ମାଲକାନଗିରି,୨୯/୦୯: ଛତିଶଗଡ଼ କାଙ୍କେର ଜିଲ୍ଲାରେ ଏନ୍କାଉଣ୍ଟର । ଯବାନଙ୍କ ଗୁଳିରେ ଟଳିପଡ଼ିଲେ ୩ଜଣ କ୍ୟାଡର ମାଓବାଦୀ । ଛିନ୍ଦଖରକ ଗାଁ ଜଙ୍ଗଲରେ ଡିଆର୍ଜି, ବିଏସ୍ଏଫ୍ ସହ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ପୁଲିସ କହିଛି । ନିହତ ମାଓବାଦୀଙ୍କ ମଧ୍ୟରେ ଏସିଏମ୍ କ୍ୟାଡର ସର୍ବାନ ମାଡ଼କାମ ଓରଫ୍ ବିଶ୍ୱନାଥ ଓରଫ୍ ବୁଧରାମ ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ସେହିପରି ଏସିଏମ୍ ରାଜେଶ ଓରଫ୍ ରାକେଶ ହେମଲା ମୁଣ୍ଡ ଉପରେ ୫ ଲକ୍ଷ ଏବଂ ବାସନ୍ତୀ କୁଞ୍ଜାମ ଓରଫ୍ ହିଡମାଙ୍କ ମୁଣ୍ଡ ଉପରେ ୧ ଲକ୍ଷ ପୁରସ୍କାର ରହିଥିଲା । ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ ବନ୍ଧୁକ ସହ ବିପୁଳ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ମିଳିଥିଲା ।
ବସ୍ତର ରେଞ୍ଜ୍ ପୁଲିସ ମହାନିର୍ଦ୍ଦେଶକ ସୁନ୍ଦରରାଜ ପି., ଡିଆଇଜି ଅମିତ ତୁକାରାମ କାମ୍ବଲେ, ବିଏସ୍ଏଫ୍ ଡିଆଇଜି ବିପୁଲ ମୋହନ ବାଲା, ଏସ୍ପି ଆଇ.କେ. ଏଲିସେଲା, ଗାରିଆବନ୍ଧ ଏସ୍ପି ନିଖିଲ ରାଖେଚା ଏନେଇ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଡିଆର୍ଜି ଏବଂ ବିଏସ୍ଏଫ୍ର ଏକ ମିଳିତ ଟିମ୍ ଶନିବାର କାଙ୍କେରା ଜଙ୍ଗଲରେ କମ୍ବିଂ ଅପରେସନ କରିଥିଲା । ସେହି ସମୟରେ ମାଓବାଦୀଙ୍କ ସହ ଆମ୍ନାସାମ୍ନା ହେବା ପରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଗୁଳି ବିନିମୟ ଥମିବା ପରେ ସୁରକ୍ଷାବାହୀନୀ ଘଟଣାସ୍ଥଳରେ ଯାଞ୍ଚ୍ କରିଥିଲେ । ଯାଞ୍ଚ୍ ବେଳେ ମାଓବାଦୀଙ୍କ ମୃଦଦେହ ସହ ଅସ୍ତ୍ରଶସ୍ତ୍ର ମିଳିଥିଲା । ମୃତଦେହଗୁଡ଼ିକ ଚିହ୍ନଟ କରାଯାଇଥିଲା । ସେଠାରେ କମ୍ବିଂ ଅପରେସନ ଜାରି ରହିଛି । ମୃତ ମାଓବାଦୀଙ୍କ ପୋଷ୍ଟମର୍ଟମ୍ କରାଯିବ ବୋଲି ବସ୍ତର ଆଇଜି ଶ୍ରୀ ସୁନ୍ଦରରାଜ କହିଛନ୍ତି । ସେ କହିଛନ୍ତି, କଷ୍ଟକର ଭୌଗୋଳିକ ସ୍ଥିତି ଏବଂ ଖରାପ ପାଗ ସତ୍ତେ୍ୱ ସୁରକ୍ଷାବାହିନୀ ଲୋକଙ୍କ ଧନଜୀବନକୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ତେଣୁ ମାଓବାଦୀ କ୍ୟାଡରମାନେ ହିଂସାର ରାସ୍ତା ଛାଡ଼ି ସରକାରଙ୍କ ପୁନର୍ବାସ ନୀତିର ସୁଯୋଗ ନେଇ ମୁଖ୍ୟସ୍ରୋତରେ ସାମିଲ ହେବାକୁ ସେ ନିବେଦନ କରିଛନ୍ତି । ନହେଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ।