କୋରାପୁଟ, ୭।୩ :  କୋଲାବ ଡ୍ୟାମରେ ବୁଡି ୩ ଛାତ୍ର ମୃତ । ଗାଧୋଇବା ବେଳେ ବୁଡିଗଲେ ୩ ଛାତ୍ର। କୋରାପୁଟ ଜବାହର ନବୋଦୟ ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ର।   ମୃତ ଛାତ୍ର ହେଲେ ପୂଜାରୀପୁଟ ରଣା ସାହିର ଲିଙ୍ଗରାଜ ଖିଲ, ଲକ୍ଷ୍ମୀପୁର ବିରିଗୁଡ଼ା କଲୋନୀର ସ୍ୱସ୍ତି ସୁନ୍ଦର ହାଲୱା, ଏବଂ ଲମତାପୁଟର ଓମ୍ ପ୍ରକାଶ ବେହେରା ।

ମାଛରା ଆଦର୍ଶ ବିଦ୍ୟାଳୟରେ ପରୀକ୍ଷା ସରିବା ପରେ ଲାଣ୍ଡିଗୁଡ଼ା ନିଜ ନବଦୋୟ ବିଦ୍ୟାଳୟକୁ ଛାତ୍ରମାନେ ଫେରି ଥିଲେ। ସମସ୍ତେ ନିଜ ପରିବାର ସହ ଚାଲିଯାଇ ଥିବା ବେଳେ ତିନି ଛାତ୍ର ନିଜ ପରିବାରକୁ ଅପେକ୍ଷା କରି ନିକଟସ୍ଥ କୋଲାବ ଜଳ ଭଣ୍ଡାର ଗାଧୋଇବାକୁ ଯାଇ ବୁଡି ଯାଇଥିଲେ। ଏହି ଘଟଣା ଦେଖି ନିକଟ ଗାଁ ଲୋକ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ସେତେବେଳକୁ ମୃତ୍ୟୁ ହୋଇ ସାରିଥିଲା। ତିନି ଜଣଙ୍କୁ ପୋଲିସ ଏସ ଏଲ ଏନ୍ ସି ମେଡିକାଲ ଆଣି ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡିଛି। ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା । ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।

ଏହି ଘଟଣାରେ ମୃତ ଲିଙ୍ଗରାଜଙ୍କ ମାମୁଁ ଗୋବିନ୍ଦ ପୂଜାରୀ ରେ ବିଦ୍ୟାଳୟ କର୍ତ୍ତୁପକ୍ଷ ଙ୍କୁ ଦାୟୀ କରିଛନ୍ତି। ସେମାନେ ତିନି ପିଲାଙ୍କୁ କିପରି ବାହାର କୁ ଛାଡ଼ିଲେ ବୋଲି ପ୍ରଶ୍ନ କରିଛନ୍ତି। ଘଟଣା ସ୍ଥଳରେ ଏସଡିପିଓ ସଞ୍ଜୟ ମଣ୍ଡଳ, ଟାଉନ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ଏବଂ ସଦର ଥାନା ଅଧିକାରୀ ରୁନୁ ମାଝୀ ଘଟଣା ସ୍ଥଳ ରେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରୁଛନ୍ତି।