ଢେଙ୍କାନାଳ, ୨୬/ ୧୦ : ରାତିରେ ଘରେ ପଶି କଳାକନା ବୁଲାଉଥିବା ଗ୍ୟାଙ୍ଗର ୪ଲୁଟେରାଙ୍କୁ ଢେଙ୍କାନାଳ ଟାଉନ ଥାନା ପୁଲିସ ଆଜି ଗିରଫ କରିଛି । ସେମାନଙ୍କଠାରୁ ପ୍ରାୟ ୨୦ଲକ୍ଷ ଟଙ୍କାର ଲୁଟ୍ ସାମଗ୍ରୀ ଉଦ୍ଧାର ହୋଇଛି । ୧୫୪ ଗ୍ରାମ ସୁନା ଅଳଙ୍କାର, ୯୧୦ ଗ୍ରାମ ରୁପା ଅଳଙ୍କାର ସହ ୫ ହଜାର ଟଙ୍କା, ଏକ ଟିଭି, ୫ଟି ଫ୍ୟାନ, ୫ଟି ଚୋରି ମୋବାଇଲ ଉଦ୍ଧାର ହୋଇଛି । ଲୁଟ୍‌ରେ ବ୍ୟବହୃତ ଆରି, କଟର, ମାରଣାସ୍ତ୍ର ଆଦି ଜବତ ହୋଇଛି । ଗିରଫ ୪ ଲୁଟେରା ଟାଉନ ଥାନା ସର୍ଜଙ୍ଗ ସାହିର ମିଲୁ ନାଏକ, ଲିପ୍ ନାଏକ, ତପ୍ ନାଏକ, ପୁନା ନାଏକ । ସମସ୍ତଙ୍କ ବୟସ ମାତ୍ର ୧୯ ବର୍ଷ ।

ରବିବାର ଅପରାହ୍ନରେ ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ରମେଶ ଚନ୍ଦ୍ର ଦୋରା ସୂଚନା ଦେଇ କହିଛନ୍ତି ଏହି ଗ୍ୟାଙ୍ଗ ଢେଙ୍କାନଳ ସହରରେ ଚୋରି, ଲୁଟ୍ କରି ଆସୁଥିଲେ। ବିଶେଷ କରି ବନ୍ଦ ଘର ଗୁଡ଼ିକୁ ନଜରରେ ରଖୁଥିଲେ। ଦିନରେ ସାହି ସାହି ବୁଲି ଏଭଳି ଘର ସମ୍ପର୍କରେ ତଥ୍ୟ ନେଉଥିଲେ। ରାତିରେ ତାଲା କାଟି ଘରେ ପଶି ଲୁଟ୍ କରୁଥିଲେ। ଏସପିଙ୍କ ନିର୍ଦ୍ଦେଶରେ ଟାଉନ ଥାନା ଅଧିକାରୀ ପ୍ରଭାତ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଖୋଳତାଡ଼ କରାଯାଇଥିଲା। ଉକ୍ତ ଟିମ୍ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଆଉ କେଉଁମାନେ ଏଥିରେ ସାମିଲ ଅଛନ୍ତି ସେ ନେଇ ତଦନ୍ତ ଚାଲିଛି, ଅନ୍ୟ ଚୋରି ସାମଗ୍ରୀ କାହାକୁ କାହାକୁ ବିକ୍ରି କରାଯାଇଛି କି ନାହିଁ ତାହାର ତଦନ୍ତ କରାଯାଇଥିବା ଏସଡିପିଓ ଶ୍ରୀ ଦୋରା କହିଛନ୍ତି ।