଠାରୁ ତଳେ   । ଏପର୍ଯ୍ୟନ୍ତ ସର୍ପାଘାତରେ ୨୮  ଜଣ ବ୍ୟକ୍ତି ଆହାତ ହୋଇ ଚିକିତ୍ସିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣ ପୁରୁଷ ଓ ୧୩ ଜଣ ମହିଳା ଅଟନ୍ତି  ବୋଲି ସୂଚନା ଦିଆଯାଇଛି।