ଭୁବନେଶ୍ବର,୨୯।୧ : ସୁଭଦ୍ରା ଯୋଜନାରେ ନିଆଗଲା ଆଉ ୩ ପଦକ୍ଷେପ। ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାରେ ଆରମ୍ଭ ହେଲା  ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଏବଂ  ସୁଭଦ୍ରା ସେତୁ। ସୁଭଦ୍ରା ମୁଦ୍ରା କାର୍ଯ୍ୟକ୍ରମ  ଅବସରରେ  ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। 

ଏଣିକି ଶୁଣ ସୁଭଦ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ମହିଳାମାନଙ୍କ ଯୋଜନା ବିଷୟରେ  କିଛି ସନ୍ଦେହ ଥିଲେ ବିଭାଗକୁ ପଚାରିପାରିବେ ଓ ଯୋଗାଯୋଗ କରିପାରିବେ । ଏପରିକି ଋଣ କେମିତି ନେଇପାରିବେ ପଚାରି ବୁଝି ପାରିବେ। ସେହିପରି  କୁହ ସୁଭଦ୍ରାରେ  ବିଭାଗ ହିତାଧିକାରୀଙ୍କୁ କଲ୍ କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବ ।  ଯେଉଁ ହିତାଧିକାରୀଙ୍କୁ ୨୧ ବର୍ଷ ହେବ ତାଙ୍କୁ ଏଥିରେ ଯୋଡିବା ପାଇଁ ସୁଭଦ୍ରା ସେତୁ କାମ କରିବ। ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ତାଲିମ  ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ୩ଟି ପର୍ଯ୍ୟାୟରେ ପ୍ରାୟ ୮୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ରାଶି ସରକାର ଦେଇଛନ୍ତି । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଯୋଜନାରେ ସାମିଲ କରି କୋଟିଏ ହିତାଧିକାରୀ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । କିନ୍ତୁ ଆକାଉଣ୍ଟରେ ତାଳମେଳ ନ ରହିବା, କେୱାଇସି ଅପଡେଟ୍‌, ଅଜାଣତରେ ଅପ୍‌ଟ ଆଉଟ ଭଳି କାରଣ ପାଇଁ ବହୁ ହିତାଧିକାରୀଙ୍କୁ  ଟଙ୍କା ପାଇବାରେ ବିଳମ୍ବ ହେଉଛି।

ଏନପିସିଆଇ ଫେଲଓ୍ବର ପାଇଁ ହିତାଧିକାରୀ ଟଙ୍କା ପାଇବାରେ ଅସୁବିଧା ହେଉଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସୁଭଦ୍ରା ଆବେଦନକାରୀଙ୍କୁ ଏନପିସିଆଇ ଦ୍ବନ୍ଦ୍ବ ଦୂର କରିବାକୁ ପରାମର୍ଶ ଦିଆଯାଇଛି। ବ୍ୟାଙ୍କ ଯାଇ ଏନପିସିଆଇ  ହିତାଧକାରୀ ଯାଞ୍ଚ   କରିବାକୁ  କୁହାଯାଇଛି।  ଅନ୍ୟପକ୍ଷରେ ଆସନ୍ତା ମାର୍ଚ୍ଚ ୮ ତାରିଖ ଅର୍ଥାତ ମହିଳା ଦିବସରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।