ନୂଆଦିଲ୍ଲୀ, ୨୬/୯ : ୩୦ ମିନିଟ୍ର ଅପେକ୍ଷା... ଜାରି ହେଲାନି ଅଫିସିଆଲ ଫଟୋ... ଆମେରିକାରେ ମିଳିଲାନି ପାକ୍ ପିଏମ୍ଙ୍କୁ ଫୁଟେଜ୍। ଔକାତ୍ ଦେଖାଇ ଦେଲେ ଡୋନାଲ୍ଡ ଟ୍ରମ୍ପ। ଗୋଲ୍ଡେନ ସୋଫା ଉପରେ ଅପେକ୍ଷା କରିଥିଲେ ଶେହବାଜ, ଚୀନ ସହ ଟିକ୍ଟକ୍ ଡିଲ୍ରେ ବ୍ୟସ୍ତ ଥିଲେ ଟ୍ରମ୍ପ। ସାକ୍ଷାତକାର ପୂର୍ବରୁ ଶେହବାଜ ଓ ମୁନୀରଙ୍କୁ ପ୍ରଶଂସାରେ ପୋତି ଦେଲେ, ହେଲେ ହ୍ଵାଇଟ୍ ହାଉସ୍ରେ ଅଧଘଣ୍ଟା ଅପେକ୍ଷା କରାଇଲେ। ଏମିତି ଲାଗିଲା ଯେମିତି ଟ୍ରମ୍ପଙ୍କ ପାଖରେ ପାକ୍ ପିଏମ୍ଙ୍କ ସମୟର ମୂଲ୍ୟ ନାହିଁ। ଚର୍ଚ୍ଚାରେ ଟ୍ରମ୍ପ-ଶେହବାଜ ଓ ଅସୀମ ମୁନୀରଙ୍କ ଭେଟଘାଟ।
ହ୍ଵାଇଟ୍ ହାଉସ୍ରେ ଯେକୌଣସି ବାହାର ରାଷ୍ଟ୍ରର ନେତାଙ୍କ ସହ ଡୋନାଲ୍ଡ ଟ୍ରମ୍ପ ଆଲୋଚନା କରନ୍ତି, ତାହାର ଫଟୋ ଓ ଭିଡିଓ ସାର୍ବଜନୀନ କରାଯାଏ। ହେଲେ ଏଥର ସେଭଳି କିଛି ହୋଇ ନାହିଁ। ହ୍ଵାଇଟ୍ ହାଉସ୍ରେ ଆଲୋଚନା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଓ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଅଧଘଣ୍ଟା ଅପେକ୍ଷା କରିବାକୁ ପଡ଼ିଛି। କାରଣ ସେହି ସମୟରେ ଟ୍ରମ୍ପ ବ୍ୟସ୍ତ ଥିଲେ। ଚୀନ ସହ ଟିକଟକ୍ ଡିଲ୍ ନେଇ ହସ୍ତାକ୍ଷର କରୁଥିଲେ। ଏହାପରେ ଟ୍ରମ୍ପ ପ୍ରେସ୍ କନଫରେନ୍ସକୁ ଚାଲିଯାଇଥିଲେ। ସେ ଗଣମାଧ୍ୟମକୁ ସମ୍ବୋଧନ କରି କହିଥିଲେ ଯେ, ଋଷ ଓ ରାଷ୍ଟ୍ରପତି ପୁଟିନ ଯାହା କରୁଛନ୍ତି, ସେଥିପାଇଁ ମୁଁ ଅସନ୍ତୁଷ୍ଟ। ମୋତେ ଏହା ବିଲକୁଲ ପସନ୍ଦ ନୁହେଁ। ମୁଁ ୭ଟି ଯୁଦ୍ଧର ସମାଧାନ କରିଛି। ଆମ ପାଖରେ ଜଣେ ମହାନ ନେତା ଅଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ଫିଲ୍ଡ ମାର୍ସଲ। ଫିଲ୍ଡ ମାର୍ସଲ ଜଣେ ମହାନ ବ୍ୟକ୍ତି। ଦୁହେଁ ବୋଧହୁଏ ଏଇଠି ଅପେକ୍ଷା କରିଛନ୍ତି। ମୋର ବିଳମ୍ଵ ହୋଇଗଲାଣି।
ୱାଶିଂଟନ ସମୟ ଅନୁସାରେ ଗୁରୁବାର ଅପରାହ୍ନ ସାଢେ ୪ଟାରେ ଶେହବାଜ ସରିଫ, ଅସୀମ ମୁନିର ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଥିଲା। ୨୦ ମିନିଟ୍ ଧରି ଏହି ଦ୍ଵିପାକ୍ଷିକ ଆଲୋଚନା ଚାଲିଥିଲା। ଏହି ବୈଠକ ପରେ କୌଣସି ଅଫିସିଆଲ ଫଟୋ କିମ୍ଵା ପ୍ରେସ୍ କନଫରେନ୍ସ କରାଯାଇ ନାହିଁ।