ଉମରକୋଟ, ୨୮।୨ - ମୈନପୁର ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ସଫଳତା। ଜଙ୍ଗଲ ଭିତରେ ମାଓବାଦୀମାନେ ଲୁଚାଇ ରଖିଥିବା ପ୍ରାୟ ୪୬ ଲକ୍ଷରୁ ଅଧିକ ଟଙ୍କା ଏବଂ ଭାରି ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ। ଛତିଶଗଡ଼ ଗରିଆବନ୍ଦ ଜିଲ୍ଲା ପୋଲିସର E-30 ଟିମ୍ ଏବଂ ଧମତରୀ DRG ର ଏକ ମିଳିତ ଟିମ୍ ମୈନପୁର ଥାନା ଅନ୍ତର୍ଗତ ବଡେଗୋବରା ଗ୍ରାମର ସାମ୍ପସାଟି ଜଙ୍ଗଲରେ ଏହି ସର୍ଚ୍ଚ ଅପରେସନ ଚଲାଇଥିଲେ। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ସୂଚନା ଆଧାରରେ ଏହି ଚଢ଼ାଉ କରାଯାଇଥିଲା।
ମାଓବାଦୀ କ୍ୟାଡରମାନେ ପାହାଡ଼ି ଇଲାକାରେ ଏହି ସବୁ ସାମଗ୍ରୀ ଡମ୍ପ କରି ରଖିଥିଲେ। ଜବତ ହୋଇଥିବା ସାମଗ୍ରୀ: ଗୋଟିଏ ଭରମାର ବନ୍ଧୁକ ଏବଂ ଗୋଟିଏ ସୁରକା ରାଇଫଲ୍, ଏକେ-୪୭ର ୪୫ ରାଉଣ୍ଡ ଗୁଳି, ୩୨ଟି ବିଜିଏଲ୍ ସେଲ୍, ଇନସାସ୍ ଏବଂ ଏସଏଲଆରର ଗୁଳି ସହ ପ୍ରାୟ ୨୦୦ରୁ ଅଧିକ ଜୀବନ୍ତ ଗୁଳି। ବିପୁଳ ପରିମାଣର ଇଲେକ୍ଟ୍ରୋନିକ୍ ଏବଂ ନନ୍-ଇଲେକ୍ଟ୍ରୋନିକ୍ ଡେଟୋନେଟର ସହ ଗୋଟିଏ ଲାପଟପ୍, ଦୁଇଟି ୱାକି-ଟକି ଏବଂ ବହୁ ପରିମାଣର ନକ୍ସଲ ସାହିତ୍ୟବହି ମାଓସାମଗ୍ରୀ ଜବତ ହୋଇଛି । ଏବଂ ୪୬ ଲକ୍ଷ ୩୧ ହଜାର ୫୦୦ ନଗଦ ଟଙ୍କା ଜବତ କରାଯାଇଛି । ଧମତରୀ-ଗରିଆବନ୍ଦ-ନୁଆପଡ଼ା ଡିଭିଜନର ଶୀର୍ଷ ନକ୍ସଲ ନେତାମାନେ ଏହି ବିପୁଳ ପରିମାଣର ଟଙ୍କା ଓ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିଲେ। ପୋଲିସର କହିବା ଅନୁଯାୟୀ, ଗତ ଦୁଇ ବର୍ଷ ଧରି ଚାଲିଥିବା ନକ୍ସଲ ମୂଳପୋଛ ଅଭିଯାନ ଏବଂ ସରକାରଙ୍କ ପୁନର୍ବାସ ନୀତି ଯୋଗୁଁ ମାଓବାଦୀମାନେ ଏବେ କୋଣଠେସା ହୋଇପଡିଛନ୍ତି। ଏହି ବଡ଼ ସଫଳତା ପରେ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ଏବଂ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।
ଆହୁରି ପଢନ୍ତୁ : ପିକଅପ୍ ଭ୍ୟାନ୍ ସହ ବାଇକ୍ ଧକ୍କା, ୨ ମୃତ