ଖୋର୍ଦ୍ଧା, ୦୧/୧୦: ରଙ୍ଗ୍ ରୁଟ୍ରେ ଗାଡ଼ି ଚଲାଇବା ହେଲା କାଳ । ୧୬ ନଂ ଜାତୀୟ ରାଜପଥ ଖୋର୍ଦ୍ଧା ବାଇପାସ୍ ନିକଟରେ କଣ୍ଟେନର୍ ଧକ୍କାରେ ଚାଲିଗଲା ୩ ଜୀବନ । ତିନି ମୃତକ ଡେଲାଙ୍ଗ ଅଞ୍ଚଳର ହୋଇଥିବା ବେଳେ ସମସ୍ତଙ୍କ ପରିଚୟ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଶିଳ୍ପାଞ୍ଚଳ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ପିତାପଲୀ ଛକ ଠାରୁ ଜାତୀୟ ରାଜପଥର ରଙ୍ଗ ରୁଟ୍ରେ ୩ ଜଣ ବାଇକ୍ରେ ଆସୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ସହିତ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲେ । ଯାହାଫଳରେ ଗାଡ଼ିରେ ଥିବା ତିନି ଜଣ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ି ରହିଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ ।
ସେପଟେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଶିଳ୍ପାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି । ଏହାସହିତ କଣ୍ଟେନର ଗାଡ଼ିର ଡ୍ରାଇଭରଙ୍କୁ ମଧ୍ୟ ଥାନାରେ ଅଟକ ରଖିଛି । ଏଥି ସହିତ ଘଟଣାର ତଦନ୍ତ ଜାରି ରଖିଛି ଶିଳ୍ପାଞ୍ଚଳ ଥାନା ପୁଲିସ ।