ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ଉଚ୍ଚ ଶିକ୍ଷା ଭିତ୍ତିଭୂମି ଏବଂ ଗୁଣବତ୍ତାକୁ ସୁଦୃଢ କରିବା ଲାଗି ଧ୍ୟାନ କେନ୍ଦ୍ରିତ ନିବେଶ ଜରିଆରେ କାର୍ଯ୍ୟ କରୁଛନ୍ତି। ରାଜ୍ୟ ବିଶ୍ବବିଦ୍ୟାଳୟ, ସରକାରୀ ,କଲେଜ ଏବଂ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡିକର ଭିତ୍ତିଭୂମି ବିକାଶ ପାଇଁ ୪୭୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଏହା ବ୍ୟତୀତ ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ ପାଇଁ ୫୦ କୋଟି ଟଙ୍କା ଏବଂ ଅନୁଦାନପ୍ରାପ୍ତ କଲେଜ ଗୁଡିକରେ ପରୀକ୍ଷାଗାର ପାଇଁ ୨୫ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। କହିଛନ୍ତି କି, ମୁଁ ଆନନ୍ଦିତ ଯେ, ଆମେ କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଏବଂ ଝାରସୁଗୁଡା ଜିଲ୍ଲା ମୁଖ୍ୟାଳୟରେ ୪ଟି ନୂତନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଛୁ। ଏହି ନୂତନ ଅନୁଷ୍ଠାନ ଗୁଡିକ ଏନଇପି-୨୦୨୦ ଅନୁଯାୟୀ ପ୍ରଥମ ଦିନରୁ ସ୍ନାତକୋତ୍ତର ପାଠ୍ୟକ୍ରମରେ ମୌଳିକ ଭାବରେ ଅଭିନବ ଶିକ୍ଷାଦାନ କାର୍ଯ୍ୟାକାରୀ କରିବାର ଅନନ୍ୟ ସୁବିଧା ପାଇପାରିବେ। ତେବେ ଏବେ ଯାଏଁ ରାଜ୍ୟରେ ୪୪ଟି ସରକାରୀ ବିଶ୍ବବିଦ୍ୟାଳୟ ରହିଛି, ନୂତନ କରି ଖୋଲିବାକୁ ଯାଉଥିବା ୪ ବିଶ୍ବବିଦ୍ୟାଳୟକୁ ମିଶାଇଲେ ଏହି ସଂଖ୍ୟା ୪୮ରେ ପହଞ୍ଚିବ।