କାମାକ୍ଷାନଗର, ୦୭/୦୭: ୪୦ଟିକିଆ ହାତୀପଲ ନଦୀ ପାର୍ ହେବା ବେଳେ ଅଘଟଣ । ମହାବିରୋଡ ରେଞ୍ଜ ପାଳସାହି ନିକଟରେ ୪୦ ଟିକିଆ ହାତୀ ପଲ ବ୍ରାହ୍ମଣୀ ନଦୀ ପାର ହେଉଥିବାବେଳେ ସେଥିରୁ ୩ଟି ହାତୀ ନଦୀ ଟାପୁରେ ରହିଯାଇଥିଲେ । ପରେ ନଦୀ ପାର ହେଉଥିବାବେଳେ ଭାସି ଯାଇଥିଲେ ୩ଟି ହାତୀ। ଦୀର୍ଘ ସମୟ ଧରି ସଙ୍ଘର୍ଷ ପରେ ହାତୀ ୩ଟି ଉଦ୍ଧାର ହେଲେ ।
ସୂଚନା ମୁତାବକ, ରବିବାର ସନ୍ଧ୍ୟା ସମୟରେ ୪୦ ଟିକିଆ ହାତୀପଲ ମହାବିରୋଡ ରେଞ୍ଜ ବାରବାଙ୍କ ଜଙ୍ଗଲରୁ ବାହାରି ପାଳସାହି ନିକଟରେ ବ୍ରାହ୍ମଣୀ ନଦୀ ପାର ହେଉଥିଲେ । ଏହି ସମୟରେ ନଦୀରେ ପାଣି ମାଡ଼ି ଆସିଥିଲା । ସମସ୍ତ ହାତୀ ନଦୀ ପାର ହୋଇ ଯାଇଥିବାବେଳେ ସେଥିରୁ ୩ଟି ହାତୀ ନଦୀ ଟାପୁରେ ଅଟକି ରହିଥିଲେ । କିଛି ସମୟ ପରେ ହାତୀମାନେ ନଦୀ ପାର୍ ହେବାକୁ ଉଦ୍ୟମ କରିଥିଲେ । ମାତ୍ର ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ । ଦୀର୍ଘ ସମୟ ଧରି ୩ ହାତୀ ସଙ୍ଘର୍ଷ କରିବା ପରେ ସୋମବାର ପ୍ରାୟ ଭୋରରୁ ସୁରକ୍ଷିତ ଭାବେ ନଦୀ ପାର ହୋଇ ଖଡଗପ୍ରସାଦ ଅଞ୍ଚଳକୁ ଚାଲିଯାଇଥିଲେ । ରାତି ତମାମ ବନବିଭାଗ ୩ ହାତୀଙ୍କୁ ଜଗି ରହି ନାକେଦମ ହେବାକୁ ପଡିଥିଲା।