ବାରିପଦା,୨୦/୦୨; କ୍ୟାମେରାରେ ଧରାପଡିଲେ ଶିକାରୀ । ଜଣେ କି ଦୁଇ ଜଣ ୩୯ ଜଣ ଶିକାରୀଙ୍କୁ ଧରିଛି ଜଙ୍ଗଲରେ ଲାଗିଥିବା ଏଆଇ କ୍ୟାମେରା । ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଭିତରକୁ ଗତକାଲି (ଗୁରୁବାର )ରାତିରେ ସଶସ୍ତ୍ର ଶିକାରୀ ଦଳ ପ୍ରବେଶ କରୁଥିବା ବେଳେ ବନ ବିଭାଗର ଏଆଇ କ୍ୟାମେରା ସେମାନଙ୍କ ଗତିବିଧି କଏଦ ହୋଇଥିଲା । ରିଅଲ୍ ଟାଇମ୍ ଆଲର୍ଟ ପାଇଁ ବନ କର୍ମଚାରୀମାନେ ୨୪ ଘଣ୍ଟିଆ ସଂଯୁକ୍ତ ଅଭିଯାନ ଚାଲାଇଥିଲେ । ଶିମିଳିପାଳ ସାଉଥ୍ ଡିଭିଜନ କର୍ମଚାରୀଙ୍କ ନେତୃତ୍ୱରେ ଚାଲିଥିବା କମ୍ବିଙ୍ଗ୍ ଅଭିଯାନରେ ୩୯ ଜଣ ଶିକାରୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ଠାରୁ ୯ଟି ବନ୍ଧୁକ, ବିପୁଳ ପରିମାଣର ଗନ୍ ପାଉଡର, ୨୦ରୁ ଅଧିକ ଧନୁ ,ବାଣ ଓ ଅନ୍ୟାନ୍ୟ ଘାତକ ଅସ୍ତ୍ର ଜବତ କରାଯାଇଛି ।

ଶିକାରୀମାନେ ଉଦଳା ଥାନା ଅଧୀନସ୍ଥ ଅମ୍ବିକାଦେଇପୁର, ମହାଲିସାହି, ଲୁକୁଇଡା, ମଟକମଟଲା, ଜିତୁସାହି, ଖଲାଡି ଓ ଲଙ୍ଗାଡି ଗ୍ରାମର ବୋଲି ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି । ଜେନାବିଲ୍ ୱାଇଲ୍ଡଲାଇଫ୍ ରେଞ୍ଜରେ ମାମଲା ରୁଜୁ ହୋଇଥିବାବେଳେ ଅଧିକ ତଦନ୍ତ ଜାରି ରହିଛି । ଅସ୍ତ୍ର ଆଇନ ଉଲ୍ଲଂଘନ ଅଭିଯୋଗ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ନେଇ ସୂଚନା ମିଳିଛି ।୩ଟି ରେଞ୍ଜର କର୍ମଚାରୀ ସହ ୩ ଦଳ ସଶସ୍ତ୍ର ସ୍ଵତନ୍ତ୍ର ବାଘ ସୁରକ୍ଷା ବାହିନୀ (STPF) ଏହି ଅଭିଯାନରେ ସାମିଲ ହୋଇଥିଲେ। ରିଆଲ୍ ଟାଇମ୍ ଡିଟେକ୍ସନ୍, ସକ୍ରିୟ ଗୁପ୍ତ ସୂଚନା ଓ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଫଳରେ ଶିକାରୀ ମାନେ ଆତ୍ମସମର୍ପଣ କରିଥିବା ସୂଚନା ଦିଆଯାଇଛି ।

ଏହା ବି ପଢନ୍ତୁ...ସରକାରଙ୍କ ମୁଣ୍ଡବ୍ୟଥା: ମାଟ୍ରିକ ପରୀକ୍ଷାରେ ୧୨ ହଜାର ପିଲା ଅନୁପସ୍ଥିତ, ଡ୍ରପ ଆଉଟ୍ ରୋକିବା ଯୋଜନା ଫେଲ୍