କଟକ, ୧୫/୦୪ : ୧୯୯୬-୯୭ ମସିହାରେ ସଚିବାଳୟରେ ଜୁନିଅର୍ ଆସିଷ୍ଟାଣ୍ଟ୍ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା । ଏହି ପଦ ଲାଗି ୬୭୧ ଜଣ ଚୟନ ହେଲେ କିନ୍ତୁ ରାଜ୍ୟ ସରକାର ୩୬୧ଜଣଙ୍କୁ ନିଯୁକ୍ତି ଦେଲେ । ଏହି ନିଯୁକ୍ତିରେ ସଂରକ୍ଷଣ ନିୟମର ଉଲ୍ଲଂଘନ ହୋଇଥିବା ଦର୍ଶାଇ ମାମଲା ସ୍ୟାଟ୍ ରେ ହେଲା । ସ୍ୟାଟ୍ ରୁ ମାମଲା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲା । ରାଜ୍ୟ ସରକାର ୨୦୨୫ ଜୁଲାଇ ୪ ତାରିଖରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ମେଧା ତାଲିକାରେ ସ୍ଥାନ ପାଇଥିବା ସମସ୍ତ ୬୭୧ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସୁପ୍ରିମକୋର୍ଟରେ ପ୍ରତିଶ୍ରୁତି ଦିଆଯିବା ସତ୍ତ୍ଵେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ହାଇକୋର୍ଟ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି ।
ଏହି ମାମଲାରେ ସୁପ୍ରିମକୋର୍ଟରେ ନିଯୁକ୍ତି ସଂକ୍ରାନ୍ତ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା କେବେ ସୁଦ୍ଧା କାର୍ଯ୍ୟକାରୀ ହେବ ସେ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୮ ଧାର୍ଯ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ କେ. ଆର୍. ମହାପାତ୍ର ଏବଂ ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି । ମାମଲାରୁ ଜଣାଯାଇଛି ଯେ, ଏହି ନିଯୁକ୍ତି ମାମଲାରେ ପ୍ରଥମେ ସ୍ୟାଟ୍ ସମସ୍ତ ୬୭୧ଜଣଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଏହି ମାମଲାକୁ କେନ୍ଦ୍ର କରି ରାଜ୍ୟ ସରକାର, ଆବେଦନକାରୀ ଏକାଧିକ ବାର ହାଇକୋର୍ଟ, ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇସାରିଲେଣି ।
ମାମଲାର ଶୁଣାଣି ଅବସରରେ ରାଜ୍ୟ ସରକାର ଚୟନ ହୋଇଥିବା ସମସ୍ତ ୬୭୧ଜଣଙ୍କୁ ନୂତନ ପଦ ସୃଷ୍ଟି କରି ନିଯୁକ୍ତି ଦେବା ଲାଗି ଯୋଜନା କରୁଛନ୍ତି ବୋଲି ସୁପ୍ରିମକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତେଣୁ ଏବେ ହାଇକୋର୍ଟ ସେହି ପ୍ରତିଶ୍ରୁତି ସଂପର୍କରେ ରାଜ୍ୟ ମୁଖ୍ୟ ଶାସନସଚିବଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି । ଶ୍ରୀ ମିଶ୍ରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ଯୁବ ଆଇନଜୀବୀ ଜଗଦୀଶ ବିଶ୍ୱାଳ ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି।
ଏହି ଖବରଟିକୁ ପଢନ୍ତୁ- Traffic Police : ଖରାରେ ଆଉଟୁ ପାଉଟୁ ଟ୍ରାଫିକ୍ ପୁଲିସ୍, ଉଭାନ ହୋଇଗଲା 'ଏସି ହେଲ୍ମେଟ୍, କୁଲିଂ ଜ୍ୟାକେଟ୍'