ଫୁଲବାଣୀ,୨୮/୧ : ମାମଲା କୋହଳ କରିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଜଣେ ପୁଲିସ ଏଏସଆଇ ଙ୍କୁ ତିନି ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ଦୋଷୀଙ୍କୁ ୨୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଭିଯୁକ୍ତଙ୍କୁ ଅଧିକ ୪ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଜିଲ୍ଲା ବୁଟୁପାଲିର ନବୀନ କୁମାର ଶତପଥୀ।
ସୂଚନା ଅନୁଯାୟୀ, ୨୦୨୩ ମସିହାରେ ନବୀନ ଅନୁଗୁଳ ଜିଲ୍ଲା କିଆକଟା ଥାନାରେ ଏଏସଆଇ ଭାବେ କାର୍ଯ୍ୟରତ ଥିବା ବେଳେ ଏକ ମାମଲାକୁ କୋହଳ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ ନ କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଅଭିଯୋଗ କାରୀ ପଞ୍ଚାନନ ମେହେର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ୨୦୨୩ ଜୁଲାଇ ୨୫ ତାରିଖ ଦିନ ନବୀନ ଅଭିଯୋଗକାରୀ ପଞ୍ଚାନନଙ୍କ ଠାରୁ ବୌଦ୍ଧ ବସଷ୍ଟାଣ୍ଡ ଠାରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ପୂର୍ବ ପ୍ରସ୍ତୁତି ଅନୁସାରେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲେ। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୧୨/୨୩ରେ ଏକ ମାମଲା ରୁଜୁ ହୋଇଥିଲା। ଆଜି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଏହି ମାମଲାର ଶୁଣାଣୀ କରି ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ମାମଲାଟିକୁ ସ୍ବତନ୍ତ୍ର ପିପି ଭି ଭି ରାମଦାସ ପରିଚାଳନା କରୁଥିଲେ।ଅଭିଯୁକ୍ତ ବର୍ତ୍ତମାନ ଦେବଗଡ ଜିଲ୍ଲା କୋର୍ଟ ଏଏସଆଇ ଭାବେ କାର୍ଯ୍ୟରତ ଅଛନ୍ତି।