ଭୁବନେଶ୍ୱର,୦୭/୦୪:  ରାଜ୍ୟରେ ପ୍ରତିଷ୍ଠା ହେବ ୩୨ ବୃହତ ଶସ୍ୟ ଭଣ୍ଡାର । ଫଳରେ ଧାନ ସଂଗ୍ରହ ପରେ ଦୀର୍ଘ ଦିନ ଧରି ଏହାକୁ ମହଜୁଦ ରଖିବା ବାବଦରେ ସରକାରଙ୍କୁ ଆଉ ଭଡ଼ା ଦେବାକୁ ପଡ଼ିବନି । ରାଜ୍ୟ ରାଜକୋଷରୁ ଅଯଥା ଖର୍ଚ୍ଚରୁ ମୁକ୍ତି ମିଳିବ । ଭାରତ ସରକାରଙ୍କ ବିଶ୍ୱର ସର୍ବବୃହତ୍‌ ଶସ୍ୟ ଭଣ୍ଡାର ଯୋଜନାରେ ଏଗୁଡ଼ିକ ନିର୍ମାଣ କରାଯିବ ।  

୩୨ ବୃହତ ଶସ୍ୟ ଭଣ୍ଡାର  ମଧ୍ୟରୁ କେତେକ ୫ଶହ ମେଟ୍ରିକ  ଟନ୍‌, କେତେକ ୧ ହଜାର ମେଟ୍ରିକ  ଟନ୍‌ ଓ ଆଉ କେତେକ ୨୫ ଶହ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଶସ୍ୟ  ଭଣ୍ଡାର ହେବ । ପ୍ରାଥମିକ କୃଷି ସମବାୟ  ସମିତି(ପାକ୍ସ) ଓ ବୃହତ୍‌ ଅଞ୍ଚଳ  ବହୁବିଧ ସମବାୟ ସମିତି(ଲାମ୍ପ୍‌) ଗୁଡ଼ିକରେ ଏହି ଶସ୍ୟ ଭଣ୍ଡାର କରାଯିବ  ଯାହା ରାଜ୍ୟରେ ଓଡ଼ିଶା ରାଜ୍ୟ ଯୋଗାଣ  ନିଗମ (ଓଏସ୍‌ସିଏସ୍‌ସି) ଲିମିଟେଡ୍‌ ତତ୍ତ୍ୱାବଧାନରେ ତିଆରି ହେବ ।  

ସମବାୟ ସମିତି ସମୂହ ନିବନ୍ଧକ  ରାଜ୍ୟରେ ୭୯ଟି ପାକ୍ସ ଓ ଲାମ୍ପ୍ସରେ  ବୃହତ ଶସ୍ୟ ଭଣ୍ଡାର ପ୍ରତିଷ୍ଠା ପାଇଁ  ସ୍ଥିର କରିଥିଲେ । ସେ ବାବଦରେ  ତ୍ରିପାକ୍ଷିକ ଚୁକ୍ତି ମଧ୍ୟ ସ୍ୱାକ୍ଷର ସରିଛି ।  ସେଥିମଧ୍ୟରୁ ୫୮ଟି ପାକ୍ସ ଓ ଲାମ୍ପ୍ସରେ  ଶସ୍ୟ ଭଣ୍ଡାର ନିର୍ମାଣ ପାଇଁ ଏନ୍‌ବିସିସି  (ଇଣ୍ଡିଆ) ଲିମିଟେଡ୍‌ (ପୂର୍ବର ଜାତୀୟ  ଗୃହ ନିର୍ମାଣ ନିଗମ ଲିମିଟେଡ୍‌)  ଅନୁମୋଦନ କରିଛି । ଏହା ସହିତ  ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌)  ମଧ୍ୟ ପ୍ରସ୍ତୁତ ହୋଇସାରିଛି । ହେଲେ  ଏହି ୫୮ଟି ପାକ୍ସ ଓ ଲାମ୍ପ୍ସ ମଧ୍ୟରୁ  ମାତ୍ର ୩୨ଟି ସ୍ଥାନରେ ଶସ୍ୟ ଭଣ୍ଡାର  ନିର୍ମାଣ ପାଇଁ ଜିଲ୍ଲା ସମବାୟ ଉନ୍ନୟନ  କମିଟି(ଡିସିଡିସି) ବୈଠକରେ  ସହମତି ମିଳିଛି । ଏହି ୩୨ଟି ଶସ୍ୟ  ଭଣ୍ଡାରଗୁଡ଼ିକ ସହ ଯେପରି ବଜାର  ସଂଯୋଗୀକରଣ (ମାର୍କେଟ୍‌ ଲିଙ୍କେଜ୍‌)  ହୋଇପାରିବ ସେଥିପାଇଁ ସର୍ତ୍ତ  ରଖାଯାଇଛି । 

ବିଭାଗୀୟ ଅଧିକାରୀଙ୍କ  ସୂଚନା ଅନୁସାରେ ପ୍ରାଥମିକ  ପର୍ଯ୍ୟାୟରେ ରାଜ୍ୟରେ ୩୨ଟି ବୃହତ  ଶସ୍ୟ ଭଣ୍ଡାର ପ୍ରତିଷ୍ଠା ପାଇଁ ଚଳିତ  ବର୍ଷ ଜାନୁଆରୀ ୨୧ ତାରିଖରେ  ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ସମୀକ୍ଷା ବୈଠକରେ  ଆଲୋଚନା ହୋଇଥିଲା । ସେହି  ସମବାୟ ସଂସ୍ଥାଗୁଡ଼ିକୁ ପ୍ରତିଶ୍ରୁତି ପତ୍ର  (ଆସ୍ୟୁରାନ୍ସ ଲେଟର୍‌) ଦେବାକୁ ଭାରତ  ସରକାରଙ୍କ ସମବାୟ ମନ୍ତ୍ରଣାଳୟ  ପକ୍ଷରୁ ରାଜ୍ୟ ସମବାୟ ବିଭାଗକୁ ଗତ ଫେବ୍ରୁଆରୀ ୬ ତାରିଖରେ  କୁହାଯାଇଥିଲା । ତେବେ ରାଜ୍ୟରେ  ପ୍ରତିଷ୍ଠା ହେବାକୁ ଥିବା ୩୨ଟି ବୃହତ୍‌  ଶସ୍ୟ ଭଣ୍ଡାର ମଧ୍ୟରୁ ବଲାଙ୍ଗିର ଜିଲ୍ଲାରେ  ସର୍ବାଧିକ ୫ଟି ଭଣ୍ଡାର ପ୍ରତିଷ୍ଠା ହେବ ।  ଅନୁଗୁଳ, ଦେବଗଡ଼, ଢ଼େଙ୍କାନାଳ,  ଝାରସୁଗୁଡ଼ା ୪ ଜିଲ୍ଲାରେ ୩ଟି  ଲେଖାଏଁ ଏବଂ ଗଜପତି, ଯାଜପୁର,  କନ୍ଧମାଳ, ସମ୍ବଲପୁର, ସୁବର୍ଣ୍ଣପୁର ଓ  ସୁନ୍ଦରଗଡ଼ରେ ୨ଟି ଲେଖାଏଁ ବୃହତ୍‌  ଶସ୍ୟ ଭଣ୍ଡାର କରାଯିବ । ସେହିପରି ବରଗଡ଼, କେନ୍ଦୁଝର ଓ ନୟାଗଡ଼  ଜିଲ୍ଲାରେ ଗୋଟିଏ ଲେଖାଏଁ ପ୍ରତିଷ୍ଠା  କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା  ଦିଆଯାଇଛି ।  

ଉଲ୍ଲେଖଯୋଗ୍ୟ, ମଣ୍ଡିରୁ ସଂଗ୍ରହ  ପରେ ଧାନ ମିଲ୍‌ରେ ଗଚ୍ଛିତ ହୋଇ  ରହେ । ସେ ବାବଦରେ ମିଲଗୁଡ଼ିକ  ଭଡ଼ା ବାବଦରେ ଲକ୍ଷ ଲକ୍ଷ ଟଙ୍କା  ନେଇଥାନ୍ତି । ଏହା ବ୍ୟତୀତ ଧାନ  ରହୁଥିବା ଅଖା ବାବଦରେ ମଧ୍ୟ  ରାଜ୍ୟ ସରକାର ଟଙ୍କା ଦେଇଥାନ୍ତି ।  ପ୍ରତି ବ୍ୟାଗ୍‌ରୁ ଯେତିକି ଧାନ କମେ  ସେ ବାବଦରେ ମଧ୍ୟ ଟଙ୍କା ଦିଆଯାଏ ।  ତେଣୁ ଏସବୁ ଅସୁବିଧା ଦୂର କରିବାକୁ  ସରକାର ତଥା ରାଜ୍ୟ ସମବାୟ ବିଭାଗ  ଏବେ ନୂଆ ପଦକ୍ଷେପ ନେଉଛନ୍ତି ।  ବିଶେଷ କରି କେନ୍ଦ୍ର ସରକାରଙ୍କ  ସମବାୟ ମନ୍ତ୍ରଣାଳୟ ସହାୟତାରେ  ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩୨ଟି  ସର୍ବବୃହତ୍‌ ଶସ୍ୟ ଭଣ୍ଡାର ପ୍ରତିଷ୍ଠା  କରିବାକୁ ଯାଉଛନ୍ତି ଯାହା ସଫଳ ହେବା  ପରେ ଆଗାମୀ ଦିନରେ ଆହୁରି ଅଧିକ  ଶସ୍ୟ ଭଣ୍ଡାର ପ୍ରତିଷ୍ଠା ହେବ ବୋଲି  ବିଭାଗ ପକ୍ଷରୁ କୁହାଯାଇଛି ।