କୋରାପୁଟ, ୧୫/୧୦ : କୋରାପୁଟ ପୁଲିସକୁ ବଡ଼ ସଫଳତା। ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପାଡୁଆ ପୁଲିସ। ୩୫୦ କିଲୋ ଗଞ୍ଜେଇ ଜବତ। ହାର୍ଡକୋର୍ ଅପରାଧୀ ଲାଲ ବାହାଦୂର ଦର୍ଜି ସମେତ ୫ ଅଭିଯୁକ୍ତ ଗିରଫ। ଅଭିଯୁକ୍ତଙ୍କ ଠାରୁ ୨ଟି ମାଉଜର, ଗୁଳି, ମୋବାଇଲ୍ ଫୋନ ଓ ବିଭିନ୍ନ ପରିଚୟ ପତ୍ର ଜବତ ହୋଇଛି।
ସୂଚନାନୁଯାୟୀ, ୧୪ ତାରିଖରେ ପାଡୁଆ ଥାନା ଏସଆଇ ସୁରେନ୍ଦ୍ର କୁମାର ସେଠୀ ପାଟ୍ରୋଲିଂ କରୁଥିବା ବେଳେ ଦୋକାନପୁଟ ଅଞ୍ଚଳରୁ ପଟାଙ୍ଗୀ ଆଡ଼କୁ ଏକ ବୋଲେରୋ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇଥିଲେ। ଏହାପରେ ପୁଲିସର ଏକ ଟିମ୍ ମାଲି ସବଲାର ଛକ ନିକଟରେ ଛକି ରହିଥିଲେ। ବୋଲେରୋକୁ ଦେଖି ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଡ୍ରାଇଭର୍ ଦ୍ରୁତ ଗତିରେ ଅରଲାବପୁଟ ଆଡ଼କୁ ଫେରାର୍ ହେବାକୁ ଚେଷ୍ଟା କରିଥିଲା। ପୁଲିସ ଟିମ୍ ପିଛା କରି ବୋଲେରୋକୁ ଅଟକାଇଥିଲେ। ପୁଲିସକୁ ଦେଖି ଅଭିଯୁକ୍ତମାନେ ଚମ୍ପଟ ମାରିବାକୁ ବସିଥିଲେ। ପୁଲିସକୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ହେଲେ ପୁଲିସ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ୨ଟି ବନ୍ଧୁକ ଜବତ କରାଯାଇଛି।
Good detection & Achievement by @SPkoraput, SDPO Jeypore & Team in ongoing Anti Crime Drive -
— DIGP, SWR Koraput, Odisha (@digswrkoraput) October 15, 2025
- NSA slapped against a veteran criminal
- Interstate Mafia nabbed with 2 pistols & 350KG of Ganja
- Police Team is being sent to Bihar for further investigation on seized arms. pic.twitter.com/3GqpXyh4GH
ଗିରଫ ହୋଇଥିବା ୫ ଅଭିଯୁକ୍ତମାନେ ହେଲେ ଜୟପୁର ସଦର କୁସୁମପୁଟର ଲାଲ ବାହାଦୂର ଦର୍ଜି, ମାଛକୁଣ୍ଡର ତ୍ରିନାଥ ଖରା, ସୁରେଶ ବିଶୋଇ, ସଞ୍ଜୟ ଖରା ଓ ଯୋଗେଶ ଖରା। ଲାଲ ବାହାଦୂର ଦର୍ଜି ଜଣେ କୁଖ୍ୟାତ ଅପରାଧୀ। ଲାଲ ବାହାଦୂର ନାମରେ ପୋକ୍ସୋ ଆକ୍ଟ, NDPS ଆକ୍ଟ, ଦାଦାବଟି ଆଦାୟ ଏବଂ ସଂଗଠିତ ଅପରାଧ ସମେତ ୨୦ରୁ ଅଧିକ ଗୁରୁତର ଅପରାଧିକ ମାମଲା ରୁଜୁ ହୋଇଛି। ସେ ବହୁ ମାମଲାରେ ଫେରାର୍ ଥିଲା ଏବଂ କୋର୍ଟ ତା ବିରୁଦ୍ଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ଗଞ୍ଜେଇ ସବୁ ଉତ୍ତର ପ୍ରଦେଶ ଚାଲାଣ ହେଉଥିବା ସୂଚନା ମିଳିଛି। ଏନେଇ ଅଧିକ ତଦନ୍ତ ଚାଲିଛି ବୋଲି ଏସପି ରୋହିତ ବର୍ମା କହିଛନ୍ତି।
