ନୂଆଦିଲ୍ଲୀ ୧୩/୦୭: କେରଳର ଇସମାଇଲ ନାମକ ଜଣେ ବ୍ୟକ୍ତି ୩୫ ବର୍ଷ ପୂର୍ବେ ସାଉଦି ଆରବ ସ୍ଥିତ ଜଣେ ବନ୍ଧୁଙ୍କଠୁ ୧୦୦୦ ଟଙ୍କା ଉଧାର ନେଇଥିଲେ । ଉଧାର ଟଙ୍କା ଫେରାଇବା ଲାଗି ବନ୍ଧୁ ଇଡଲା ଲଚାନ୍ନାଙ୍କୁ ସେ ଖୁବ୍ ଖୋଜିଲେ । କିନ୍ତୁ ଲଚାନ୍ନାଙ୍କ ଫୋନ୍ ନମ୍ବର, ଠିକଣା କିମ୍ବା ଯୋଗାଯୋଗର କୌଣସି ମାଧ୍ୟମ ତାଙ୍କ ପାଖରେ ନ ଥିଲା । ତେବେ ଗତ ୯ ତାରିଖ ତେଲଙ୍ଗାନାର ଜଗଟିଆଲ ଜିଲ୍ଲାର ଧର୍ମପୁରୀରେ ଇସମାଇଲଙ୍କ ଖୋଜା ଶେଷ ହେଲା ।

୧୯୯୧ ମସିହାରେ ସାଉଦି ଆରବର ଅବ୍‌କେକ୍‌ରେ କାମ କରିବା ସମୟରେ ଇସମାଇଲ ଓ ଲଚାନ୍ନାଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା । ସେମାନେ ଏକାଠି ପ୍ରାୟ ୫ ବର୍ଷ ରହିଥିଲେ । ସେହି ସମୟରେ ଇସମାଇଲ ଲଚାନ୍ନାଙ୍କଠୁ ୧୨୦ ସାଉଦି ରିୟାଲ ଉଧାର ନେଇଥିଲେ । ସେତେବେଳେ ତା’ର ମୂଲ୍ୟ ଥିଲା ୧୦୦୦ ଟଙ୍କା । ଟଙ୍କା ଫେରାଇବାକୁ ସେ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ଲଚାନ୍ନା ଭାରତ ଫେରିଆସିଲେ । ସେତେବେଳେ ମୋବାଇଲ ଫୋନ୍ କିମ୍ବା ସୋସିଆଲ ମିଡିଆ ନ ଥିବାରୁ ଉଭୟଙ୍କ ମଧ୍ୟରେ ଯୋଗାଯୋଗ ରହିଲା ନାହିଁ । ଇସମାଇଲ କେବଳ ଜାଣିଥିଲେ ଯେ ଲଚାନ୍ନା ଧର୍ମପୁରୀ ବାସିନ୍ଦା । ଏହି ସୂଚନାକୁ ଇଣ୍ଟର୍‌ନେଟରେ ଦେଇ ଇସମାଇଲ ସେଠାରେ ପହଞ୍ଚିଲେ ।

ଆହୁରି ପଢ଼ନ୍ତୁ...MIT Origami Robot : ଏମ୍ଆଇଟିର ସେଲ୍ଫ ଫୋଲ୍ଡ ଅରିଗାମି ରୋବଟ୍, ମଣିଷ ଶରୀର ଭିତରେ କରିବ କାମ

ସ୍ଥାନୀୟ ଲୋକଙ୍କୁ ପଚାରି ପଚାରି ଶେଷରେ ସେ ଲଚାନ୍ନାଙ୍କ ଘରେ ପହଞ୍ଚିଲେ । ଲଚାନ୍ନାଙ୍କ ପରିବାରକୁ ସେ ୨୫ ହଜାର ଟଙ୍କା ଧରାଇଲେ । ଲଚାନ୍ନା ଗଲ୍ଫରେ କାମ କରୁଥିଲେ । ଦୁହେଁ ଭିଡିଓ କଲ୍‌ରେ କଥା ହେଲେ । ୩୫ ବର୍ଷ ପୂର୍ବେ ନେଇଥିବା ମାତ୍ର ୧୨୦ ସାଉଦି ରିଆଲକୁ ଇସମାଇଲ ସୁଧ ସମେତ ଫେରାଇଥିବା ଜାଣି ଲଚାନ୍ନା ଚକିତ ହୋଇଗଲେ ।