ନନ୍ଦପୁର, ୧୯/୦୮: ମାଲକାନଗିରି ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ ଚାଲାଣ ବେଳେ ପାଡ଼ୁଆ ପୁଲିସ୍ ହାତରେ ଧରାପଡ଼ିଛି ୩ କ୍ୱିଣ୍ଟାଲ ଗଞ୍ଜେଇ । କାରବାରରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ପାଡୁଆ ଥାନା ଖୁଡ଼ା ଗାଁର ଶ୍ରୀଧର ଖରା(୪୦) ଧନା ହନ୍ତାଳ(୩୮) ଏବଂ ମାଧିପୁଟ ଗାଁର ନୀଳ ଖେମୁଣ୍ଡୁ(୨୫) । ଚାଲାଣରେ ବ୍ୟବହୃତ ଏକ ଜିପ୍ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କା ହେବ । ମଙ୍ଗଳବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍ଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, ଏସ୍ଡିପିଓ ଶ୍ରୀ ମଲ୍ଲିକଙ୍କ ନିର୍ଦ୍ଦେଶରେ ପାଡ଼ୁଆ ଥାନାର ଏସ୍ଆଇ ସୁରେନ୍ଦ୍ର କୁମାର ସେଠୀ, ଏଏସ୍ଆଇ ରାମ ମାଡ଼କାମୀଙ୍କ ନେତୃତ୍ୱରେ ଏକ ଟିମ୍ ଗୋଲୁର ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ବିଶ୍ୱସ୍ତସୂତ୍ରରୁ ଖବର ମିଳିଥିଲା । ଏକ ଜିପ୍ ଦ୍ରୁତଗତିରେ ଯାଉଥିବା ଦେଖି ପୁଲିସ୍ ତାକୁ ପିଛା କରିଥିଲା । ଗୋଲୁର ଗାଁ ନିକଟରେ ଜିପ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ବାହାରି ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍ ଉପରୋକ୍ତ ୩ଜଣଙ୍କୁ କାବୁ କରିଥିଲା । ଯାଞ୍ଚ ବେଳେ ଗାଡ଼ିରୁ ଜରିବସ୍ତାରେ ଥିବା ଗଞ୍ଜେଇ ଜବତ କରି ଥାନାକୁ ଆଣିଥିଲା । ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା । ମୋଟ୍ ୩୦୦ କେଜି ଗଞ୍ଜେଇ ରହିଥିଲା । ପଚରାଉଚରା ବେଳେ ଏହି ଗଞ୍ଜେଇ ସେମାନେ ମାଲକାନଗିରି ଜିଲ୍ଲା ଜାନବାଇ ଅଞ୍ଚଳରୁ ଆଣି ଆନ୍ଧ୍ରପ୍ରଦେଶର ପେଦାବାଇଲୁ ଅଞ୍ଚଳକୁ ନେଉଥିଲେ ବି ପୁଲିସ୍ ନିକଟରେ ସ୍ୱୀକାର କରିଛନ୍ତି । ଏ ସମ୍ପର୍କରେ ପାଡ଼ୁଆ ଥାନାରେ ଏକ ଗଞ୍ଜେଇ ମାମଲା ରୁଜୁ ହୋଇଛି । ତଦନ୍ତ ଚାଲୁ ରହିଛି । ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ଏସ୍ଆଇ ଦୀପକ କୁମାର ବାରିକଙ୍କୁ ଦାୟିତ୍ୱ ଦିଆଯାଇଥିବା ଏସ୍ଡିପିଓ ଶ୍ରୀ ମଲ୍ଲିକ କହିଛନ୍ତି ।