ପ୍ରୟାଗରାଜ ୦୨/୦୨: ବୈଷ୍ଣବ ପରମ୍ପରାର ତପସ୍ୱୀ ବସନ୍ତ ପଞ୍ଚମୀରୁ ମହାକୁମ୍ଭ ନଗରୀରେ ପରମ୍ପରାଗତ କଠୋର ସାଧନା ଆରମ୍ଭ କରିବେ । ଖାକ୍‌ ଛକରେ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ଥର ପ୍ରାୟ ୩୫୦ ଜଣ ତପସ୍ୱୀ ଧୂନୀ ସାଧନାର ଖପ୍ପର ତପସ୍ୟା କରିବେ । ଏହି ତପସ୍ୟା ସର୍ବଶେଷରେ କରାଯାଏ । ଏହାରି ଆଧାରରେ ଆଖଡ଼ାରେ ସାଧୁଙ୍କ ବରିଷ୍ଠତା ନିର୍ଣ୍ଣୟ କରାଯାଏ । ବୈଷ୍ଣବ ପରମ୍ପରାରେ ଶ୍ରୀସମ୍ପ୍ରଦାୟ (ରାମାନନ୍ଦୀ ସମ୍ପ୍ରଦାୟ)ରେ ଧୂନୀ ତପ ସବୁଠୁ ବଡ଼ ତପସ୍ୟା । ପଞ୍ଜିକା ଅନୁସାରେ ଏହି ତପସ୍ୟା ଆରମ୍ଭ ହୁଏ । ତେରହ ଭାଈ ତ୍ୟାଗୀ ଆଶ୍ରମର ପରମାତ୍ମା ଦାସ କହିଛନ୍ତି, ସୂର୍ଯ୍ୟ ଉତ୍ତରାୟଣର ଶୁକ୍ଳ ପକ୍ଷରୁ ଏହି ତପସ୍ୟା ଆରମ୍ଭ ହୁଏ । ଏହା ପୂର୍ବରୁ ସାଧକ ନିର୍ଜଳା ବ୍ରତ କରନ୍ତି । ତା’ପରେ ଧୂନୀରେ ବସନ୍ତି । ୬ ପର୍ଯ୍ୟାୟରେ ତପସ୍ୟା ସମ୍ପନ୍ନ ହୁଏ । ଏଥିରେ ପଞ୍ଚ, ସପ୍ତ, ଦ୍ୱାଦଶ, ଚୌରାସୀ, କୋଟି ଏବଂ ଖପ୍ପର ଶ୍ରେଣୀ ଥାଏ । ସବୁ ଶ୍ରେଣୀ ୩ ବର୍ଷରେ ଶେଷ ହୁଏ । ଏହିଭଳି ଭାବେ ତପସ୍ୟା ସମ୍ପନ୍ନ ହେବାରେ ୧୮ ବର୍ଷ ସମୟ ଲାଗେ । 

ଦିଗମ୍ବର ଆଖଡ଼ାର ସୀତାରାମ ଦାସ କହନ୍ତି, ସମସ୍ତ ୬ ପର୍ଯ୍ୟାୟରେ ତପସ୍ୟାର ଭିନ୍ନ ଭିନ୍ନ ନିୟମ ଥାଏ । ସର୍ବପ୍ରଥମ ପଞ୍ଚ ଶ୍ରେଣୀ । ସାଧୁଙ୍କ ଦୀକ୍ଷା ପରେ ଏହି ତପସ୍ୟା କରାଯାଏ । ଏଥିରେ ସାଧକ ୫ଟି ସ୍ଥାନରେ ଅଗ୍ନି ସଂଯୋଗ କରି ସେହି ଆଞ୍ଚ ମଝିରେ ବସି ତପସ୍ୟା କରନ୍ତି । ୨ୟ ଶ୍ରେଣୀରେ ୭ ସ୍ଥାନରେ ନିଆଁ ଜଳାଇ ତା’ ମଝିରେ ବସି ତପସ୍ୟା କରାଯାଏ । ଏହିଭଳି ଭାବେ ଦ୍ୱାଦଶ ଶ୍ରେଣୀରେ ୧୨ ସ୍ଥାନ, ୮୪ ଶ୍ରେଣୀରେ ୮୪ ସ୍ଥାନ ଏବଂ କୋଟି ଶ୍ରେଣୀରେ ଶତାଧିକ ସ୍ଥାନରେ ପ୍ରଜ୍ଜ୍ୱଳିତ ଅଗ୍ନି ଆଞ୍ଚ ମଝିରେ ବସି ତପସ୍ୟା କରିବାକୁ ପଡ଼େ ।

ଖପ୍ପର ଶ୍ରେଣୀ ତପସ୍ୟା ସବୁଠୁ କଠିନ । ପରମାତ୍ମା ଦାସଙ୍କ ଅନୁସାରେ, ମୁଣ୍ଡ ଉପରେ ମାଠିଆ ରଖି ସେଥିରେ ଅଗ୍ନି ପ୍ରଜ୍ଜ୍ୱଳିତ କରାଯାଏ । ଏହି ଆଞ୍ଚ ମଝିରେ ସାଧକଙ୍କୁ ପ୍ରତ୍ୟହ ୬-୧୬ ଘଣ୍ଟା ପର୍ଯ୍ୟନ୍ତ ତପସ୍ୟା କରିବାକୁ ପଡ଼େ । ବସନ୍ତ ପଞ୍ଚମୀରୁ ଗଙ୍ଗା ଦଶହରା ପର୍ଯ୍ୟନ୍ତ ଏହା ଜାରି ରହେ । ୩ ବର୍ଷ ପର୍ଯ୍ୟନ୍ତ ଏହି କ୍ରମ ଚାଲେ । ଏହା ପୂରଣ ହେବା ପରେ ସାଧକଙ୍କର ୧୮ ବର୍ଷର ତପସ୍ୟା ପୂରଣ ହେଲା ବୋଲି ବିଶ୍ୱାସ କରାଯାଏ । ଆଖଡ଼ା, ଆଶ୍ରମ ସମେତ ଖାଲସାରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଦିଗମ୍ବର, ନିର୍ମୋହୀ ଏବଂ ନିର୍ବାଣୀ ସମେତ ଖାକ୍‌ ଛକରେ ପ୍ରାୟ ୩୫୦ ତପସ୍ୱୀ ଏହି କଠିନ ସାଧନା କରିବେ । ଅନ୍ୟ ସାଧକମାନେ ଅନ୍ୟ ଚରଣର ତପସ୍ୟା କରିବେ । ତମାମ ସାଧକ ମହାକୁମ୍ଭରୁ ସାଧନା ଆରମ୍ଭ କରନ୍ତି । ପଞ୍ଚ ଧୂନାରୁ ତପସ୍ୟା ଆରମ୍ଭ ହୁଏ । ଏହିଭଳି କ୍ରମ ଆଗକୁ ବଢ଼ି ଖପ୍ପର ଶ୍ରେଣୀରେ ପହଞ୍ଚେ । ଖପ୍ପର ଶ୍ରେଣୀର ସାଧକଙ୍କୁ ସବୁଠୁ ବରିଷ୍ଠ କୁହାଯାଏ । ଅନେକ ସାଧକ ଖପ୍ପର ତପସ୍ୟା ପୂରଣ କରିବା ପରେ ବି ପୁଣି ଥରେ ତପସ୍ୟା ଆରମ୍ଭ କରନ୍ତି ।