ନୂଆଦିଲ୍ଲୀ, ୦୨/୦୩: ଗତବର୍ଷ ହଜାର ହଜାର ସଂଖ୍ୟାରେ ଧନୀ ନିଜ ନିଜ ଦେଶ ଛାଡ଼ି ଦେଇଛନ୍ତି । ନ୍ୟୁ ୱାର୍ଲଡ ୱେଲ୍‌ଥର ଏକ ରିପୋର୍ଟ ମୁତାବକ, ଗତବର୍ଷ ଭାରତରୁ ୩,୫୦୦ ଧନକୁବେର ଅନ୍ୟ ଦେଶକୁ ପଳାଇଛନ୍ତି । ଅନୁମାନ ମୁତାବକ, ଗତବର୍ଷ ସମଗ୍ର ବିଶ୍ୱରେ ୧,୪୨,୦୦୦ ଧନୀ ନିଜ ଦେଶ ପରିତ୍ୟାଗ କରିଛନ୍ତି । ଧନୀଙ୍କ ଦେଶ ପରିତ୍ୟାଗରେ ଭାରତ ତୃତୀୟ ସ୍ଥାନରେ ରହିଛି । ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି ବ୍ରିଟେନ । ଗତବର୍ଷ ବ୍ରିଟେନ୍‌ରେ ମୋଟ ୧୬,୫୦୦ ଧନୀ ଦେଶ ଛାଡ଼ି ଦେଇଛନ୍ତି । ଏହାପୂର୍ବରୁ ୨୦୨୪ରେ ବି ୧୦,୮୦୦ ଧନୀ ବ୍ରିଟେନ୍‌କୁ ଅଲ୍‌ବିଦା କହିଥିଲେ ।

ବ୍ରିଟେନ ଅର୍ଥନୀତି ପାଖାପାଖି ଏକ ଦଶନ୍ଧିରୁ ଖରାପ ପ୍ରଦର୍ଶନ କରୁଛି । ଏ ଅବସରରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ସୁଧାର ପଦକ୍ଷେପ ଅନ୍ତର୍ଗତ ଧନୀମାନଙ୍କ ଉପରେ ଟିକସ ବୋଝ ବଢ଼ିଯାଇଛି । ଏହି କାରଣରୁ ୟୁଏଇ, ମୋନାକୋ ଏବଂ ମାଲ୍‌ଟା ଭଳି ଦେଶଗୁଡ଼ିକୁ ସ୍ଥାନାନ୍ତର ହେବାକୁ ପସନ୍ଦ କରୁଛନ୍ତି ଧନୀ ।

​​​​​​​

ନ୍ୟୁ ୱାର୍ଲଡ ୱେଲ୍‌ଥ ଅନୁସାରେ, ବ୍ରିଟେନ ପରେ ଚୀନ୍‌ରୁ ସବୁଠୁ ଅଧିକ ଧନୀ ଦେଶ ଛାଡ଼ିଛନ୍ତି । ବିଶ୍ୱର ଦ୍ୱିତୀୟ ବୃହତ୍ ଅର୍ଥବ୍ୟବସ୍ଥାରୁ ଗତବର୍ଷ ୭,୮୦୦ ଧନୀ ଅନ୍ୟ ଦେଶକୁ ଚାଲିଯାଇଛନ୍ତି । ଭାରତ ତାଲିକାରେ ତୃତୀୟ ସ୍ଥାନରେ ରହିଛି । ସେହିଭଳି ଦକ୍ଷିଣ କୋରିଆରୁ ୨୪୦୦, ରୁଷରୁ ୧୫୦୦, ବ୍ରାଜିଲରୁ ୧୨୦୦, ଫ୍ରାନ୍ସରୁ ୮୦୦, ସ୍ପେନ୍‌ରୁ ୫୦୦, ଜର୍ମାନୀରୁ ୪୦୦ ଏବଂ ଇସ୍ରାଏଲରୁ ୩୫୦ ଧନୀ ଅନ୍ୟ ଦେଶକୁ ସ୍ଥାନାନ୍ତର ହୋଇଛନ୍ତି । ଏହି ସମୟରେ ସବୁଠାରୁ ଫାଇଦାରେ ରହିଛି ୟୁଏଇ । ଏଠାରେ ରହିଛି ‘ଶୂନ’ ଟିକସ, ଯେଉଁଥିପାଇଁ ଏହାକୁ ନିଜର ନୂଆ ଠିକଣା ବନାଇଛନ୍ତି ଧନୀ । ଗତବର୍ଷ ସମଗ୍ର ବିଶ୍ୱରୁ ୯୮୦୦ ଧନୀ ୟୁଏଇରେ ଅବସ୍ଥାପିତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ...ଭୟଙ୍କର ପରିଣତି ଆଣିବ ଇରାନ୍-ଇସ୍ରାଏଲ୍ ଯୁଦ୍ଧ: ଅଶୋଧିତ ତୈଳ ବଜାରରେ ଲାଗିବ ନିଆଁ, ବଢ଼ିବ ପେଟ୍ରୋଲ ଓ ଡିଜେଲ ଦର

ଦ୍ୱିତୀୟ ସ୍ଥାନରେ ଅଛି ଆମେରିକା, ଯାହାକୁ ଠିକଣା କରିଛନ୍ତି ବିଶ୍ୱର ୭,୫୦୦ ଧନୀ । ଇଟାଲିରେ ୩୬୦୦, ସୁଇଜରଲାଣ୍ଡରେ ୩୦୦୦, ସାଉଦି ଆରବରେ ୨୪୦୦, ସିଙ୍ଗାପୁରରେ ୧୬୦୦, ପର୍ତ୍ତୁଗାଲରେ ୧୪୦୦, ଗ୍ରୀସ୍‌ରେ ୧୨୦୦, କାନାଡାରେ ୧୦୦୦ ଏବଂ ଅଷ୍ଟ୍ରେଲିଆକୁ ୧୦୦୦ ଧନୀ ବିଶ୍ୱର ବିଭିନ୍ନ କୋଣରୁ ଆସି ଅବସ୍ଥାପିତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି ।